କୋଭିଡ ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ଡାକ୍ତରଙ୍କ ହାତ ଭାଙ୍ଗିଦେଲେ ସଂପର୍କୀୟ

ବଲାଙ୍ଗୀର: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ କୋଭିଡ ଆଇସୋଲେସନ୍ ୱାର୍ଡରେ ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି ।  ଡାକ୍ତରଖାନାରେ ଭଙ୍ଗାରୁଜା ସହ ରୋଗୀଙ୍କ ସମ୍ପର୍କୀୟ ମାନେ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । କେବଳ ସେତିକି ନୁହେଁ ଲୁହା ରଡରେ ଆକ୍ରମଣ ହେବାରୁ ଡାକ୍ତର ସୀମାଞ୍ଚଳ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି ।

ମୃତ ରୋଗୀଙ୍କ  ଘର ବିଷ୍ଣୁମୁଣା ଗାଁ ବୋଲି ଜଣାପଡିଛି । ଘଟଣାକୁ ନେଇ ମୃତକଙ୍କ ପରିବାର ଲୋକେ ହୋହଲ୍ଲା କରିଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି ।

ସୂଚନା ଅନୁଯାୟୀ ବଲାଙ୍ଗିରର ବିଷ୍ଣୁମୁଡ଼ା ଗାଁର ଜିତୁ ସୁନା ନାମକ ବ୍ୟକ୍ତିଙ୍କୁ ଆଇସୋଲେସନ ୱାର୍ଡକୁ ନିଆଯାଇଥିଲା । ପରିବାର ଲୋକଙ୍କ କହିବାନୁଯାୟୀ ଜିତୁ ସକାଳେ ସୁସ୍ଥ ଥିଲେ । ଆଇସୋଲେସନ ୱାର୍ଡରେ ତାଙ୍କର କୋଭିଡ ପରୀକ୍ଷା ହୋଇଥିଲା କିନ୍ତୁ ରିପୋର୍ଟ ଆସିନଥିଲା । ତେବେ ଡାକ୍ତର ଏବଂ ନର୍ସ ମାନଙ୍କ ଅବହେଳା ଯୋଗୁଁ ଜିତୁଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ମୃତ୍ୟୁ ପରେ ପରିବାର ଲୋକେ ଡାକ୍ତରଖାନା ପରିସରରେ ହଙ୍ଗାମା ଆରମ୍ଭ କରିଦେଇଥିଲେ । ଏମିତିକି ସେଠାରେ ଥିବା ଡାକ୍ତରଙ୍କୁ ପ୍ରାୟ ୧୦ରୁ ୧୨ ଜଣ ବ୍ୟକ୍ତି ମିଶି ଲୁହା ରଡରେ ଆକ୍ରମଣ କରିଥିଲେ । ଜଣେ ସୁରକ୍ଷକର୍ମୀ ଥିବାରୁ ସେମାନଙ୍କୁ କାବୁ କରିବା କଷ୍ଟସାଧ୍ୟ ହୋଇପଡ଼ିଥିଲା । ଆକ୍ରମଣରେ ଡାକ୍ତରଙ୍କର ହାତ ଭାଙ୍ଗିଯାଇଥିବା ସୂଚନା ମିଳିଛି ।

ଲୋକଙ୍କ ଉତ୍ତେଜନା ଏଯାଏଁ ଥମିନଥିବା ଯୋଗୁଁ ବରିଷ୍ଠ ପୋଲିସକର୍ମୀ ମାନେ ସେଠାରେ ଉପସ୍ଥିତ ରହି ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି । ଉତ୍ତେଜନା ଥମିବା ପରେ ଆକ୍ରମଣକାରୀଙ୍କୁ  ଚିହ୍ନଟ କରି ଗିରଫ କରାଯିବ । ଏହି ଅଭାବନୀୟ ଘଟଣା ପରେ ବଲାଙ୍ଗିଲ ଭିମଭୋଇ ଡାକ୍ତର ସଂଘ ଧାରଣାରେ ବସିଛନ୍ତି । ଅଭିଯୁକ୍ତମାନଙ୍କୁ ଗିରଫ କରାନଗଲେ କାର୍ଯ୍ୟ ଆନ୍ଦୋଳନ କରିବେ ବୋଲି ଡାକ୍ତରମାନେ କହିଛନ୍ତି ।

ଅନ୍ୟପଟେ ମୃତ ଜିତେନ୍ଦ୍ରଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ଡାକ୍ତର ଠିକ ସମୟରେ ରୋଗୀର ଚିକିତ୍ସା ନକରିବାରୁ ତାର ମୃତ୍ୟୁ ହୋଇଛି  । ଡାକ୍ତର ଏବଂ ନର୍ସଙ୍କୁ ସସପେଣ୍ଡ କରିବା ପାଇଁ ପରିବାର ଲୋକ ଦାବି କରିଛନ୍ତି ।

Leave a Reply