TRP Scamରେ Republic TV ! ବନ୍ଧା ହେଲେ ଦୁଇ ଚ୍ୟାନେଲର ମାଲିକ…

1 min read

ମୁମ୍ୱାଇ: ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମ ‘ ରିପବ୍ଲିକ ଟିଭି ’ ଟିଆରିପି( ଟେଲିଭିଜନ ରେଟିଂ ପଏଣ୍ଟ୍) ସ୍କାମରେ ଛନ୍ଦି ହୋଇଛି । ଏହି ମାମଲାରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସେମାନଙ୍କୁ କୋର୍ଟ ଚାଲାଣ କରିଥିଲା । ଏବେ କୋର୍ଟ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ ପୋଲିସ ହେଫାଜତକୁ ଦେଇଛି । ଅଭିଯୋଗ ଅନୁଯାୟୀ, ପୋଲିସ ଦୁଇ ଅଭିଯୁକ୍ତଙ୍କଠାରୁ ଯଥାକ୍ରମେ ୨୦ ଲକ୍ଷ ଓ ୮.୫ ଲକ୍ଷ ଟଙ୍କା ଜବତ କରିଛି । ତେବେ କେବଳ ରିପବ୍ଲିକ ଟିଭି ନୁହେଁ ମୁମ୍ୱାଇ ପୋଲିସ ଫକଥ୍ ମରାଠୀ ଓ ବକ୍ସ ସିନେମା ଭଳି ଦୁଇ ଟିଭି ଚ୍ୟାନେଲ ମାଲିକଙ୍କୁ ଗିରଫ କରିସାରିଛି । ତେବେ ଏସବୁ ଆଞ୍ଚଳିକ ସ୍ତରର ଚ୍ୟାନେଲ ହୋଇଥିବା ବେଳେ ରିପବ୍ଲିକ୍ ଟିଭି ଏକ ଜାତୀୟ ସ୍ତରର ଆଗଧାଡ଼ିର ଚ୍ୟାନେଲ । ବିଶେଷ ଭାବେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ବିବାଦରେ ରିପବ୍ଲିକ୍ ଟିଭିର ଟିଆରପି ଆଖି ଦୃଶିଆ ଭାବେ ବଢିଥିଲା ।

 

ବିବାଦ ଓ ଆରୋପ କଣ ?

ମୁମ୍ୱାଇ ସହରର କମିଶନର ପରମବୀର ସିଂହଙ୍କ କହିବା ଅନୁଯାୟୀ, ମୁମ୍ୱାଇ ସହରରେ ଟିଆରପି ନିୟନ୍ତ୍ରଣ କରିବା ପାଇଁ ୨ ହଜାର ବାରୋମିଟର ବ୍ୟବହାର କରାଯାଉଛି । ଟିଆରପି ହିସାବ-ନିକାସ ରଖୁଥିବା BARC ଦ୍ୱାରା ଏହି ବାରୋମିଟର ମନିଟର ହୋଇଥାଏ । ବିଶେଷ ଭାବେ ଏହି ସଂସ୍ଥା ଟିଆରପି କ୍ଷେତ୍ରରେ ସ୍ୱଚ୍ଛତା ରକ୍ଷା କରିବା ସହ ଟିଭି ଦର୍ଶକଙ୍କ ଚାହିଦା ଉପରେ ନଜର ରଖିଥାଏ । ତେବେ ସାଧାରଣତଃ ଟିଆରପି ରେଟ୍ କରିବା ଦ୍ୱାରା ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ସଂସ୍ଥାର ଲୋକପ୍ରିୟତା ଜଣାପଡ଼ିଥାଏ । BARC ଦେଶରେ ଥିବା ଟିଭି ଦର୍ଶକଙ୍କ ଟିଭି ଦେଖାର ଚାହିଦା ହିସାବରେ ଭିନ୍ନ ଭିନ୍ନ ଟିଭି ଚ୍ୟାନେଲକୁ ଟିଆରପି ଦେଇଥାଏ । ଏଭଳି ହେବା ଦ୍ୱାରା ଟିଭି ଚ୍ୟାନେଲ ନିଜ ଲୋକପ୍ରିୟତା ସମ୍ପର୍କରେ ଜାଣିବା ସହ ଆଗାମୀ ସମୟରେ କେଉଁ ଭଳି ଭାବେ ଲୋକଙ୍କ ପାଖରେ ଅଧିକ ସକ୍ରିୟ ଭାବେ ପହଞ୍ଚିପାରିବ ସେନେଇ ଯୋଜନା ବନାଇଥାଏ ।

ରିପବ୍ଲିକ୍ ଟିଭି ଉପରେ ଆରୋପ କଣ ?

