Russia Covid Vaccine: କାଲି ଆସୁଛି ଋଷ ଭ୍ୟାକ୍ସିନ୍,କିଏ ନେବ ପ୍ରଥମ ଟିକା ? ଜାଣନ୍ତୁ

1 min read

ମସ୍କୋ:  ବିଶ୍ୱର ପ୍ରଥମ କରୋନା ଭ୍ୟାକ୍ସିନ୍ (First Coronavirus vaccine)କୁ ଋଷ ଆସନ୍ତାକାଲି (୧୨ ଅଗଷ୍ଟ)ରେ ଲଂଚ୍ କରିବାକୁ ଯାଉଛି । ଋଷ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆସନ୍ତାକାଲି ଏହାକୁ ପଂଜିକୃତ କରିବ । ଯଦି ସବୁକିଛି ଠିକ୍ ଚାଲେ ଓ ଭ୍ୟାକ୍ସିନ୍ ନିୟନ୍ତ୍ରକ ପ୍ରାଧିକରଣ ପାଖରୁ ଏହାକୁ ସ୍ୱିକୃତୀ ମିଳେ ତେବେ ଏହା ବିଶ୍ୱର ପ୍ରଥମ ପ୍ରାମାଣିକ କୋଭିଡ୍-୧୯ ଭ୍ୟାକ୍ସିନ ହେବ । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଦେଶକୁ କରୋନା ଭ୍ୟାକ୍ସିନ୍ ତିଆରି କରିବାର ସଫଳତା ମିଳିନାହିଁ । ଋଷ ଅନୁସାରେ ଏହି ଭ୍ୟାକ୍ସିନକୁ ପ୍ରଥମେ ଫ୍ରଣ୍ଟଲାଇନରେ ଲଢୁଥିବା କୋଭିଡ୍ ଯୋଦ୍ଧାଙ୍କୁ ଦିଆଯିବ ।  ଏହାପରେ ବରିଷ୍ଠ ନାଗରିକଙ୍କୁ ଟିକା ଦେବାକୁ ଋଷ ସ୍ଥିର କରିଛି । ସେପ୍ଟେମ୍ବର ମାସରୁ ଋଷ କରୋନା ଭ୍ୟାକ୍ସିନର ଅଧିକ ଉତ୍ପାଦନ ଆରମ୍ଭ କରିବ ।

ଫିଲିପାଇନ୍ସ ରାଷ୍ଟ୍ରପତି କହିଲେ,ମୋତେ ପ୍ରଥମେ ଟିକା ଦିଅ

philipines president

ଋଷ ଫିଲିପାଇନ୍ସକୁ ଭ୍ୟାକ୍ସିନ୍ ଅଫର କରିଥିଲା । ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଦୁତେର୍ତେ ଋଷ ଅଫରକୁ ସ୍ୱିକାର କରିଛନ୍ତି ।  ଅଫର ସ୍ୱିକାର କରିବା ସହ ସେ ତାଙ୍କୁ ପ୍ରଥମେ ଟିକା ଦିଆଯାଉ ବୋଲି କହିଛନ୍ତି । ଋଷ ପ୍ରତି କୃତଜ୍ଞତା ଜ୍ଞାପନ କରିବାକୁ ସେ ଏମିତି କହିଛନ୍ତି ।  ବ୍ଲୁମବର୍ଗ ରିପୋର୍ଟ ଅନୁସାରେ ସୋମବାର ଦୁତେର୍ତେ କହିଥିଲେ ଯେ, ‘‘ଯେତେବେଳେ ଭ୍ୟାକ୍ସିନ ଆସିବ ସେତେବଳେ ମୁଁ ସର୍ବସମ୍ମୁଖରେ ଟିକା ନେବାକୁ ଚାହିଁବି । ସର୍ବପ୍ରଥମେ ମୋ ଉପରେ ଏକ୍ସପେରିମେଣ୍ଟ୍ କରାଯାଉ,ମୋର କୌଣସି ସମସ୍ୟା ନାହିଁ’’ ଦୁତେର୍ତେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ନିଜ ଆଦର୍ଶ ବୋଲି କହି ସାରିଛନ୍ତି ।  ସେ କହିଛନ୍ତି ଯେ, ମାନିଲା ଏହି ଟିକାର କ୍ଲିନିକାଲ ଟ୍ରାଏଲରେ ଋଷକୁ ସହଯୋଗ କରିବ ।

