ଜଣେ IPSଙ୍କ ପାଇଁ ଲାଲୁ ବିହାର ଭୋଟଯୁଦ୍ଧରୁ ଗାଏବ,ଗୋଖାଦ୍ୟ କାଣ୍ଡ ଏମତି ବଦଳାଇ ଦେଇଥିଲା ବିହାର ରାଜନୀତି

1 min read

ଭୁବନେଶ୍ୱର: ବିହାର ପ୍ରଥମଥର ପାଇଁ ଏମିତି ଏକ ନିର୍ବାଚନ ଦେଖିବ ,ଯେଉଁଥିରେ  ଲାଲୁ ନାହାନ୍ତି । ସମୋସେ ମେଁ ଆଲୁ ଔର ବିହାର ମେ ଲାଲୁ ସବ୍ କୋ ପସନ୍ଦ ହେ । ହେଲେ ଏବେ କଥା ପସନ୍ଦର ନୁହେଁ । ଲାଲୁ ପ୍ରସାଦ ଯାଦବ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଏବେ ଜେଲ ଦଣ୍ଡ ଭୋଗୁଛନ୍ତି ।  ଲାଲୁ ଥିଲେ ନିର୍ବାଚନ ଯେ ଭିନ୍ନ ଓ ଅଧିକ ରୋଚକ ହୋଇଥାନ୍ତା ଏକଥା ଉଲ୍ଲେଖ କରିବାର ଆବଶ୍ୟକତା ନାହିଁ । ନବେ ଦଶକର ଏମିତି ନେତା ଆଜି କାରଗାର ଭିତରେ ରହି ଯେଉଁ ଅବଶୋଷ ଓ ପଶ୍ଚାତାପ କରୁଛନ୍ତି, ତା’ ପ୍ରଚ୍ଛଦପଟ୍ଟରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କ ସମ୍ପର୍କରେ ଆମେ ଖୁବ୍ କମ୍ ଚର୍ଚ୍ଚା କରୁ । ସେ ନାୟକ ହୁଅନ୍ତୁ ଅବା ଖଳନାୟକ । ହେଲେ ଲାଲୁ ଓ ତାଙ୍କ ସମ୍ପର୍କର ତିକ୍ତତା ଦିନେ ବିହାର ରାଜନୀତିର ସରହଦ ଭାଙ୍ଗି ରାଜଧାନୀ ଦିଲ୍ଲୀ ପହଞ୍ଚିଥିଲା । ତେବେ କଣ ଥିଲା ଏହି ଘଟଣାକ୍ରମ, ଯାହାଙ୍କ ପାଇଁ ଲାଲୁ ଆଜି ବିହାର ନିର୍ବାଚନରୁ ବଞ୍ଚିତ,ଆସନ୍ତୁ ଜାଣିବା

କିଏ ସେ ?

୧୯୮୪ର ବ୍ୟାଚର ଗୁଜୁରାଟ କ୍ୟାଡରର ଆଇପିଏସ ଅଫିସର ରାକେଶ ଅସ୍ଥାନା । ଯେଉଁ ଚାରା ଦୁର୍ନୀତି ଅଭିଯୋଗରେ ଲାଲୁ ପ୍ରସାଦ ଯାଦବ ଏବେ ଜେଲ ଦଣ୍ଡ ଭୋଗୁଛନ୍ତି ତାହାର ପ୍ରାରମ୍ଭିକ ତଦନ୍ତକାରୀ ଥିଲେ ଆସ୍ଥାନା । ଅସ୍ଥାନା ସେତେବେଳେ ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । କେବଳ ଚାରା ଦୁର୍ନୀତି ପ୍ରସଙ୍ଗ  ନୁହେଁ, ଲାଲୁ ଯାଦବଙ୍କ ପରିବାର ବିରୋଧରେ ଥିବା ବେଆଇନ ସମ୍ପତ୍ତି ଠୁଳ  ମାମଲା ଓ ଲାଲୁ ରେଳମନ୍ତ୍ରୀ ଥିବା ବେଳେ ତାଙ୍କ ବିରୋଧରେ ଥିବା ଜମି ଆବଣ୍ଟନ ଦୁର୍ନୀତି ମାମଲାର ତଦନ୍ତ ଦାୟିତ୍ୱ ରାକେଶଙ୍କ ଅଧିନରେ ଥିଲା ।

