ମିଥୁନ ଚକ୍ରବର୍ତ୍ତୀଙ୍କୁ ଭେଟିଲେ ମୋହନ ଭାଗବତ, ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା

1 min read

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ରଙ୍ଗୀନ ରଣାଙ୍ଗନ । ଦିନକୁ ଦିନ ପବନର ବେଗ ବଢୁଥିବା ବେଳେ ପାଣିପାଗରେ ମଧ୍ୟ ପରିବର୍ତ୍ତନ ଘଟୁଛି । ବଙ୍ଗ ରାଜନୀତିରେ ଦିଦି-ମୋଦିଙ୍କ ବାକ୍ ଯୁଦ୍ଧ ଭିତରେ ଏବେ ମୋହନ ଭାଗୱତଙ୍କ ସାକ୍ଷାତ ଚର୍ଚ୍ଚା ବଢାଇଛି । ବଲିଉଡର ପ୍ରଖ୍ୟାତ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଆଜି ମୁମ୍ବାଇରେ ଭେଟିଛନ୍ତି ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ସର ସଂଘଚାଳକ ମୋହନ ଭାଗୱତ ।

ମଙ୍ଗଳବାର ସକାଳେ ମିଥୁନ ଚକ୍ରବର୍ତ୍ତୀଙ୍କ ବାସଭବନରେ ପହଁଚିଛନ୍ତି ଆରଏସଏସ ସର ସଂଘଚାଳକ ମୋହନ ଭାଗୱତ । ଉଭୟଙ୍କ ମଧ୍ୟରେ ସକାଳୁ ଆଲୋଚନା ଜାରି ରହିଛି । ସୂଚନା ମୁତାବକ ମିଥୁନ ଯେବେ ନାଗପୁର ଯାଇଥିଲେ ମୋହନ ଭାଗବତଙ୍କ ବାସବଭନକୁ ଯାଇ ତାଙ୍କୁ ସାକ୍ଷାତ କରିଥିଲେ । ଏବଂ ନିଜର ଘରକୁ ଭାଗବତଙ୍କୁ ଆସିବାକୁ ନିମନ୍ତ୍ରଣ ମଧ୍ୟ କରିଥିଲେ । ତେଣୁ ଏହି ନିମନ୍ତ୍ରଣକୁ ରକ୍ଷା କରି ଆଜି ମିଥୁନଙ୍କ ବାସଭବନରେ ଆରଏସଏସ ମୁଖ୍ୟ ପହଁଚିଥିବା ଜଣାପଡିଛି ।

କିନ୍ତୁ ଗୋଟେପଟେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ସ୍ୱଳ୍ପ ସମୟ ଥିବା ବେଳେ ଏହି ସାକ୍ଷାତ ବର୍ତ୍ତମାନ ଚର୍ଚ୍ଚା ଜୋରଦାର କରିଛି । ଗୌରବତଲବ ଜିଲ୍ଲାରେ ଜନ୍ମ ନେଇଥିବା ମିଥୁନ ଚକବ୍ରର୍ତ୍ତୀ ଜଣେ ଲୋକପ୍ରିୟ ଅଭିନେତା ଭାବେ ପଶ୍ଚିମବଙ୍ଗ ସିନେ ଜଗତରେ ଯେତିକି ନାଁ କମେଇଛନ୍ତି, ତାହା ଠାରୁ ଅଧିକ ପରିଚିତ ବଲିଉଡ କଳାକାର ଭାବେ । ସେପଟେ ସାମାଜିକ କାର୍ଯ୍ୟକ୍ରମ ଏବଂ ରାଜନୀତିରେ ମଧ୍ୟ ପାରଦର୍ଶିତା ରଖିଛନ୍ତି ମିଥିନ ।

କିନ୍ତୁ ସବୁଠାରୁ ରୋଚକ କଥା ହେଉଛି ଟିଏମସି ମିଥୁନଙ୍କୁ ପଶ୍ଚିମବଙ୍ଗରୁ ରାଜ୍ୟସଭା ପଠାଇଥିଲା । କିନ୍ତୁ କିଛି ଦିନ ପରେ ହଠାତ ରାଜ୍ୟସଭାରୁ ଇସ୍ତଫା ପ୍ରଦାନ କରିଥିଲେ ମିଥୁନ ଚକ୍ରବର୍ତ୍ତୀ । ବର୍ତ୍ତମାନମିଥୁନ ଟିଏମସି ସହ ସମ୍ପର୍କରେ ନଥିବାବେଳେ ବିଜେପି ନିଜ ଦଳକୁ ଆଣିବାକୁ ଜାଲ ବିଛାଉଥିବା ଚର୍ଚ୍ଚା ହେଉଛି । ଆଉ ଏହି ଚର୍ଚ୍ଚାରେ ଭାଗବତ-ମିଥୁନଙ୍କ ସାକ୍ଷାତ ଏବେ ଏହି ପ୍ରସଙ୍ଗକୁ ଆହୁରି ପ୍ରଖର କରିଛି ।

Leave a Reply