ପରାଜୟ ଭୟରେ ପୂଜାର୍ଚ୍ଚନାରେ ଲାଗିଛନ୍ତି ଡୋନାଲ୍ଡ ଟ୍ରମ୍ପ୍…

1 min read

ଆମେରିକା ରାଷ୍ଟ୍ରପତି ରେସରେ ଡେମୋକ୍ରାଟ୍ ଦଳର ପ୍ରାର୍ଥୀ ଜୋ ବାଇଡନ, ରପବ୍ଲିକନ୍ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ଯଥେଷ୍ଟ ପଛରେ ପକାଇ ସାରିଲେଣି । ଫଳାଫଳ ଘୋଷଣା ପୂର୍ବରୁ ଜୋ ବାଇଡନଙ୍କ ସପକ୍ଷରେ ଜନମତ ଯିବା ନେଇ ଚର୍ଚ୍ଚା ଜୋର ଧରୁଛି । ତେବେ ଯଦି ଉଭୟ ଦଳର ବର୍ତ୍ତମାନର ଫଳାଫଳ ଦେଖିବା ତେବେ, ବାଇଡନଙ୍କ ହାତରେ ୨୬୪ଟି ଆସନ ଥିବା ବେଳେ ଟ୍ରମ୍ପ ଏଯାବତ୍ ୨୧୪ ଆସନ ହାତେଇଛନ୍ତି । ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବାକୁ ହେଲେ ମ୍ୟାଜିକ୍ ନମ୍ୱର ୨୭୦କୁ ଛୁଇଁବାକୁ ପଡ଼ିବ । ତେବେ ନିଜ ବିଫଳତା ଆଶଙ୍କାରେ ଡୋନାଲ୍ଡ ଟ୍ରମ୍ପ ଏକ ଧର୍ମସଭାର ଆୟୋଜନ କରିଥିବା ସୂଚନା ମିଳିଛି ।

 

ଧର୍ମ ଉପରେ ପ୍ରଗାଢ ବିଶ୍ୱାସ ରଖୁଥିବା ଟ୍ରମ୍ପ ଏବେ ଇଶ୍ୱରଙ୍କ ପାଖରେ ନିଜ ବିଜୟ ପାଇଁ ପ୍ରାର୍ଥନା କରିବାରେ ଲାଗିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷ ଦୁର୍ବଳ ହେବା ଭଳି ମନେ ହେବା ପରେ ସେ ନିଜ ଧାର୍ମିକ ପରାମର୍ଶଦାତା ପଲ୍ ହ୍ୱାଇଟଙ୍କ ପରାମର୍ଶ ଲୋଡିଥିଲେ । ପଲଙ୍କ ପରାମର୍ଶ କ୍ରମେ ଏକ ଧର୍ମସଭାର ଆୟୋଜନ ହୋଇଥିଲା, ଯେଉଁଥିଲେ ପଲ୍ କହୁଛନ୍ତି- ମୁଁ ବିଜୟକୁ ଶୁଣିପାରୁଛି । ଇଶ୍ୱର କହୁଛନ୍ତି, ବିଜୟ ମିଳି ସାରିଲାଣି । ମୋତେ ବିଜୟ, ବିଜୟ ଓ ବିଜୟ ବୋଲି ଶଦ୍ଧ ଶୁଣାଯାଉଛି । ତେବେ ଭାଇରାଲ ହେଉଥିବା ଭିଡଓରେ ଟ୍ରମ୍ପଙ୍କ ବିଜୟ ପାଇଁ ଧର୍ମସଭାରେ ସାମୂହିକ ପ୍ରାର୍ଥନା ହେଉଥିବା ଦେଖିବାକୁ ମିଳିଛି । ଟ୍ରମ୍ପଙ୍କ ଧର୍ମୀୟ ପରାମର୍ଶଦାତା ପଲ୍ ଆହୁରି ମଧ୍ୟ କହିଛନ୍ତି ଯେ, ବିଜୟ ଅତି ନିକଟତର ଓ ଏହା ଖୁବ୍ ଶୀଘ୍ର ହାସଲ ହେବ ।

ମୋତେ ବିଜୟର କମ୍ପନ ଅନୁଭବେ ହେବା ଆରମ୍ଭ ହୋଇ ଗଲାଣି । ଯୀଶୁଙ୍କର ମଧ୍ୟ ସମାନ ଇଚ୍ଛା ଯେ ଟ୍ରମ୍ପଙ୍କର ବିଜୟ ହେଉ । ତେବେ ନିଜ ଅଭିଭାଷଣରେ ସେ ପ୍ରାର୍ଥନା କରିବା ସହ ଲାଟିନ୍ ଭାଷାରେ ମଧ୍ୟ କିଛି କହୁଥିବା ଦେଖିବାକୁ ମିଳିଛି । ସେହିଭଳି ଟ୍ରମ୍ପଙ୍କ ବିଜୟକୁ ନିଶ୍ତିଚ କରିବା ପାଇଁ ଏକ ଆଫ୍ରିକୀୟ ଦେବଦୂତ ମଧ୍ୟ ଆସିଛନ୍ତି ବୋଲି ସେ କହିଛନ୍ତି । ତେବେ ଗୋଟିଏ ପକ୍ଷରେ ଟ୍ରମ୍ପଙ୍କର ଏହି ଧର୍ମୀୟ ପରାମର୍ଶଦାତାଙ୍କର ହାଇଡ୍ରାମା ଚାଲୁଥିବା ବେଳେ ଟ୍ରମ୍ପ ଏକପ୍ରକାର ଅସ୍ତ୍ର ଫୋପାଡି ସାରିଥିବା ଭଳି ମନେ ହେଉଛି । ସେ ନିର୍ବାଚନରେ ଧୋକା ହୋଇଥିବା ଓ ବେଆଇନ ଭାବେ ଭୋଟ ଦାଖଲ ହୋଇଥିବା ଅଭିଯୋଗ ଡେମୋକ୍ରାଟ୍ ଦଳ ଉପରେ ଲଦିଛନ୍ତି । ସୁପ୍ରିମ୍ କୋର୍ଟର ଦ୍ୱାରସ୍ଥ ହୋଇ ଉକ୍ତ ନିର୍ବାଚନୀ କ୍ଷେତ୍ରରେ ଭୋଟ ଗଣତି ପ୍ରକ୍ରିୟାକୁ ତୁରନ୍ତ ରଦ୍ଧ କରିବା ପାଇଁ ସେ ନିବେଦନ କରିଛନ୍ତି ।

Leave a Reply