ରେଳମନ୍ତ୍ରୀ ଥିବା ବେଳର ବିବାଦ ଓ ଅସ୍ଥାନାଙ୍କ ଭୂମିକା –

୨୦୧୭ର ତଦନ୍ତରେ ସିବିଆଇ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ ଯେ ହୋଟେଲ ଆବଣ୍ଟନ କ୍ଷେତ୍ରରେ ଦୁର୍ନୀତି ହୋଇଛି । ସରକାରୀ ପ୍ରାବଧାନ ଅନୁଯାୟୀ ହୋଟେଲ ଲିଜ ନେବା ନେଇ ନିଷ୍ପତ୍ତି ହୋଇଥିଲା, ମାତ୍ର ସରକାର ହୋଟେଲ ଜମିକୁ ହିଁ ଲିଜରେ ସମ୍ପୃକ୍ତ କରିଥିଲେ । ଯାହା ଫଳରେ ସରକାରଙ୍କ ରାଜକୋଷ ପ୍ରଭାବିତ ହେବା ସହ ବେସରକାରୀ ସଂସ୍ଥା ବେଆଇନ ଫାଇଦା ଉଠାଇଥିଲେ । ଏହି ପ୍ରକ୍ରିୟା ଦ୍ୱାରା ରେଳବାଇକୁ କ୍ଷତି ସହିବାକୁ ପଡିଥିଲା ।  ସିବିଆଇର କହିବା କଥା ଯେ ଜମିକୁ ଶାଗ-ମାଛ ଦରରେ ବିକ୍ରି କରାଯାଇଥିଲା । ଏହାର ଉଦାହରଣ ସ୍ୱରୂପ ଏକ ଜମିର ବାସ୍ତବିକ ମୂଲ୍ୟ ଓ ଲିଜର ପରିମାଣକୁ ମଧ୍ୟ ସିବିଆଇ ଦର୍ଶାଇଥିଲା । ସିବିଆଇ ଅନୁଯାୟୀ, ୩୨ କୋଟି ମୂଲ୍ୟର ଜମିକୁ ସରକାର ୬୫ ଲକ୍ଷ ଟଙ୍କାରେ ଲିଜ ଦେଇଥିଲେ । ଲାଲୁ ରେଳ ମନ୍ତ୍ରୀ ଥିବା ବେଳେ ଏଭଳି ହୋଇଥିଲା । ଏମିତିକି ଆଇଆରସିଟିସି ହୋଟେଲ ପାଇଁ ଜମି ଲିଜ ଦେବା ବେଳେ ଲାଲୁ ଢିଲା ନୀତି ଆପଣାଇ ଏହି ବେସରକାରୀ ସଂସ୍ଥାକୁ ମଧ୍ୟ ସହଯୋଗ କରିଥିବା ସିବିଆଇ ତଦନ୍ତରେ ଉଲ୍ଲେଖ ରହିଥିଲା । ତେବେ ଏହି ପ୍ରସଙ୍ଗ ଅପରାଧିକ ମାମଲା ୪୨୦ ଓ ୧୨୦ ବି ଲାଗୁ କରି ସିବିଆଇ ତଦନ୍ତ ଜାରି ରଖିଥିଲା ।

