ଋଷ-ପାକିସ୍ତାନ ମଧ୍ୟରେ ଘନିଷ୍ଠତା, ତାଲିବାନ୍‌ ସହ ବଢ଼ୁଛି ଯୋଗାଯୋଗ..

1 min read
Putin - Imran khan

ଋଷ ଏବଂ ପାକିସ୍ତାନ ମଧ୍ୟରେ ଘନିଷ୍ଠତା କ୍ରମାଗତ ଭାବେ ବୃଦ୍ଧି ପାଉଛି । ମିଳିତ ସାମରିକ ଅଭ୍ୟାସ ପାଇଁ ଋଷ ସୈନ୍ୟମାନେ ଗୁରୁବାର ପାକିସ୍ତାନରେ ପହଞ୍ଚିଛନ୍ତି । ପାକିସ୍ତାନ ଏବଂ ଋଷ ସେନା ମଧ୍ୟରେ ଚାଲିଥିବା ଏହି ମିଳିତ ସାମରିକ ଅଭ୍ୟାସକୁ ଦ୍ରଜ୍‌ବା (DRUHZBA-5) ନାଁ ଦିଆଯାଇଛି ।

ପାକିସ୍ତାନ ସେନା ଟୁଇଟ୍ ଜରିଆରେ ଏନେଇ ସୂଚନା ଦେଇଛି । ପାକ୍ ସେନା ପକ୍ଷରୁ କୁହାଯାଇଛି ଯେ, ଏହା ପାକିସ୍ତାନ ଏବଂ ଋଷ ମଧ୍ୟରେ ପଞ୍ଚମ ମିଳିତ ସାମରିକ ଅଭ୍ୟାସ । ଏହି ମିଳିତ ସାମରିକ ଅଭ୍ୟାସ ଦୁଇ ସପ୍ତାହ ପର୍ଯ୍ୟନ୍ତ ଚାଲିବ । ପାକିସ୍ତାନ ଆହୁରି କହିଛି ଯେ, ଏହି ମିଳିତ ଅଭ୍ୟାସ ଆତଙ୍କବାଦ ବିରୋଧରେ ମୁକାବିଲା ପାଇଁ ଉଭୟ ଦେଶର ସୈନ୍ୟବାହିନୀଙ୍କ ଅଭିଜ୍ଞତା ବାଣ୍ଟିବା ହେଉଛି ମୂଳ ଲକ୍ଷ ।

ପାକିସ୍ତାନ ସେନାର ମିଡିଆ ୱିଙ୍ଗ୍‌ ଅନୁଯାୟୀ ଏହି ସାମରିକ ଅଭ୍ୟାସରେ ସ୍କାଏ ଡାଇଭିଂ ଏବଂ ବନ୍ଧକ ମୁକ୍ତ ହେବା ଭଳି କାର୍ଯ୍ୟକଳାପ ରହିବ । ପ୍ରତିବର୍ଷ ପାକିସ୍ତାନ-ଋଷର ଏହି ମିଳିତ ସାମରିକ ଅଭ୍ୟାସ ଦ୍ରଜ୍‌ବା ଆୟୋଜିତ ହୋଇଥାଏ । ୨୦୧୬ ପରଠାରୁ ପାକିସ୍ତାନ ଏବଂ ଋଷର ଏହି ମିଳିତ ଅଭ୍ୟାସ ଆରମ୍ଭ ହୋଇଛି । ଏଥିରେ ଆତଙ୍କବାଦ ବିରୋଧୀ ଏବଂ ସ୍ୱତନ୍ତ୍ର ସାମରିକ କାର୍ଯ୍ୟ ଅନ୍ତର୍ଭୁକ୍ତ ।

ତେବେ ପାକିସ୍ତାନ ସହ ଋଷର ସାମରିକ ଭାଗିଦାରୀକୁ ନେଇ ଭାରତ ବିରୋଧ କରି ଆସୁଛି । ଆତଙ୍କବାଦକୁ ସୁରକ୍ଷା ଦେଉଥିବା ପାକିସ୍ତାନ ସହ ସେନା ଭାଗୀଦାରୀ କରିବା ଭୁଲ ବୋଲି ଭାରତ ବାରମ୍ବାର ଆପତ୍ତି ଜଣାଇଛି । ଋଷର ଏଭଳି ନିଷ୍ପତ୍ତି ସମସ୍ୟା ବୃଦ୍ଧି କରିପାରେ ।