ନିଜେ ଟିକା ନେଇଛନ୍ତି ଗବେଷକ

ମସ୍କୋର ଗାମଲେଆ ରିସର୍ଚ୍ଚ ପ୍ରତିଷ୍ଠାନ ଏଡେନ ଭାଇରସକୁ ଆଧାରିତ କରି ଏହି ଭ୍ୟାକ୍ସିନ୍ ତିଆରି କରିଛି । ଗବେଷକଙ୍କ ଦାବି ଯେ, ଭ୍ୟାକ୍ସିନରେ ଯେଉଁ ପାର୍ଟିକଲସ ବ୍ୟବହାର ହୋଇଛି ତାହା ନିଜକୁ ରେପ୍ଲିକେଟ୍ (କପି) କରି ପାରିବ ନାହିଁ । ରିସର୍ଚ୍ଚ ଓ ଉତ୍ପାଦନରେ ସାମିଲ ଥିବା ଅନେକ ବ୍ୟକ୍ତି ନିଜକୁ ଭ୍ୟାକ୍ସିନର ଡୋଜ୍ ଦେଇଛନ୍ତି । ଏହି ଟିକା ନେବା ପରେ କିଛି ଲୋକଙ୍କୁ ଜ୍ୱର ଆସିପାରେ । ତେଣୁ ଟିକା ନେବା ପରେ ପାରାସିଟାମଲ ଖାଇବାକୁ ପରାମର୍ଶ ଦିଆଯାଇଛି ।

ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ସନ୍ଦେହ

ଦୁନିଆର ଅନେକ ବିଶେଷଜ୍ଞ ଋଷ ଭ୍ୟାକ୍ସିନକୁ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଋଷ ଭ୍ୟାକ୍ସିନ୍ ନେଇ କୌଣସି ଡାଟା ସଂଗଠନକୁ ଦେଇ ନାହିଁ । ତେବେ ଋଷ ଏହାକୁ ଗୁରୁତ୍ୱ ନଦେଇ ନିଜ ଭ୍ୟାକ୍ସିନ୍ ଉପରେ ଆସ୍ଥା ପ୍ରକଟ କରୁଛି ।

ଦୁନିଆରେ ଚାଲିଛି ଗବେଷଣା

ଦୁନିଆର ଅନେକ ଦେଶ ଭ୍ୟାକ୍ସିନକୁ ନେଇ ଗବେଷଣା କରୁଛନ୍ତି । ତେବେ ଏଥିରେ ଚୀନ୍,ଆମେରିକା,ଭାରତ ଓ ବ୍ରିଟେନ୍ ଆଗରେ ଥିବା କୁହାଯାଉଛି । ଭାରତର କୋଭାକ୍ସିନ୍ ଏହି ବର୍ଷ ଅନ୍ତ ସୁଧା ଲଂଚ୍ ହେବ ବୋଲି କୁହାଯାଉଛି ।ଅନ୍ୟପକ୍ଷରେ ବ୍ରିଟେନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ଚାଲିଥିବା ଗବେଷଣା ମଧ୍ୟା ଆଶା ସୃଷ୍ଟି କରିଛି । କିନ୍ତୁ ଋଷ ଭ୍ୟାକ୍ସିନ ଯଦି ସତରେ କାମ କରେ ତେବେ ବିଶ୍ୱର ଜିଓ ପଲିଟିକ୍ସରେ ଗୋଟିଏ ବଡ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । କରୋନାକୁ ହରାଇ ଋଷ ପୁଣି ବିଶ୍ୱ ଶକ୍ତି ହେବାର ସମ୍ଭାବନା ରହିଛି ।

Leave a Reply