କରୋନା କାଳରେ ପ୍ରବାସୀ ଶ୍ରମିକଙ୍କ ପଳାୟନକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ନୂଆଦିଲ୍ଲୀ : କରୋନା ଲକଡାଉନ୍ ସମୟରେ ପ୍ରବାସୀ ଶ୍ରମିକଙ୍କ ପଳାୟନକୁ ନେଇ ବେଶ୍‌ କିଛି ହୋହଲ୍ଲା ହୋଇଥିଲା । ଲକଡାଉନ୍ କାଳରେ କେତେ ଶ୍ରମିକ ନିଜ କର୍ମସଂସ୍ଥାନ ଛାଡି ଗାଁକୁ ପଳାୟନ କରିଥିଲେ ତା’ ଉପରେ ବୁଧବାର ଦିନ କେନ୍ଦ୍ର ସରକାର ସଂସଦରେ ଉତ୍ତର ରଖିଛନ୍ତି । କରୋନା ଲକଡାଉନ୍ କାଳରେ ୧ କୋଟି ପ୍ରବାସୀ ଶ୍ରମିକ ଘରକୁ ଫେରିଥିଲେ । ସରକାରଙ୍କ ଏହି ଉତ୍ତରକୁ ନେଇ ସଂସଦରେ ବିରୋଧୀ ଦଳ ବେଶ୍‌ ହଙ୍ଗାମା କରିଛନ୍ତି ।

ରାଜ୍ୟସଭାରେ ସମାଜବାଦୀ ପାର୍ଟି ସାଂସଦ ରାମ ଗୋପାଳ ଯାଦବ ଏହି ପ୍ରସଙ୍ଗ ଉଠାଇଥିଲେ । କରୋନା ସମୟରେ ଅସଂଗଠିତ କ୍ଷେତ୍ରର କେତେ ଶ୍ରମିକ ପଳାୟନ କରିଥିଲେ ଓ ରୋଜଗାର ହରାଇଥିଲେ ତାକୁ ନେଇ ସରକାରଙ୍କ ପାଖରେ କିଛି ତଥ୍ୟ ଅଛି କି ବୋଲି ଯାଦବ ପ୍ରଶ୍ନ ଉଠାଇଥିଲେ । ଯାଦବଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରମ ମନ୍ତ୍ରୀ ସନ୍ତୋଷ ଗାଙ୍ଗୱାର କହିଥିଲେ ଯେ, ବାସ୍ତବରେ ଏହା ଚିନ୍ତାଜନକ ବିଷୟ । କରୋନା ଲକଡାଉନ କାଳରେ କର୍ମସଂସ୍ଥାନ ଥିବା ରାଜ୍ୟରୁ ନିଜ ରାଜ୍ୟକୁ ଫେରିଥିବା ଶ୍ରମିକଙ୍କ ସଂଖ୍ୟା ଏକ କୋଟି ଥିଲା । ଏମାନଙ୍କ ମଧ୍ୟରୁ ଅଧିକାଂଶ ଏବେ ନିଜ କର୍ମସ୍ଥଳୀକୁ ଫେରି ଯାଇଛନ୍ତି ।

ତେବେ ସରକାରଙ୍କ ଉତ୍ତର ବିରୋଧୀ ଦଳଙ୍କ ସନ୍ତୁଷ୍ଟ କରି ପାରିନଥିଲା । ସୂଚନାଯୋଗ୍ୟ ଯେ, କରୋନା କାଳରେ ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରମିକ ଗମନାଗମନ ସୁବିଧା ଅଭାବରୁ ପାଦରେ ଚାଲି ନିଜ ଘରକୁ ଫେରିଥିଲେ । ପରେ ସରକାର ପ୍ରବାସୀ ଶ୍ରମିକଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚଲାଇଥିଲେ । ତେବେ ବିନା ଯୋଜନାରେ ଲକଡାଉନ୍ ଲଗାଇଥିବାରୁ ଶ୍ରମିକ ସର୍ବାଧିକ ପ୍ରଭାବିତ ହୋଇଥିଲେ ବୋଲି କେନ୍ଦ୍ର ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା ।

Leave a Reply