୧୦ ଲକ୍ଷ ଲୋକ ଭିତରେ ଶବ ଖୋଜିଲା ଚାରିକାନ୍ଧ, ଆସିଲେନି ସମ୍ପର୍କୀୟ

ଭୁବନେଶ୍ୱର: ଦିଲ୍‌ ନାହିଁ ଭୁବନେଶ୍ୱରର । ସହରିଆଙ୍କ ମନରୁ ଯେମିତି ମେଲାଣି ନେଲାଣି ମାନବିକତା । ରାଜଧାନୀରୁ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଅମାନବିକତାର କାହାଣୀ । ଯାହା ଆମକୁ ପ୍ରଶ୍ନ ପଚାରିବାକୁ ବାଧ୍ୟ କରୁଛି ଯେ, ଲକ୍‌ଡାଉନ୍‌ ସହ ସଟ୍‌ଡାଉନ୍‌ ହୋଇଗଲାଣି କି ସମ୍ପର୍କ ? କିଛିଦିନ ତଳେ ଜଣେ ଝିଅ ବାପାଙ୍କ ଶବକୁ ଧରି ରାତି ସାରା ବୁଲିଥିଲା ରାଜଧାନୀରେ । ଆଉ ୟେ ହେଉଛି ଜଣେ ମହିଳା ପ୍ରଫେସରଙ୍କ କାହାଣୀ । ଯାହାଙ୍କ ମୃତ୍ୟୁ ପରେ ଶ୍ମଶାନ ନେବାକୁ ଆସିନଥିଲେ ସମ୍ପର୍କୀୟ । ହୁଏତ ସଂକ୍ରମଣର ଭୟରେ ସମ୍ପର୍କୀୟ ଆସି ନଥିଲେ । କିନ୍ତୁ ଅଚିହ୍ନା ଅପରିଚିତ ସାଜିଥିଲେ ମାଲଭାଇ । ଆଉ ବିଦେଶରେ ରହୁଥିବା ପୁଅଝିଅଙ୍କ ପାଇଁ ଲୁହ ଝରାଇବା ବ୍ୟତୀତ ଆଉ କିଛି ବାଟ ନଥିଲା ।

ରାଜଧାନୀର ୧୦ ଲକ୍ଷ ଲୋକଙ୍କ ଭିତରୁ ଏଠି ଶବ ଖୋଜୁଥିଲା ଚାରିକାନ୍ଧ । ଶ୍ମଶାନର ବାଟ ଧରିବାକୁ କୋକେଇ ଖୋଜୁଥିଲା ସମ୍ପର୍କୀୟଙ୍କୁ । ମାଲଭାଇଙ୍କୁ ଖୋଜୁଥିଲା ଜଣେ ବିଧବା ମଲା ମାଆ । ଯେବେ ଏକ ଅନିଶ୍ଚିତ ମୃତ୍ୟୁ ଭୟରେ ନିଜଲୋକ ମୁହଁ ମୋଡ଼ିଦେଲେ । ସେତେବେଳେ ଅଚିହ୍ନା ଅପରିଚିତଙ୍କୁ ମୁହଁରୁ ଶୁଭିଥିଲା ରାମ୍‌ ନାମ୍‌ ସତ୍ୟ ହେ । ଜଳିଥିଲା ପ୍ରଫେସର ସବିତା ଦାସଙ୍କ ଚିତା ।

ଅବସରପ୍ରାପ୍ତ ଅଧ୍ୟାପିକା ସବିତା ଦାସ । ବଡ଼ଝିଅ ବାହାରିନ୍‌ରେ । ସାନଝିଅ ଓ ପୁଅ ନିଜ ନିଜ ସଂସାର ନେଇ ରୁହନ୍ତି ଆମେରିକାରେ । ରାହା ଧରି କାନ୍ଦୁଥିବା ଏ ଦୁହେଁ ଥିଲେ ସବିତାଙ୍କ ପାଇଁ ସବୁକିଛି । କେୟାରଟେକର ଭାବେ କିଛିଦିନର ସମ୍ପର୍କ । ହେଲେ, ଇଏ କିନ୍ତୁ ଥିଲେ ସବିତାଙ୍କ ଶେଷ ଯାତ୍ରାର ସାକ୍ଷୀ ।

