କମିିଶନରେଟ ପୋଲିସର କଡ଼ା ନିର୍ଦ୍ଦେଶ, ଟ୍ୱିନ ସିଟିରେ ହେବନି ଗଣେଶ ପୂଜା

1 min read

ଭୁବନେଶ୍ୱର: କରୋନା ପାଇଁ ଫିକା ପଡିଲା ପର୍ବ ପର୍ବାଣୀ । କରୋନାକୁ ନିୟନ୍ତ୍ରଣରେ ଆଣିବାକୁ ସବୁ ପ୍ରକାର ପ୍ରୟାସ ମଧ୍ୟରେ ବଳିପଡ଼ିଯାଉଛି ସଂସ୍କୃତି । ସେ ମୁସଲମାନ ହୁଅନ୍ତୁ କି ହିନ୍ଦୁ, ସମସ୍ତଙ୍କ ସଂସ୍କୃତିକୁ ଫିକା କରିଛି କରୋନା । ପୂର୍ବରୁ ବିଭିନ୍ନ ପର୍ବପର୍ବାଣୀ ଉପରେ କରୋନା ମାଡ଼ ପଡ଼ିଥିବା ବେଳେ ଏବେ ବିଘ୍ନ ହରତା ଅଗ୍ରପୂଜ୍ୟ ଦେବତା ଗଣେଶଙ୍କ ପୂଜା କଟକଣା ଭିତରକୁ ଚାଲି ଆସିଛି । ଚଳିତ ବର୍ଷ ବିଭିନ୍ନ ପର୍ବପର୍ବାଣୀକୁ କଟକଣା ମଧ୍ୟରେ ପାଳିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏବେ ଗଣେଶ ପୂଜାକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ।

ଟ୍ୱିନ ସିଟିରେ ଗଣେଶ ପୂଜା ଉପରେ ରୋକ୍ ଲଗାଇଛି କମିଶନରେଟ ପୋଲିସ । ଏଥର ସର୍ବସାଧାରଣରେ ପାଳନ ହେବନି ବିଘ୍ନବିନାଶକଙ୍କ ପୂଜା । କୋଭିଡ ମହାମାରୀ ସ୍ଥିତି ନେଇ ପୂଜା ମଣ୍ଡପରେ ଚଳିତ ବର୍ଷ ପୂଜା ପାଇଁ ଅନୁମତି ଦିଆଯିବନି । ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । କେବଳ ସେତିକି ନୁହେଁ ଚଳିତ ବର୍ଷ ମୁମ୍ବାଇରେ ମଧ୍ୟ ପ୍ରସିଦ୍ଧ ଗଣେଶ ପୂଜା ପାଳନ ହେବ ନାହିଁ । ଏବଂ ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ସମସ୍ତଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛି ।

ଆପଣଙ୍କୁ କହି ରଖୁଛୁ ଯେ, ମୁମ୍ବାଇର ଗଣେଶ ପୂଜା ଭାରତ ପ୍ରସିଦ୍ଧ । ଏବଂ କରୋନା କାୟାରେ ସବୁଠୁ ଅଧିକ ପ୍ରଭାଭିତ ମୁମ୍ବାଇ ହିଁ ହୋଇଛି । ବର୍ତ୍ତମାନ ମହାରାଷ୍ଟ୍ରରେ ସର୍ବାଧିକ ରହିଛି ସଂକ୍ରମିତଙ୍କ ସଂଖ୍ୟା । ମହାରାଷ୍ଟ୍ରରେ ୫ଲକ୍ଷ ୪୮ହଜାର ୩୧୩ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୧୮ହଜାର ୬୫୦ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଛି ।

Leave a Reply