ପୋଲିସର ପିଲାଳିଆମି ! ନକଲି ବଦଳରେ ଅସଲି ତମାଖୁ କାରଖାନା କଲା ସିଲ୍‌

ଯାଜପୁର: ଦିନକୁ ଦିନ ବଢୁଛି ଜାଲ୍ ଦ୍ରବ୍ୟ କାରବାର । ଅସଲି ଖୋଳରେ ନକଲି ଦ୍ରବ୍ୟ ପ୍ୟାକେଜିଂ କରାଯାଇ ଠକା ଯାଉଛି ଗ୍ରାହକଙ୍କୁ । ସେଥିଲାଗି ନକଲି କମ୍ପାନୀ କାରବାରକୁ ଚେକ୍ ଦେବାକୁ ପୋଲିସ ଜୋରଦାର ଚଳାଇଛି ଅଭିଯାନ । ହେଲେ ଯାଜପୁର ପାଣିକୋଇଲିରେ ଦୀର୍ଘ ବର୍ଷ ଧରି ଚାଲିଥିବା ଏକ ଅସଲି ତମାଖୁ କାରଖାନକୁ ପୋଲିସ ଅତର୍କିତ ଚଢଉ କରି ସିଲ କରିଛି । ଏହି ଘଟଣାକୁ ନେଇ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଯାଜପୁର ପାଣିକୋଇଲି ବଡିବିରୁହଁ ଅଞ୍ଚଳରେ ଦେଖିବାକୁ ମିଳିଛି ଏହି ଘଟଣା । ସରକାରୀ ଟ୍ରେଡ୍‌ ଲାଇସେନ୍ସ ଓ ସ୍ୱୀକୃତି ଥିବା ସତ୍ତ୍ୱେ ସୂର୍ଯ୍ୟ ମାର୍କା ନାମକ ଏକ ତମାଖୁ କାରଖାନ ଉପରେ ଅତର୍କିତ ଚଢାଉ କରିଛି ପୋଲିସ । ଆଉ କମ୍ପାନୀକୁ ସିଲ କରିବା ସହିତ କାରଖାନା ମାଲିକଙ୍କୁ ଗିରଫ କରିଛି । ଯାହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସେପଟେ ପୋଲିସ ନକଲି ଛାଡି ଉଦ୍ଦେଶ୍ୟ ମୂଳକ ଭାବେ ଅସଲି କାରଖାନା ଉପରେ ଚଢାଉ କରୁଥିବା ଅଭିଯୋଗ କରିଛନ୍ତି କାରଖାନ ମାଲିକ ।

ଜିଲ୍ଲାରେ ଚାଲିଥିବା ଅନେକ ବେଆଇନ ଓ ନକଲି କାରଖାନାକୁ ପୋଲିସ ଘଣ୍ଟ ଘୋଡାଉଛି । ବେଆଇନ କାରଖାନା ଚଳାଇ କୋଟି କୋଟି ଟଙ୍କା ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ପୋଲିସ ଅନୁକମ୍ପା ଦେଖାଉଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି । ସେପଟେ ପୋଲିସ ଏସବୁ ଘଟଣାକୁ ଗୁରୁତର ସହ ନେବା ସହ ବିଭିନ୍ନ ସ୍ଥାନରେ ଚଢଉ କରାଯାଉଥିବା ସଫେଇ ଦେଇଛି ।

Leave a Reply