ସେହିଭଳି ୧୯୯୫ ମସିହାରେ ଲାଲୁ ମୁଖ୍ୟମନ୍ତ୍ରୀ ହେବା ପରେ ସିବିଆଇ ଚାରା ଦୁର୍ନୀତି ମାମଲାର ତଦନ୍ତ ଜୋରସୋରରେ ଆରମ୍ଭ କରିଥିଲା । ସେତେବେଳେ ମଧ୍ୟ ତଦନ୍ତ ଦାୟିତ୍ୱରେ ଥିଲେ ରାକେଶ ଅସ୍ଥାନା । ଏହି ପ୍ରସଙ୍ଗରେ ଲାଲୁଙ୍କୁ ପଚାର ଉଚରା ପାଇଁ ରାକେଶ ଅସ୍ଥାନା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ତେବେ ଜେରା ଦୂରର କଥା ଲାଲୁ ସାକ୍ଷାତକାର ମଧ୍ୟ ଦେଇନଥିଲେ । ଏହାପରେ ଅସ୍ଥାନା ଲାଲୁଙ୍କ କାର୍ଯ୍ୟଳୟରୁ ଫେରି ଆସିଥିଲେ ସତ ମାତ୍ର ସିବିଆଇ ଏହି ମାମଲା ଉପରେ ପୂର୍ବ ଅପେକ୍ଷା ଅଧିକ ସକ୍ରିୟ ଭାବେ କାର୍ଯ୍ୟ କରିଥିଲା । ତେବେ ସିବିଆଇ ତଥ୍ୟ ଅନୁଯାୟୀ, ଚାରା ଦୁର୍ନୀତି ବିବାଦରେ ଲାଲୁ ସରକାରର ସିଧାସଳଖ ସଂପୃକ୍ତି ରହିଛି । ତେଣୁ ସିବିଆଇ ସମୟ ସମୟରେ ଆରଜେଡି ଦଳ ତଥା ସରକାରର ଅନ୍ୟ ନେତା-ମନ୍ତ୍ରୀଙ୍କ ସହ ଆଲୋଚନା କରିବାର ପ୍ରୟାସ ଜାରି ରଖିଥିଲେ ।

ଲାଲୁଙ୍କ ଡର –

ଲାଲୁ ସିବିଆଇକୁ ଦର୍ଶନ ଦେଉନଥିଲେ । ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଲୁଚିବା କେବେ ଦେଖା ଯାଇନଥିଲା । ଏହା ଭିତରେ ଲାଲୁଙ୍କ ଦଳର ଜଣେ ନେତା ବିହାର ସରକାରଙ୍କ ଜଣେ ଅଧିକାରୀଙ୍କୁ ସିବିଆଇ ସହ ସଂପର୍କ ସ୍ଥାପନ କରିବାକୁ କହିଥିଲେ । ଏହି ଅଧିକାରୀ ଆସ୍ଥାନାଙ୍କ ଜଣେ ସହଯୋଗୀଙ୍କୁ ଭେଟିଥିଲେ । ସେହି ସାକ୍ଷାତକାରରୁ ଜଣା ପଡିଥିଲା ଲାଲୁ ଦେଖା ନଦିବାର ଅସଲ କାରଣ ।  ଉକ୍ତ ସରକାରୀ ଉଚ୍ଚ ଅଧିକାରୀଙ୍କ କହିବା ଅନୁଯାୟୀ, ଲାଲୁଙ୍କୁ ତାଙ୍କ ସମର୍ଥକମାନେ ସିବିଆଇକୁ ଭେଟିବା ପାଇଁ ମନା କରୁଥିଲେ । କିଛି ଆରଜେଡି ନେତା ଏଭଳି ମଧ୍ୟ ଥିଲେ ଯେଉଁମାନେ ସିବିଆଇ ତଦନ୍ତକୁ ନେଇ ଭୟଭୀତ  ଥିଲେ । ସେମାନଙ୍କ ଧାରଣା ଥିଲା ଯେ, ଅସ୍ଥାନା ଜେରା ବେଳେ ଭୀଷଣ ମାଡ ମାରୁଥିଲେ । ରାଗୁଆ ଖାଦ୍ୟ ଦେଇ ପିଇବାକୁ ପାଣି ଦେଉନଥିଲେ । ସେହିଭଳି ପାଇଜାମା ଭିତରେ ମୂଷା ଛାଡି, ପାଇଜାମାକୁ ବନ୍ଦ କରି ଦେଉଥିଲେ । ଆରଜେଡି ନେତାଙ୍କର ଏହି ଭୟ କାରଣରୁ ହିଁ ଲାଲୁ ସିବିଆଇକୁ ଭେଟୁନଥିଲେ ବୋଲି ଉକ୍ତ ଉଚ୍ଚ ଅଧିକାରୀ କହିଥିଲେ । ତେବେ ସିବିଆଇ ଅଧିକାରୀ ଜଣଙ୍କ ଉକ୍ତ ଅଧିକାରୀଙ୍କୁ କହିଥିଲେ ଯେ, ଏହା ମିଛ । ଆସ୍ଥାନା ଯେତେ ରାଗୀ ହେଲେ ମଧ୍ୟ ଜଣେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ କେବେ ମଧ୍ୟ ହାତ ଉଠାଇବେ ନାହିଁ । ଏହାପରେ ଲାଲୁ ସିବିଆଇ ଅଧିକାରୀଙ୍କୁ ସାକ୍ଷାତ କରିବାକୁ ରାଜି ହୋଇଥିଲେ ।

