ରାଜସ୍ଥାନ ରାଜନୀତି: ରାହୁଲ ଓ ପ୍ରିୟଙ୍କାଙ୍କୁ ଭେଟିଲେ ସଚିନ,ଶେଷ ହୋଇପାରେ ରାଜନୈତିକ ଡ୍ରାମା

ଜୟପୁର: ରାଜସ୍ଥାନ ରାଜନୀତିରେ  ନୂଆ ମୋଡ଼ ଆସିଛି । ସଚିନ ପାଇଲଟ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି । ଏହି ବୈଠକରେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ । ପାଇଲଟ୍ କ୍ୟାମ୍ପ ସୂତ୍ରରୁ ପ୍ରକାଶ ଯେ, ରାହୁଲ ଗାନ୍ଧୀ ପ୍ରତ୍ୟେକ ଅଭିଯୋଗର ସମାଧାନ ପାଇଁ ପ୍ରସ୍ତୁତ ଅଛନ୍ତି ।  ଏହା ସହିତ ଆଗାମୀ ଦିନରେ ଆହୁରି  ବୈଠକ ହେବ ବୋଲି କୁହାଯାଇଛି । କୁହାଯାଉଛି ଯେ, ପାଇଲଟ୍ ନରମ ପଡିଛନ୍ତି । ସେ ଦଳକୁ ପୁଣି ଫେରିବେ ।

ସୋମବାର ସକାଳ ଠାରୁ ରାଜସ୍ଥାନରେ ରାଜନୈତିକ ହଟଚମକ ଦେଖିବାକୁ ମିଳିଥିଲା । ସୂତ୍ରରୁ ପ୍ରକାଶ ଯେ, ସଚିନ ପାଇଲଟ ଏବଂ ଅନ୍ୟ ବିଦ୍ରୋହୀ ବିଧାୟକମାନେ କଂଗ୍ରେସର ବରିଷ୍ଠ ନେତାଙ୍କ ସହ ସାକ୍ଷାତ କରିବାକୁ ଯାଉଛନ୍ତି ।

କୁହାଯାଉଛି ଯେ ଏହି ବୈଠକରେ ସେହିସବୁ ତିକ୍ତତାକୁ ଦୂର କରିବାକୁ ଚେଷ୍ଟା କରାଯିବ ଯେଉଁ କାରଣରୁ ଗେହଲଟ ସରକାରଙ୍କ ଉପରେ ବିପଦର ବାଦଲ ଛାଇ ରହିଛି । ନିକଟରେ ଏନସିଆରର କୌଣସି ଏକ ସ୍ଥାନରେ ପ୍ରିୟଙ୍କା ଗାନ୍ଧୀଙ୍କୁ ସଚିନ ପାଇଲଟ ଭେଟିଥିଲେ। ଯାହା ପରେ ଏହି ବୈଠକ ସ୍ଥିର ହୋଇପାରିଛି । ପ୍ରିୟଙ୍କା ଏବଂ ସଚିନଙ୍କ ସାକ୍ଷାତ ପରେ ଅନେକ ସ୍ତରରେ ମଧ୍ୟ ଆଲୋଚନା ହୋଇଛି ।

କୁହାଯାଉଛି ଯେ ଏହି ଘଟଣା ରାଜସ୍ଥାନ ବିଧାନସଭା ଅଧିବେଶନ ଡକାଯିବାର ପାଞ୍ଚ ଦିନ ପୂର୍ବରୁ ଘଟିଥିଲା । ଯେଉଁଠାରେ ଅଶୋକ ଗେହଲୋଟ୍ ତାଙ୍କର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ଦାବି କରିଛନ୍ତି । ସେ ତାଙ୍କ ବିରୋଧୀଙ୍କ ଉପରେ ବିଜେପି ସହ ମିଶି ସରକାର ଭାଙ୍ଗିବା ଭଳି ଅଭିଯୋଗ ଆଣିଛନ୍ତି ।

ଏଥି ସହିତ, ପାଇଲଟ୍ କ୍ୟାମ୍ପ ପୁରୁଣା କଥା ଉପରେ ଜିଦ୍ ଧରି ବସିଛନ୍ତି । କଂଗ୍ରେସର ସଫଳତାର ଦାବିକୁ ପ୍ରତ୍ୟାଖ୍ୟାନ କରି ପାଇଲଟ୍ କ୍ୟାମ୍ପ କହିଛନ୍ତି ଯେ, ଆମର ମୁଖ୍ୟ ଲକ୍ଷ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ପଦରୁ ହଟାଇବା ।

 

Leave a Reply