ସେ ଦିନ ଥିଲା ସାବିତ୍ରୀ ବ୍ରତ । ବିଦେଶରେ ସଧବା ଝିଅ ଓ ବୋହୁ ମଥାରେ ସିନ୍ଦୁର ନାଈ ଭିଡିଓ କଲ୍‌ରେ ମାଆଙ୍କ ଠାରୁ ନେଇଥିଲେ ଆଶୀର୍ବାଦ । ହେଲେ, ଅପରାହ୍ଣରେ ହଠାତ୍‌ ହୃଦଘାତରେ ଚାଲି ଯାଇଥିଲା ଏକାକୀ ରହୁଥିବା ମାଆର ଜୀବନ । ବିଦେଶରେ ଲକ୍‌ଡାଉନ୍‌ରେ ପୁଅଝିଅ । ଆଉ ଏଠି ଲକ୍‌ଡାଉନ୍‌ରେ ମୃତଦେହ । କିଏ ଦେବ ମୁଖାଗ୍ନି । କେମିତି ହେବ ଶେଷକୃତ୍ୟ । ଫୋନ୍‌ ପରେ ଫୋନ୍‌ । ହେଲେ କେହି ବି ସମ୍ପର୍କୀୟ ଆସି ନଥିଲେ ଶେଷ ଦର୍ଶନ ପାଇଁ । ଆଉ ଯେଉଁମାନେ ଆସିଲେ ସଂକ୍ରମଣ ଭୟରେ ଛୁଇଁ ନଥିଲେ ଶବକୁ । ଶେଷରେ କିଛି ସ୍ୱେଚ୍ଛାସେବୀଙ୍କୁ ନେଇ ମୃତ ସବିତାଙ୍କ ଘରେ ପହଞ୍ଚିଥିଲେ ପୂର୍ବତନ କର୍ପୋରେଟର ଅମରେଶ ଜେନା । ରକ୍ତ ସମ୍ପର୍କୀୟ ସିନା ଅଚିହ୍ନା ପାଲଟିଥିଲେ । ହେଲେ ଅଚିହ୍ନା କିନ୍ତୁ ନିଜର ଭାବି ଦେଇଥିଲେ ମୁଖାଗ୍ନି ।

ସୁନାର ସଂସାରରେ ଏବେ ଶ୍ମଶାନର ନିରବତା । ପୁଅଝିଅ ବିଦେଶରୁ ଫେରିଲେ ଘରର ଚାବି ଦେଇ ଫେରିଯିବାକୁ ଅପେକ୍ଷା କରିଛନ୍ତି ମଧୁ ଓ ମଞ୍ଜୁ । ଥାକ ଥାକ ବହି ଖୋଜୁଛନ୍ତି ନିଜ ପ୍ରିୟ ପାଠିକାଙ୍କୁ । ଦିନେ ଅନ୍ୟର ସ୍ମୃତିରେ ସବିତା ଲେଖୁଥିଲେ ଶେଷକଥା । ହେଲେ ଆଜି କିନ୍ତୁ ତାଙ୍କ ଶେଷ କଥା ଲେଖିବାକୁ ପାଖରେ କେହି ନାହିଁ ।

ମାଆଙ୍କ ମୃତ୍ୟୁ ପରେ ମାଇଲ୍‌ ମାଇଲ୍‌ ଦୂରରୁ ଝୁରୁଛି ପୁଅଝିଅଙ୍କ ଲୁହ । ହେଲେ ସାବିତ୍ରୀ ଶବ ପାଲଟିଯିବା ପରେ ଆତ୍ମୀୟ ଅଚିହ୍ନା ହୋଇଯିବା, ମଣିଷପଣିଆକୁ କାଠଗଡ଼ାରେ ଛିଡ଼ା କରିଛି । ସଂକ୍ରମଣ ଥମିଯିବ । ଲକ୍‌ଡାଉନ୍‌ ଉଠିଯିବ । ଜୀବନଯାତ୍ରା ସ୍ୱାଭାବିକ ହୋଇଯିବ । ହେଲେ ଯେଉଁ ସମ୍ପର୍କର ଭରସାରେ ପୁଅଝିଅ ମାଆକୁ ଏକାକି ଛାଡ଼ି ଥିଲେ । ସେ ଭାଙ୍ଗି ଯାଇଥିବା ଭରସାକୁ କିଏ ଯୋଡ଼ି ଦେବ ।

Leave a Reply