ତେବେ ଏହା ପରର କାହାଣୀ ପୁଣି ନୂଆ ମୋଡ ନେଲା । କେନ୍ଦ୍ରରେ ବାଜପେୟୀ ସରକାର ଆସିବା ପରେ ଅସ୍ଥାନା ନିଜ କ୍ୟାଡର ଗୁଜୁରାଟକୁ ଫେରିଗଲେ । ଲାଲୁଙ୍କୁ ମନେ ହେଲା, ଯେମିତି ଅସ୍ଥାନାଙ୍କଠୁ ଆଶ୍ୱସ୍ତି ମିଳିଗଲା । ମନମୋହନ ସରକାର ଆସିବା ପରେ ଲାଲୁ ଚାରା ଦୁର୍ନୀତି ଟ୍ୟାଗକୁ ହଟାଇବା ପାଇଁ ଯଥେଷ୍ଟ ପ୍ରୟାସ କରିଛନ୍ତି । ତେବେ ଏସବୁ ଶେଷ ପର୍ଯ୍ୟନ୍ତ ଅସଫଳ ରହିଥିଲା । ତେବେ ପୁଣି ମୋଦି ସରକାର ଆସିବା ପରେ ଅସ୍ଥାନା ସିବିଆଇ ଦପ୍ତରକୁ ଫେରିଲେ । ମୋଦୀଙ୍କ ଖାସ୍ ଏହି ଆଇପିଏସ ଅଫିସରଙ୍କୁ ଅତିରିକ୍ତ ନିର୍ଦ୍ଦେଶକର ଦାୟିତ୍ୱ ମିଳିଲା । ପୁଣି ଥରେ ଯାଞ୍ଚ ପ୍ରଖର ହେଲା ଓ ଏବେ ମଧ୍ୟ ଯାଞ୍ଚ ଚାଲିଛି । ଲାଲୁ ତଦନ୍ତରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡ ଭୋଗୁଛନ୍ତି । ଅସ୍ଥାନା ରୂପକ ବାଦଲ ଲାଲୁଙ୍କ ରାଜନୀତିକୁ ଏକଦମ ପଙ୍ଗୁ କରିଦେଲା । ବିହାର ରାଜନୀତିରୁ ଲାଲୁଙ୍କୁ ଏକରକମ ବିଦା ହେବାକୁ ପଡିଲା । ଯେତେବେଳେ ବି ଲାଲୁଙ୍କ ରାଜନୈତିକ ଜୀବନର ଚର୍ଚ୍ଚା ହେବ, ଆଲୋଚକ ଅସ୍ଥାନାଙ୍କ ଭୂମିକା ମନେ ରଖିବେ, ନିଶ୍ଚୟ ।

Leave a Reply