ମୁମ୍ୱାଇ ମହାନଗର ନିଗମ କମିଶନରଙ୍କ କହିବା କଥା ଯେ, ରିପବ୍ଲିକ୍ ଟିଭି ସପକ୍ଷରେ ଦର୍ଶକ ପ୍ରସ୍ତୁତ କରିବା ପାଇଁ ଲୋକଙ୍କୁ ଟଙ୍କା ଯୋଗାଇ ଦିଆଯାଇଛି । ଟିଭିରେ କେଉଁ ଭଳି ଭାବେ ସବୁ ସମୟରେ ରିପବ୍ଲିକ୍ ଚ୍ୟାନେଲର ପ୍ରସାରଣ ହେବ ସେଥିପାଇଁ ରିପବ୍ଲିକ୍ ଚ୍ୟାନେଲ ଲୋକଙ୍କୁ ଲାଞ୍ଚ ଦେଇଛି । ପରିବାରର କୌଣସି ସଦସ୍ୟ ଘରେ ନଥିବା ବେଳେ କିମ୍ୱା ଟିଭି ନଦେଖୁଥିବା ବେଳେ ମଧ୍ୟ ଟିଭିରେ ରିପବ୍ଲିକ ଚ୍ୟାନେଲର ପ୍ରସାରଣ କରିବା ପାଇଁ ଅନେକ ଲୋକଙ୍କୁ ଅର୍ଥ ଦିଆଯାଇଛି । ଏଭଳି ହେବା ଦ୍ୱାରା ରିପବ୍ଲିକ ଟିଭିର ଟିଆରପି ବଢିଛି ଓ ଏହା ଆଇନ ସଙ୍ଗତ ନୁହେଁ । ଉଲ୍ଲେଖଯୋଗ୍ୟ, BARC ମଧ୍ୟ ଏଭଳିୁ ଅଭିଯୋଗର ସତ୍ୟତାକୁ ସମ୍ପୂର୍ଣ୍ଣ ଭାବେ ଗ୍ରହଣ ନକଲେ ମଧ୍ୟ ଏନଇ ତଥ୍ୟ ଦାଖଲ କରିଛି । BARC ସିଷ୍ଟମରୁ ଜଣା ପଡିଥିଲା ଯେ, କିଛି ପରିବାରର ଟିଭିର ୨୪ ଘଣ୍ଟିଆ ପ୍ରସାରଣ ଉପରେ ନଜର ରଖିଥିଲା । ଯେଉଁଥିରୁ ଜଣାପଡିଥିଲା କିଛି ଟିଭିରେ ଦିନରାତି ୨୪ ଘଣ୍ଟା କେବଳ ରିପବ୍ଲିକ୍ ଚ୍ୟାନେଲର ପ୍ରସାରଣ ହେଉଥିଲା ।

ପୋଲିସର ଆଗାମୀ ପଦକ୍ଷେପ କଣ ରହିବ ?

କ୍ରାଇମବ୍ରାଞ୍ଚ ଘଟଣାକୁ ଗୁରୁତର ସହ ନେବା ସହ ଆଗାମୀ ଦିନରେ ରିପ୍ଲବିକ୍ ଟିଭିର କର୍ମକର୍ତ୍ତାଙ୍କୁ ସମନ ନୋଟିସ ପଠାଇବା ନେଇ ସ୍ପଷ୍ଟତା ରଖିଛନ୍ତି । ଅଭିଯୁକ୍ତମାନଙ୍କୁ ଜେରା କରିବା ପରେ ଟିଭି ସଂସ୍ଥାର କର୍ମକର୍ତ୍ତାମାନଙ୍କଠାରୁ ସଫେଇ ନେବା ପାଇଁ ଡକାଯିବ । ଆମେ ପ୍ରାଥମିକ ପର୍ଯ୍ୟାୟ ଜେରା ଶେଷ କରିବା ପୂର୍ବରୁ ପ୍ରତ୍ୟେକ ସଂଶ୍ଲିଷ୍ଟ ବ୍ୟକ୍ତିଙ୍କୁ ଜେରା କରିବାକୁ ଚାହୁଁଛୁ । କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ଯେ, ସାଧାରଣତଃ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟମୂଳକ ଭାବେ ପ୍ରଚାରପ୍ରସାର କରି ଟିଆରିପି ହାସଲ ପାଇଁ ଟିଭି ଚ୍ୟାନେଲମାନେ ପ୍ରଚେଷ୍ଟା କରିଥାନ୍ତି । ବିଗତ ଦିନରେ ଏଭଳି ଘଟଣାକୁ ଆମେ ଲୋକଲୋଚନକୁ ମଧ୍ୟ ଆଣିଛୁ । ମାତ୍ର ଏଥରର ଘଟଣା ଭିନ୍ନ । BARC ସିଷ୍ଟମକୁ ବ୍ୟବହାର କରି ହୋଇଥିବା ଏହି ସ୍କାମ ବଡଧରଣର ଅଟେ । ଏଣୁ ଏହି ସ୍କାମ ପଛରେ ଯିଏ ଥାଉନା କାହିଁକି ଘଟଣାର ସବିଶେଷ ତଥ୍ୟ ଏକାଠି କରିବା ପାଇଁ ପୋଲିସ ପ୍ରୟାସ କରିବ ।

Leave a Reply