ବିହାରରେ ମୁଣ୍ଡ ଟେକିଲା ତୃତୀୟ ସାମ୍ମୁଖ୍ୟ, ଏକାଠି ହେଲେ କୁଶୱା-ଓବେସୀ

1 min read

ପାଟନା, ବିହାର ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି । ନିର୍ବାଚନୀ ରାଜନୀତି ସେତିକି ଜମୁଛି । କିଏ କାହା ପଟେ ରହିବ, କିଏ କାହାକୁ ଛାଡିବ । ସେ ଚିତ୍ର ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି । ମୁଖ୍ୟତଃ ବିହାର ରାଜନୀତିକୁ ତ୍ରିକୋଣୀୟ ବୋଲି କୁହାଯାଇଥାଏ ।  ଏହି ଦଳତ୍ରୟ ହେଉଛନ୍ତି- ବିଜେପି, ଜେଡିୟୁ ଏବଂ ରାଜେଡି । ତ୍ରିଭୁଜର ଯେମିତି ୨ କୋଣ ମିଶି ଅନ୍ୟ ଗୋଟିଏ କୋଣଠାରୁ ଅଧିକ ହୋଇଥାନ୍ତି, ଉପରୋକ୍ତ ୩ ଦଳ ମଧ୍ୟରୁ ଯେଉଁପଟେ ୨ ଦଳ ରହେ, ସେହି ବାଜି ମାରିଥାଏ । ହେଲେ ଚଳିତ ନିର୍ବାଚନରେ ରାମବିଳାସପାଶୱାନଙ୍କ ଏଲଜେପିର ବିଜେପି ପ୍ରେମ, ଜେଡିୟୁ ପ୍ରତି ବିତୃଷ୍ଣା ନୂଆ ରାଜନୈତିକ ସମ୍ଭାବନାକୁ ଜନ୍ମ ଦେଇଛି ।

ଶାସକ ଏନଡିଏ ଏବଂ ବିରୋଧୀ ମହାଗଠବନ୍ଧନ ପକ୍ଷରୁ ଆସନ ଚୂଡାନ୍ତ ହୋଇସାରିଛି । ତେଣୁ ମୁକାବିଲା ଦ୍ୱିମୁଖୀ ହେବ ବୋଲି ଆଶା କରାଯାଉଥିଲା । ହେଲେ ବର୍ତ୍ତମାନ କେତେକ ଛୋଟ ଦଳ ମିଶି ଏକ ତୃତୀୟ ସାମ୍ମୁଖ୍ୟ କରିଛନ୍ତି । ଏହି ମେଣ୍ଟ କେତେ ଆସନ ଜିତିବ, ତାହା ବଡ଼ କଥା ନୁହେଁ । ହେଲେ କାହାର ଭୋଟ କାଟିବ, ତାହା ଆଲୋଚନାର ବିଷୟ ହୋଇଛି । ଏକ ରାଜନୈତିକ ଘଟଣାକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉପେନ୍ଦ୍ର କୁଶୱାହା ଏବଂ ଏଆଇଏମଆଇଏମ ଅସଉଦ୍ଦିନ୍ ଓବେସୀ ଏକାଠି ଆସିଛନ୍ତି । ଏଥିସହିତ ନିଜ ସହ ବିହାରରେ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସକ୍ରିୟ ଥିବା ୩ ଟିଦଳକୁ ସାଙ୍ଗରେ ରହିଛନ୍ତି । ଏହି ପରିଭାବେ ଆରଏଲଏସପି, ଏଆଇଏମଆଇଏମ,ବିଏସପି,ସୁହେଲଦେବ ଭାରତୀୟ ସମାଜପାର୍ଟି, ସମାଜବାଦୀ ଜନତା ଦଳ(ଡେମୋକ୍ରେଟିକ) ଏବଂ ଜନତାନ୍ତ୍ରିକ ପାର୍ଟି(ସମାଜବାଦୀ) ଏକାଠି ହୋଇଛନ୍ତି ।

ଦେବେନ୍ଦ୍ର ଯାଦବ ଏହି ଫ୍ରଣ୍ଟର ଆବାହକ ରହିଛନ୍ତି । ତୃତୀୟ ମେଣ୍ଟ ଘୋଷଣା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଓବେସୀ କହିଥିଲେ ଯେ, ଆରଜେଡିର ୧୫ ବର୍ଷ ହେଉକି ଜେଡିୟୁ-ବିଜେପି ୧୫ ବର୍ଷ ବିହାରକୁ ଧୋକ୍କା ହିଁ ଦିଆଯାଇଛି । ବିହାର ନୂଆ ରାଜନୀତି ଚାହୁଁଛି । ଏହି ବିକଳ୍ପ ପାଇଁ ତୃତୀୟ ସାମ୍ମୁଖ୍ୟର ଆବଶ୍ୟକତା ରହିଛି  । ସେହପରି ବିହାର ବନ୍ୟା ସମସ୍ୟାର ଚିର ସମାଧାନ ଏହି ମେଣ୍ଟର ପ୍ରାଥମିକତା ହେବ ବୋଲି କୁହାଯାଇଛି । ପ୍ରଥମ ଦଫାରେ ମେଣ୍ଟ ପକ୍ଷରୁ ୪୨ ଜଣିଆ ପ୍ରାର୍ଥୀ ତାଲିକା ମଧ୍ୟ ଘୋଷଣା କରାଯାଇଛି । ଏହି ମେଣ୍ଟରେ ଥିବା ଦଳଗୁଡିକ କାହାର ଭୋଟ କାଟିବେ, ତାହା ଉପରେ ସମସ୍ତଙ୍କ ନଜର ରହିବ ।

Leave a Reply