ଭାରତରେ ଅନଲକ୍ ୧.୦, ପ୍ରଥମ ପର୍ଯ୍ୟାୟରେ ଖୋଲିବ ଧାର୍ମିକ ସ୍ଥଳ ଓ ସପିଂ ମଲ୍

1 min read

ନୂଆଦିଲ୍ଲୀ: ଲକଡାଉନ୍ ୫.୦ ନୁହେଁ ଅନଲକ୍ ୧.୦ । ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ମେ ୩୧ରେ ସରିବାକୁ ଯାଉଥିବା ବେଳେ ଜୁନରୁ ଆସ୍ତେ ଆସ୍ତେ ଦେଶ ସ୍ୱାଭାବିକ ହେବ । କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ସବୁ ସ୍ଥାନରୁ କଟକଣା ହଟିବ । କେନ୍ଦ୍ର ଗୃହ ମନ୍ତ୍ରାଳୟ ଜାରି କରିଥିବା ନୂଆ ଗାଇଡଲାଇନ୍ ଜୁନ୍ ୩୦ ଯାଏଁ ବଳବତ୍ତର ରହିବ ।

ପ୍ରଥମ ପର୍ଯ୍ୟାୟରେ ଦେଶର ସମସ୍ତ ଧାର୍ମିକ ସ୍ଥଳକୁ ଶ୍ରଦ୍ଧାଳୁଙ୍କୁ ଅନୁମତି ସହ ହୋଟେଲ, ରେସ୍ତୋରାଁ ଖୋଲିବାକୁ ଅନୁମତି ମିଳିଛି । ସେହିଭଳି ସପିଂ ମଲ୍ ଜୁନ୍ ୮ ତାରିଖରୁ ଖୋଲିବ ।

ଦ୍ୱିତୀୟ ପର୍ଯ୍ୟାୟରେ ସ୍କୁଲ, କଲେଜ୍ ସହ ଶୈକ୍ଷିକ ଅନୁଷ୍ଠାନ ଖୋଲିବ । ତେବେ, ଏହା ଉପରେ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳ ଜୁଲାଇ ମାସରେ ନିଷ୍ପତ୍ତି ନେଇପାରିବେ । ତୃତୀୟ ପର୍ଯ୍ୟାୟରେ ସ୍ଥିତିକୁ ଦେଖି ଅନ୍ତର୍ଜାତୀୟ ବିମାନ ସେବା, ମେଟ୍ରେ ରେଳ ସେବା, ସିନେମା ହଲ୍, ଜିମ୍, ସୁଇମିଂ ପୁଲ୍ ଆଦି ଖୋଲିବ ।

ତେବେ, ରାତି ୯ଟାରୁ ସକାଳ ୫ଟା ଭିତରେ କେହି ବାହାରକୁ ବାହାରିବେ ନାହିଁ । କେବଳ ଜରୁରୀକାଳୀନ ସେବାରେ ନିୟୋଜିତ ବ୍ୟକ୍ତିଙ୍କୁ ଯାତାୟାତ ଅନୁମତି ମିଳିବ । ଲକଡାଉନ୍ ଜୁନ୍ ୩୦ ଯାଏଁ କେବଳ କଣ୍ଟେନମେଣ୍ଟ ଜୋନରେ ବଳବତ୍ତର ରହିବ । କଣ୍ଟେନମେଣ୍ଟ ଜୋନରେ ଜରୁରୀ ସେବା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟକୁ ଅନୁମତି ମିଳିବ ନାହିଁ ।

Leave a Reply