ଆମେରିକୀୟ ହିନ୍ଦୁଙ୍କୁ ପସନ୍ଦ ଆସିଲାନି କମଲାଙ୍କ ଦୁର୍ଗାବତାର ,ଟ୍ୱିଟ୍ କରି ଅଡୁଆରେ ଝିଆରି

1 min read

ଯୁକ୍ତରାଷ୍ଟ୍ର ଆମେରିକା: ଆମେରିକା ନିର୍ବାଚନରେ ଡେମୋକ୍ରେଟିକ ପାର୍ଟି ତରଫରୁ ଉପ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା କମଲା ହୈରିସଙ୍କ ବଢ଼ିଛି ଅଡ଼ୁଆ । ଭାରତୀୟ ବଂଶୋଦ୍ଭବ କମଲା ହୈରିସଙ୍କ ଝିଆରୀ ଏକ ଫଟୋ ଟ୍ୱିଟ କରିଥିଲେ ଯାହାକୁ ନେଇ ହିନ୍ଦୁ ସମ୍ପ୍ରଦାୟ ତାଙ୍କୁ କ୍ଷମା ମାଗିବା ପାଇଁ ଦାବି କରିଛି । ଟ୍ୱିଟରେ କମଲାଙ୍କୁ ମାଆ ଦୁର୍ଗାଙ୍କ ରୂପରେ ଦର୍ଶାଯାଇଥିବାବେଳେ ଡୋନାଲ୍ଟ ଟ୍ରମ୍ପଙ୍କୁ ମହିଷାସୁର ଏବଂ ବିଡେନଙ୍କୁ ମାଆ ଦୁର୍ଗାଙ୍କ ବାହନ ରୂପେ ଦର୍ଶାଯାଇଥିଲା ।

ତେବେ ଟ୍ୱିଟକୁ ନେଇ ବିଭିନ୍ନ ମହଲରୁ ନିନ୍ଦା କରିବାପରେ କମଲା ହୈରିସଙ୍କ ଝିଆରୀ ମୀନା ହୈରିସ ଟ୍ୱିଟକୁ ଡିଲଟ୍ କରିଦେଇଥିଲେ । ୩୫ ବର୍ଷିୟା ମୀନା ହୈରିସ ପେଶାରେ ଜଣେ ଓକିଲ ଅଟନ୍ତି ଏବଂ Phenomenon Women Action Campaignର ପ୍ରତିଷ୍ଠାତା ମଧ୍ୟ ଅଟନ୍ତି । ତେବେ କମଲା ହୈରିସଙ୍କ ସମର୍ଥନରେ ସେ ଲଗାତାର ଭାବେ ଟ୍ୱିଟ କରିଆସୁଛନ୍ତି ।

ଧାର୍ମିକ ଫଟୋକୁ ନେଇ ଦିଶା ନିର୍ଦ୍ଦେଶ

ମୀନାଙ୍କ ଏହି ଟ୍ୱିଟର ଜବାବ ଦେଇ ହିନ୍ଦୁ ଆମେରିକା ଫାଉଣ୍ଡେସନର ସୁହାଗ ଏ ଶୁକ୍ଲା ଲେଖିଛନ୍ତି ଯେ, ‘ଆପଣ ମାଆ ଦୁର୍ଗାଙ୍କ ଯେଉଁ ଫଟୋକୁ ସେୟାର କରିଛନ୍ତି ଏବଂ ସେଥିରେ ମାଆଙ୍କ ମୁହଁରେ ଅନ୍ୟ କାହାର ମୁହଁ ଯୋଡ଼ାଯାଇଛି, ଏଥିରେ ବିଶ୍ୱବ୍ୟାପି ହିନ୍ଦୁ ସମୁଦାୟର ଅନେକ ଲୋକ ବ୍ୟଥିତ ଅଟନ୍ତି । ’ ଏହା ବ୍ୟତୀତ Hindu Against Defamation ର ଅଜୟ ଶାହା ଏକ ବୟାନରେ କହିଛନ୍ତି ଯେ, ଏହି ଫଟୋଟି ଆପତ୍ତିଜନକ ଅଟେ ଏବଂ ଏଥିପାଇଁ ଧାର୍ମିକ ଅନୁଷ୍ଠାନ ମାନେ କ୍ଷୋଭ ପ୍ରକାଶ କରିଛନ୍ତି ।

ତେବେ ଆମେରିକାରେ ବାସ କରୁଥିବା ହିନ୍ଦୁମାନଙ୍କର ଏହି ସଂଗଠନ ଦେବତା କିମ୍ବା ଧର୍ମ ସହ ଜଡିତ କୌଣସି ଚିତ୍ରର ବ୍ୟବସାୟିକ ବ୍ୟବହାର ସମ୍ବନ୍ଧରେ ନିର୍ଦ୍ଦେଶ ଜାରି କରିଛି । ଅନ୍ୟପଟେ ଆମେରିକା ପଲିଟିକାଲ ଆକ୍ସନ କମିଟିର କହିବା ଅନୁଯାୟୀ ଏହି ଫଟୋ କମଲା ହୈରିସ ପ୍ରସ୍ତୁତ କରିନାହାନ୍ତି ଏବଂ ଏହା ପୂର୍ବରୁ ହ୍ୱାଟସଆପରେ ଭାଇରାଲ ହୋଇଥିଲା । ସେ ଏହାମଧ୍ୟ କହିଛନ୍ତି ଯେ, ବିଡେନଙ୍କ ନିର୍ବାଚନୀ ଅଭିଯାନରୁ ଜଣାପଡୁଛି ଯେ, ଏହି ଫଟୋଟି ତାଙ୍କ ତରଫରୁ ପ୍ରସ୍ତୁତ କରାଯାଇନାହିଁ ।

Leave a Reply