Russia Covid Vaccine:ମିଲିଲା ଋଷ ଟିକାକୁ ଅନୁମତି,ରାଷ୍ଟ୍ରପତି ପୁଟିନ କହିଲେ ମୋ ଝିଅ ନେଇଛି ପ୍ରଥମ ଟିକା

1 min read

ମସ୍କୋ: ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ  (Russian President Vladimir Putin) ବିଶ୍ୱର ପ୍ରଥମ କରୋନା ଟିକାକୁ ମଂଜୁରୀ ମିଳିଥିବା କଥା ଘୋଷଣା କରିଛନ୍ତି । ମଙ୍ଗଳବାର ଦିନ ବିଶ୍ୱର ପ୍ରଥମ କରୋନା ଭ୍ୟାକ୍ସିନକୁ।  (world’s first coronavirus vaccine)  ଅନୁମତି ମିଳିବା ସଂପର୍କରେ ଘୋଷଣା କରି ପୁଟିନ୍ ତାଙ୍କ ଝିଅ ପ୍ରଥମ ଟିକା ଦିଆଯାଇଥିବା  କଥା କହିଛନ୍ତି । ତେବେ ସେ ନିଜେ ଟିକା ନେଇଛନ୍ତି କି ନାହିଁ ସେ ବାବଦରେ କିଛି ମଧ୍ୟ କହିନାହାନ୍ତି ।

ପୁଟିନ୍ କ’ଣ କହିଲେ ?

ପୁଟିନ୍ କହିଛନ୍ତି ଯେ, ମୋ ଝିଅ ଏହି ଟିକା ନେଇଛି । ଆରମ୍ଭରେ ତାକୁ ହାଲୁକା ଜର ହୋଇଥିଲା । ଏବେ ସେ ସଂପୂର୍ଣ୍ଣ ସୁସ୍ଥ ଅଛି । ସେ ଭଲଅଛି ଓ ବଢିଆ ଅଛି ବୋଲି କହିଛନ୍ତି ଋଷ ରାଷ୍ଟ୍ରପତି । ପୁଟିନଙ୍କ ଝିଅ ପରୀକ୍ଷଣରେ ସାମିଲ ଥିବା କଥା ସାମ୍ନାକୁ ଆସିଛି । ଏହି ଘୋଷଣା ପରେ ଋଷ କରୋନା ଭ୍ୟାକ୍ସିନ୍ ତିଆରି କରିଥିବା ପ୍ରଥମ ଦେଶ ପାଲଟିଛି । ଋଷ ଅନୁସାରେ ଏହି ଭ୍ୟାକ୍ସିନକୁ ପ୍ରଥମେ ଫ୍ରଣ୍ଟଲାଇନରେ ଲଢୁଥିବା କୋଭିଡ୍ ଯୋଦ୍ଧାଙ୍କୁ ଦିଆଯିବ ।  ଏହାପରେ ବରିଷ୍ଠ ନାଗରିକଙ୍କୁ ଟିକା ଦେବାକୁ ଋଷ ସ୍ଥିର କରିଛି । ସେପ୍ଟେମ୍ବର ମାସରୁ ଋଷ କରୋନା ଭ୍ୟାକ୍ସିନର ଅଧିକ ଉତ୍ପାଦନ ଆରମ୍ଭ କରିବ ।

ଟିକା ନେଇଛନ୍ତି ଗବେଷକ
ମସ୍କୋର ଗାମଲେଆ ରିସର୍ଚ୍ଚ ପ୍ରତିଷ୍ଠାନ ଏଡେନ ଭାଇରସକୁ ଆଧାରିତ କରି ଏହି ଭ୍ୟାକ୍ସିନ୍ ତିଆରି କରିଛି । ଗବେଷକଙ୍କ ଦାବି ଯେ, ଭ୍ୟାକ୍ସିନରେ ଯେଉଁ ପାର୍ଟିକଲସ ବ୍ୟବହାର ହୋଇଛି ତାହା ନିଜକୁ ରେପ୍ଲିକେଟ୍ (କପି) କରି ପାରିବ ନାହିଁ । ରିସର୍ଚ୍ଚ ଓ ଉତ୍ପାଦନରେ ସାମିଲ ଥିବା ଅନେକ ବ୍ୟକ୍ତି ନିଜକୁ ଭ୍ୟାକ୍ସିନର ଡୋଜ୍ ଦେଇଛନ୍ତି । ଏହି ଟିକା ନେବା ପରେ କିଛି ଲୋକଙ୍କୁ ଜ୍ୱର ଆସିପାରେ । ତେଣୁ ଟିକା ନେବା ପରେ ପାରାସିଟାମଲ ଖାଇବାକୁ ପରାମର୍ଶ ଦିଆଯାଇଛି ।

ଟିକାକୁ ବିରୋଧ

ତେବେ ଭ୍ୟାକ୍ସିନର ମାନବ ପରୀକ୍ଷଣକୁ ମାତ୍ର ଦୁଇ ମାସରେ ସାରିବାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଋଷକୁ ସମାଲୋଚନା କରୁଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ତା’ପାଖରେ ଋଷ ଭ୍ୟାକ୍ସିନକୁ ନେଇ କୌଣସି ସୂଚନା ନାହିଁ ।ତେବେ ମାତ୍ର ୧୦୦ରୁ କମ ଲୋକଙ୍କୁ ଏପର୍ଯ୍ୟନ୍ତ ଡୋଜ୍ ଦିଆଯାଇଥିବାରୁ ଏହାର ବ୍ୟାପକ ବ୍ୟବହାର ବିପଦ ସୃଷ୍ଟି କରିପାରେ ବୋଲି ବିଶେଷଜ୍ଞ ଦାବି କରୁଛନ୍ତି । ଆସୋସିଏସନ୍ ଅଫ୍ କ୍ଲିନିକାଲ ଟ୍ରାଏଲସ ଅର୍ଗାନାଇଜେସନ୍ ଏନେଇ ଋଷ ସ୍ୱାସ୍ଥ୍ୟମନ୍ତ୍ରୀ ମିଖାଇଲ ମୁରାଶକୋଙ୍କୁ ଚିଠି ଲେଖିଛି । ବିଶ୍ୱର ବଡ ବଡ ଫାର୍ମା କଂପାନୀ ମଧ୍ୟ ଋଷ ଭ୍ୟାକ୍ସିନକୁ ସନ୍ଦେହ କରୁଛନ୍ତି । ।

Leave a Reply