ନବୀକରଣ ହେବ ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପ, ଉତ୍ପାଦିତ ହେବ ୧୫୦ ମେଗାୱାଟ

1 min read

ଭୁବନେଶ୍ୱର: ନବୀକରଣ ହେବାକୁ ଯାଉଛି ଓଡିଶା ଆନ୍ଧ୍ର ମାଛକୁଣ୍ଡ ଯୁଗ୍ମ ଜଳ ବିଦ୍ୟୁତ ପ୍ରକଳ୍ପ। ଦୀର୍ଘ ୬୫ ବର୍ଷ ପରେ ଉଭୟ ଓଡିଶା ଓ ଆନ୍ଧ୍ରପ୍ରଦେଶ ସରକାର ବିଦ୍ୟୁତ ପ୍ରକଳ୍ପର ନବୀକରଣ ନିମନ୍ତେ ସହମତି ପ୍ରକାଶ କରିଛନ୍ତି ।

ଏଥିନିମନ୍ତେ ୫୦ ପ୍ରତିଶତ ଲେଖାଏଁ ଖର୍ଚ୍ଚ କରିବା ପାଇଁ ଚୁକ୍ତି ହୋଇଥିବା ବେଳେ ବିଦ୍ୟୁତ ପ୍ରକଳ୍ପର ନବୀକରଣ ପରେ ଅଧିକ ୩୦% ବିଦ୍ୟୁତ ଉତ୍ପାଦନ ହେବା ନେଇ ଯୋଜନା ରହିଛି।

ଓଡିଶା-ଆନ୍ଧ୍ର ସୀମାନ୍ତରେ ରହିଥିବା ଏହି ବିଦ୍ୟୁତ ପ୍ରକଳ୍ପରୁ ୧୯୫୫ ମସିହାରେ ବିଦ୍ୟୁତ ଉତ୍ପାଦନ କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରକଳ୍ପର ୬ଗୋଟି ଟରବାଇନରୁ ୧୨୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରାଯାଉଛି । ଏହି ପ୍ରକଳ୍ପରୁ ଉତ୍ପାଦିତ ବିଦ୍ୟୁତର ୨୫ ପ୍ରତିଶତ ଓଡିଶା  ଓ ଆନ୍ଧ୍ର ସରକାର ୭୦ ପ୍ରତିଶତ ଲେଖାଏଁ ବ୍ୟବହାର କରି ଆସୁଛନ୍ତି। ଇତି ମଧ୍ୟରେ ୬୫ ବର୍ଷ ବିତିଯାଇଥିବା ବେଳେ ଧୀରେ ଧୀରେ ପ୍ରକଳ୍ପରୁ ବିଦ୍ୟୁତ ଉତ୍ପାଦନ ମଧ୍ୟ ହ୍ରାସ ପାଇବାରେ ଲାଗିଛି।

୬ ଗୋଟି ଟରବାଇନ ମଧ୍ୟରୁ ୨ଟି ଟରବାଇନ ଅଚଳ ହୋଇପଡି ଥିବା ବେଳେ ୪ଟି ଟରବାଇନରୁ ବିଦ୍ୟୁତ ଉତ୍ପାଦନ କରାଯାଉଛି । ବିଦ୍ୟୁତ ପ୍ରକଳ୍ପ  ପୁରାତନ ହୋଇଥିବାରୁ ଏହାର ଯନ୍ତ୍ରାଂଶ ଗୁଡିକ ଖରାପ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଉଭୟ ଓଡିଶା ଓ ଆନ୍ଧ୍ର ସରକାର ପ୍ରକଳ୍ପର ନବୀକରଣ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି । ଯାହା ଅଞ୍ଚଳବାସୀ ଏବଂ କର୍ମଚାରୀମାନଙ୍କ ପାଇଁ ଖୁସିଖବର ବୋଲି କହିଛନ୍ତି ଜଳାପୁଟ ଡିଭିଜନର ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଆଦିତ୍ୟ ସାମନ୍ତରାୟ ।

ସେହିପରି ପ୍ରକଳ୍ପର ନବୀକରଣ ପରେ ୧୨୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ କ୍ଷମତା ପରିବର୍ତ୍ତେ ୧୫୦ ମେଗାୱାଟ ଉତ୍ପାଦନ ହାେଇପାରିବ।ବିଦ୍ୟୁତ ପ୍ରକଳ୍ପର ନବୀକରଣ ନିମନ୍ତେ ୫ଶହ କୋଟି ଟଙ୍କା ଅର୍ଥ ମଞ୍ଜୁର ହୋଇସାରିଛି। ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ଏହି କାର୍ଯ୍ୟ ଆରମ୍ଭ କରାଯିବାକୁ ଥିବା ବେଳେ ବିଦ୍ୟୁତ ପ୍ରକଳ୍ପର ନବୀକରଣ କାର୍ଯ୍ୟ ଶେଷ ହେବାକୁ ପ୍ରାୟ ୨ରୁ ୩ ବର୍ଷ ଲାଗିବ ବୋଲି ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପ ଅଧିକ୍ଷଣ ଯନ୍ତ୍ରୀ ପ୍ରକାଶ କରିଛନ୍ତି ।

Leave a Reply