୮ ମାସ ପରେ ଖୋଲିଲା ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର: ସତର୍କତା ଓ କଟକଣା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଦୀର୍ଘ ଦିନ ପରେ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର । ରାଜ୍ୟର ଉଭୟ କେନ୍ଦ୍ରକୁ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ପର୍ଯ୍ୟଟନ ବିଭାଗ । କୋଭିଡ୍ କଟକଣା ଯୋଗୁଁ ଦୀର୍ଘ ୮ମାସ ଧରି ବନ୍ଦ ଥିଲା ଉଭୟ ବିଜ୍ଞାନ କେନ୍ଦ୍ର । ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଥିଲେ ହେଁ ସତର୍କତା ଓ କଟକଣା ଉଭୟକୁ ଦିଆଯାଇଛି ଗୁରୁତ୍ୱ ।

ଭୁବନେଶ୍ୱର ଓ ଢେଙ୍କାନାଳରେ ରହିଛି ୨ଟି ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର । ଏଠାରେ ବର୍ଷତମାମ ଲାଗି ରହେ ପର୍ଯ୍ୟଟକଙ୍କ ଭିଡ଼ । ତେବେ କୋଭିଡ୍ କଟକଣା ଯୋଗୁଁ ବିଗତ ୮ମାସ ଧରି ବନ୍ଦ ଥିଲା ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର । ଫଳରେ ଏଭଳି ପର୍ଯ୍ୟଟନ ସ୍ଥଳ ପରିଦର୍ଶନରୁ ବଞ୍ଚିତ ହେଉଥିଲେ ଦର୍ଶକ । ସରକାରଙ୍କ ନିଷ୍ପତ୍ତି ଓ ପର୍ଯ୍ୟଟନ ବିଭାଗର ନିର୍ଦେଶ ପରେ ପୁଣି ଖୋଲିଛି ଉଭୟ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର । ସକାଳ ସାଢେ ୯ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଖୋଲି ରହିବ । ତେବେ ଏଥର ପୂର୍ବଭଳି ନଛୁଇଁ କିପରି ଅନୁଭବ କରିବେ ସେଥିପାଇଁ କରାଯାଇଛି ସେନସର ବ୍ୟବସ୍ଥା ।

ଦୀର୍ଘ ମାସ ଧରି ଖୋଲିବାକୁ ଅପେକ୍ଷା କରିରହିଥିଲେ ପର୍ଯ୍ୟଟକ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ପକ୍ଷରୁ ନିଆଯାଇଛି ଅନେକ ପଦକ୍ଷେପ । ପ୍ରବେଶ ସମୟରେ ଥର୍ମାଲ ସ୍କ୍ରିନିଂ ଓ ସାନିଟାଇଜ୍ କରାଯାଉଛି । କୋଭିଡ କଟକଣା ସତ୍ତ୍ୱେ ବିଜ୍ଞାନ କେନ୍ଦ୍ର ବୁଲି ବେଶ୍ ଉପଭୋଗ କରୁଛନ୍ତି ପର୍ଯ୍ୟଟକ। ଧୀରେ ଧୀରେ ପର୍ଯ୍ୟଟନ ସ୍ଥଳ ଖୋଲୁଥିବାବେଳେ ଏ ପର୍ଯ୍ୟନ୍ତ ଖୋଲିପାରିନି ପଠାଣୀ ସାମନ୍ତ ପ୍ଲାନେଟେରିୟମ୍ । ଯାହାକୁ ଅପେକ୍ଷା କରିଛନ୍ତି ପର୍ଯ୍ୟଟକ ।

Leave a Reply