ବିଶ୍ୱ ଦେଖିଲା ସେନାର ସାହସ, ଶୌର୍ଯ୍ୟ ଓ ପରାକ୍ରମ… ପ୍ରଜ୍ଞାପନ ମେଢରେ ଦେଶର ସାଂସ୍କୃତିକ ବିବିଧତାର ଝଲକ

2 min read

ନୂଆଦିଲ୍ଲୀ: ଆଜି ୭୨ତମ ସାଧାରଣତନ୍ତ୍ର ଦିବସ ପାଳୁଛି ଭାରତ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜାତୀୟ ଯୁଦ୍ଧ ସ୍ମାରକୀରେ ପହଞ୍ଚି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ତିନି ସେନାର ମୁଖ୍ୟ ଉପସ୍ଥିତ ଥିଲେ । ଗଣତନ୍ତ୍ର ଦିବସରେ ରାଜପଥରେ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ପତାକା ଉତ୍ତୋଳନ ବେଳେ ପ୍ରଧାନମନ୍ତ୍ରୀ ମୋଦି ଉପସ୍ଥିତ ରହିଥିଲେ । ପତାକା ଉତ୍ତୋଳନ ପରେ ଆରମ୍ଭ ହୋଇଛି ପରେଡ୍‌ । ପରେଡରେ ସାରା ବିଶ୍ୱକୁ ନିଜର ଶକ୍ତି ଓ ସାମର୍ଥ୍ୟ ଦେଖାଉଛି ଭାରତ।

ପ୍ରଥମ ଥର ଲାଗି ଯୁଦ୍ଧ ବିମାନ ରାଫେଲ୍‌ ପରେଡ୍‌ରେ ସାମିଲ ହୋଇଥିବା ବେଳେ ଦମ୍ ଦେଖାଇଛି ମିଗ୍‌-୨୯ । ତେବେ ଗତ ୫ ଦଶନ୍ଧିରେ ପ୍ରଥମ ଥର ପାଇଁ ଚଳିତବର୍ଷ ଦିଲ୍ଲୀରେ ବିନା ମୁଖ୍ୟ ଅତିଥିରେ ପରେଡ ଅନୁଷ୍ଠିତ ହେଉଛି। ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ବିଗତ ବର୍ଷଗୁଡ଼ିକ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଅତିଥି ଓ ଦର୍ଶକଙ୍କ ସଂଖ୍ୟା ଦୁଇ ତୃତୀୟାଂଶ କମ୍‌ କରାଯାଇଥିଲା ।

ପରେଡରେ ମାତ୍ର ୪ଟି ସ୍କୁଲର ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଛନ୍ତି । ଏଥିରେ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଚଳିତବର୍ଷ ୧୫ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ପରେଡ ସ୍ଥଳକୁ ଅନୁମତି ଦିଆଯାଇ ନ ଥିଲା। ପରେଡ୍‌ ପରେ ୧୭ଟି ରାଜ୍ୟ ଓ ୯ଟି ମନ୍ତ୍ରଣାଳୟର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଥିଲା ।

Leave a Reply