ତେବେ ଭାରତର ଆପତ୍ତିକୁ ଋଷ ଅଣଦେଖା କରିଆସୁଛି । ଚଳିତ ବର୍ଷ ସେପ୍ଟେମ୍ବରରେ ପାକିସ୍ତାନ ସେନା ଋଷର ଅସତରାଖାନରେ ‘କାୱକାଜ୍ ୨୦୨୦’ ସାମରିକ ଅଭ୍ୟାସରେ ଭାଗ ନେଇଥିଲା । ସେହିଭଳି ଗତ ବର୍ଷ ୨୦୧୯ରେ ମଧ୍ୟ ପାକିସ୍ତାନ ଋଷର ସାମରିକ ଅଭ୍ୟାସରେ ସାମିଲ ହୋଇଥିଲା । ଏଥିରେ କଜାକିସ୍ତାନ, କିର୍ଗିସ୍ଥାନ, ତଜାକିସ୍ତାନ ଏବଂ ଉଜ୍‌ବେକିସ୍ତାନ ମଧ୍ୟ ଅଂଶଗ୍ରହଣ କରିଥିଲେ ।

ତେବେ ଶୀତଳ ଯୁଦ୍ଧ ସମୟରେ ପାକିସ୍ତାନ, ଋଷର ଘୋର ବିରୋଧୀ ଆମେରିକାକୁ ସମର୍ଥନ କରିଥିଲା । ସମୟାନୁକ୍ରମେ ବୈଷୟିକ ବୁଝାମଣାକୁ ନେଇ ଉଭୟଙ୍କ ମଧ୍ୟରେ ବନ୍ଧୁତା ବଢ଼ିଛି । ଯାହାକି ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି । ପାକିସ୍ତାନ ଏବଂ ଋଷ ମଧ୍ୟରେ ସାମରିକ ଭାଗିଦାରୀ ମଧ୍ୟ ମଜବୁତ ହେବାରେ ଲାଗିଛି ।

ଗତ କିଛି ବର୍ଷ ମଧ୍ୟରେ ଋଷ ତାଲିବାନ ସହ ଯୋଗାଯୋଗ ବୃଦ୍ଧି କରିଥିବା ଦେଖାଯାଇଛି । କିନ୍ତୁ ଭାରତର ଆଭିମୁଖ୍ୟ ଏହାର ବିପରୀତ । ପୂର୍ବରୁ ରୂଷ ସବୁବେଳେ ତାଲିବାନ ବିରୋଧୀ ‘ନର୍ଦନ୍‌ ଆଲିଆନ୍ସ’କୁ ସମର୍ଥନ ଦେଇଆସୁଛି । ହେଲେ ଏପଟେ ତାଲିବାନ ସହ ପାକିସ୍ତାନର ଘନିଷ୍ଠତା ରହିଛି ।

ଆଫଗାନିସ୍ତାନର ନୂତନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଋଷ ପାକିସ୍ତାନକୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖୁଛି । ୨୦୧୬ରେ ଚୀନ୍, ପାକିସ୍ଥାନ ଏବଂ ଋଷ ମଧ୍ୟରେ ଆଫଗାନିସ୍ତାନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମଧ୍ୟ ହୋଇଥିଲା । କିନ୍ତୁ ଏଥିରେ ଆଫଗାନିସ୍ତାନ ପ୍ରତିନିଧୀଙ୍କୁ ସାମିଲ କରାଯାଇଥିଲା । ଏହାକୁ ନେଇ ସମାଲୋଚନା କରାଯିବା ପରେ ଆଫଗାନିସ୍ତାନ, ଇରାନ ଏବଂ ଭାରତକୁ ଏଥିରେ ସାମିଲ କରାଯାଇଥିଲା । ଟ୍ରମ୍ପ ପ୍ରଶାସନ ପକ୍ଷରୁ ପାକିସ୍ତାନକୁ ମିଳୁଥିବା ସାମରିକ ସହାୟତା ବନ୍ଦ କରାଯାଇଥିଲା । ଏବେ ପାକିସ୍ତାନର ଆମେରିକା ସହ ସମ୍ପର୍କ ଭଲ ନଥିବାରୁ ସେ ଋଷ ଏବଂ ଚୀନ୍ ସହିତ ନିଜର ଭବିଷ୍ୟତ ଦେଖୁଛି ।

Leave a Reply