ରାଜ୍ୟରେ ଦୁର୍ବଳ ହେଲାଣି ନଦୀବନ୍ଧ, ସରକାର କହିଲେ, ବନ୍ୟା ପାଇଁ ପୂର୍ବ ପ୍ରସ୍ତୁତି ସରିଛି…..

ଭୁବନେଶ୍ୱର : ନଦୀବନ୍ଧ ଦୁର୍ବଳ ହେବା ବନ୍ୟା ପଛର ଏକ ପ୍ରମୁଖ କାରଣ ବୋଲି ବିଚାର କରାଯାଏ । ତେବେ ରାଜ୍ୟରେ ଏବେ ୨୦ଟି ଜିଲ୍ଲାର ନଦୀବନ୍ଧ ଦୁର୍ବଳ ହୋଇ ସାରିଲାଣି । ପ୍ରାୟ ୪୯ଟି ନଦୀବନ୍ଧ ଏଭଳି ବିପଦଜନକ ସ୍ଥିତି ଦେଇ ଗତି କରୁଛି । ଏନେଇ ରାଜ୍ୟ ଜଳସମ୍ପଦ ବିଭାଗର ପ୍ରମୁଖ ଯନ୍ତ୍ରୀ ବିଭାଗୀୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । ସେହିଭଳି ସରକାର ଏନେଇ ବିହିତ ପଦକ୍ଷେପ ନେବା ଆରମ୍ଭ କରିସାରିଛନ୍ତି ଓ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜୋର୍ତିମୟ ରଥ ଜଣାଇଛନ୍ତି । ସେ କହିଛନ୍ତି ଯେ ସ୍ଥିତି ଅଣାୟତ୍ତ ହେଲେ ସେସବୁର ମୁକାବିଲା କରିବା ପାଇଁ ସବୁ ପ୍ରକାର ପୂର୍ବ ପ୍ରସ୍ତୁତି ସରିଛି । ବାଲି ବସ୍ତା, ବହ୍ଲା, ବାଉଁଶ ଇତ୍ୟାଦି ମହଜୁଦ୍ କରି ରଖାଯାଇଛି ।

ସେହିଭଳି ଜିଲ୍ଲା ସ୍ତରର ବିଭାଗୀୟ ଅଧିକାରୀମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆ ସରିଛି । ତେବେ କେନ୍ଦୁଝର, ନୟାଗଡ଼, କେନ୍ଦ୍ରାପଡା, ଗଞ୍ଜାମ, ଗଜପତି, ରାୟଗଡ଼ା, ଭଦ୍ରକ, ବୌଦ୍ଧ, ଫୁଲବାଣୀ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, କଟକ, ଜଗତ୍ସିଂହପୁର, ମୟୁରଭଞ୍ଜ, ବାଲେଶ୍ୱର, ସୋନପୁର, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଥିବା ନଦୀ ବିପଦଜନକ ହେବାର ସମ୍ଭାବନା ରହିଛି । ତେବେ ସର୍ବାଧିକ ପୁରୀ ଜିଲ୍ଲାର ୮ଟି ନଦୀବନ୍ଧ ଅସୁରକ୍ଷିତ ବୋଲି ସେ ଜଣାଇଛନ୍ତି । ଅନ୍ୟପକ୍ଷରେ ୨୦୦୮ ଜଳସମ୍ପଦ ଗାଇଡଲାଇନ ଅନୁଯାୟୀ ନଦୀବନ୍ଧ ମରାମତି କାର୍ଯ୍ୟକ୍ରମ ଚାଲୁ ରହିଛି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟର ୧୧ଟି ଉପତ୍ୟକାରେ ୭୪୭୦ କିଲୋମିଟର ନଦୀବନ୍ଧ ଅଛି। ଏପ୍ରିଲରୁ ଜୁନ ୧୨ ତାରିଖ ଭିତରେ ବିଭାଗୀୟ ଅଧିକାରୀ ଏସବୁର ତଦାରଖ କରିଛନ୍ତି । ଜିଲ୍ଲାଗୁଡିକରେ କଣ୍ଟ୍ରୋଲ ରୁମ ମେ ୧୬ରୁ ଖୋଲା ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବି ହୋଇସାରିଛି।

( ରିପୋର୍ଟ : ପ୍ରିୟ ପ୍ରିତମ୍ ମହାନ୍ତି, ଭୁବନେଶ୍ୱର )

Leave a Reply