ଫର୍ଜି କମ୍ପାନୀ କରି ଠକେଇ କରୁଥିଲେ କୋଟି କୋଟି ଟଙ୍କା, ଏବେ ଗିରଫ

1 min read

ନୋଏଡା: ଉତ୍ତରପ୍ରଦେଶର ନୋଏଡାରେ ନକଲି କମ୍ପାନୀ କରି କୋଟି କୋଟି ଟଙ୍କା ଠକେଇ କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ୍ କରିଛି ପୋଲିସ । ଏହି ଗ୍ୟାଙ୍ଗର ଦୁଇ ମୁଖ୍ୟ ଅଭିଯୁକ୍ତ ଓମ୍ ପ୍ରକାଶ ଜାଗିଡ ଓ ମୋହିତ ଗୋୟଲଙ୍କ ନୋଏଡା ସେକ୍ଟର-୫୦ରୁ ଗିରଫ କରିଛି ଥାନା ସେକ୍ଟର ୫୮ ପୋଲିସ ।

ଅଭିଯୁକ୍ତ ମୋହିତ ୨୦୧୫ ମସିହାରେ ରିଙ୍ଗିଗ୍ ବେଲ୍ ନାମକ କମ୍ପାନୀ ବନାଇ ୨୫୧ ଟଙ୍କାରେ ଆଣ୍ଡ୍ରୋଏଡ୍ ଫୋନ୍ ଦେବାକୁ କହି ଅରବ ଟଙ୍କା ଲୁଟି ନେଇଥିଲେ । ଏବେ ଏହି ଲୋକ ଡ୍ରାଇ ଫ୍ରୁଟ୍ସ ନାମରେ ୧୦୦ କୋଟିରୁ ଅଧିକ ଠକେଇ କରିଛନ୍ତି । ହେଲେ ଏହି ମାମଲାରେ ସମ୍ପୃକ୍ତ ଅନ୍ୟମାନେ ଫେରାର ଥିବା ପୋଲିସ ସୁତ୍ରରୁ ପ୍ରକାଶ ।

ଏସମ୍ପର୍କରେ ଆଡିସନାଲ୍ ପୋଲିସ କମିଶନର ଲବ କୁମାର (ଲ ଆଣ୍ଡ୍ ଅର୍ଡର) ସୂଚନା ଦେଇ କହିଛନ୍ତି ଯେ ଅଭିଯୁକ୍ତ ମାନେ ସେକ୍ଟର-୬୨ ସ୍ଥିତ କାରେଥମ୍ ଟାୱାରରେ ‘ଦୁବାଇ ଡ୍ରାଇ ଫ୍ରୁଟ୍ସ  ଆଣ୍ଡ ହବ୍’ ନାମରେ ଏକ ଫର୍ଜି କମ୍ପାନୀ ଖୋଲିଥିଲେ । ଆଉ ଏହି କମ୍ପାନୀର ଏମଡି ଓମ୍ ପ୍ରକାଶ ଜାଗିଡ ହୋଇଥିଲା ବେଳେ ମୋହିତ ଏହାର ପ୍ରମୋଟର ଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏମାନେ ଦେଶର ବିଭିନ୍ନ ଫାର୍ମରୁ ଡ୍ରାଇ ଫ୍ରୁଟ୍ସ , ଡାଲି, ତେଲ ଓ ମସଲା ଆଦି କିଣୁଥିଲେ । ଆଉ ଆଡଭାନ୍ସ ଭାବେ କିଛି ଟଙ୍କା ଦେଇ ଫାର୍ମ ସଞ୍ଚାଳକଙ୍କ ମନରେ ବିଶ୍ୱାସ ଜନ୍ମାଉଥିଲେ । ପରେ ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଉଠାଉଥିଲେ କିନ୍ତୁ ପେମେଣ୍ଟ କରୁନଥିଲେ ।

ତେବେ ପଚରାଉଚରା ବେଳେ ମୋହିତ କହିଛି ଯେ ସେମାନେ ହୋଲସେଲ୍ ବେପାରୀଙ୍କ ଠାରୁ ବଜାର ମୂଲ୍ୟରୁ ଅଧିକ ଦାମରେ ବିଭିନ୍ନ ସାମଗ୍ରୀ କିଣୁଥିଲେ । ପ୍ରତି ବଦଳରେ ସେମାନଙ୍କୁ ୪୦ ପ୍ରତିଶତ ଅର୍ଥ ଦେଉଥିବା ବେଳେ ବଳକା ଟଙ୍କା ପାଇଁ ଚେକ୍ ଦେଉଥିଲେ । ହେଲେ ପରେ ପେମେଣ୍ଡକୁ ଷ୍ଟପ୍ କରାଇ ଦେଉଥିଲେ ।

ପରବର୍ତ୍ତୀ ସମୟରେ ଦିଲ୍ଲୀ, ଗାଜିଆବାଦ, ଗୁଡଗାଁଓର ବିଭିନ୍ନ ମଣ୍ଡିରେ ତଥା ରିଟେଲର ବେପାରୀଙ୍କୁ ଶସ୍ତା ଦାମରେ ସାମଗ୍ରୀ ଗୁଡିକୁ ବିକ୍ରି କରୁଥିଲେ । ଆଉ ସେହି ଟଙ୍କାକୁ ପରସ୍ପର ମଧ୍ୟରେ ବାଣ୍ଟି ଦେଉଥିଲେ ।

Leave a Reply