‘ବୈଜୟନ୍ତ ନିଜ ସଂସ୍ଥାର ବ୍ୟକ୍ତିଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି’: ରାଜ୍ୟସଭା ସାଂସଦ ସୁବାସ ସିଂହ

Subash Singh

ଭୁବନେଶ୍ୱର: କେନ୍ଦ୍ରୀୟ ବିଜେପି ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଟ୍ୱିଟ୍‌କୁ ନେଇ ଥମୁନି ବିବାଦ । ଓଡ଼ିଶା ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ କଡ଼ା ସମାଲୋଚନାର ଶିକାର ହୋଇଛନ୍ତି ବୈଜୟନ୍ତ ପଣ୍ଡା । ଏବେ ରାଜ୍ୟସଭା ସାଂସଦ ସୁବାସ ସିଂହ ମଧ୍ୟ ବୈଜୟନ୍ତଙ୍କ ଏହି ଟ୍ୱିଟ୍‌କୁ ତୀବ୍ର ନିନ୍ଦା କରିଛନ୍ତି । ସେ କହିଛନ୍ତି ବୈଜୟନ୍ତ ନିଜ ସଂସ୍ଥାର ବ୍ୟକ୍ତିଙ୍କୁ ଘଣ୍ଟ ଘୋଡାଇବାକୁ ଚାହୁଁଛନ୍ତି । ଏଥିପାଇଁ ସେ ଭୁଲ୍ ମନ୍ତବ୍ୟ ଦେବାକୁ ବି ପଛାଉ ନାହାନ୍ତି । ବିଜେଡିରେ ଥିବାବେଳେ ବୈଜୟନ୍ତ ୨୦ ବର୍ଷ ଧରି ସାଂସଦ ଥିଲେ । ସେତେବେଳେ ଯଦି ରାଜ୍ୟରେ ସବୁ ଠିକ୍‌ ଚାଲୁଥିଲା ଏବେ କିପରି ସବୁ ଭୁଲ ହୋଇଗଲା ବୋଲି ପ୍ରଶ୍ନ କରିଛନ୍ତିୂ ସାଂସଦ ସୁବାସ ସିଂହ ।

Subash Singh

ସେହିପରି ମହିଳା ସାଂସଦଙ୍କ ଭିଡିଓ ଭାଇରାଲ ନେଇ ମଧ୍ୟ ବୈଜୟନ୍ତୀଙ୍କ ଉପରେ ବର୍ଷିଛନ୍ତି ସୁବାସ । କହିଛନ୍ତି, ପୂର୍ବତନ ସାଂସଦ ଥିବାରୁ ଚନ୍ଦ୍ରାଣୀ ମୁର୍ମୁଙ୍କୁ ନ୍ୟାୟ ଦେବାର ସେ ବ୍ୟବସ୍ଥା କରିବା ଉଚିତ । ନହେଲେ ଚନ୍ଦ୍ରାଣୀ କେବେ ହେଲେ ତାଙ୍କୁ କ୍ଷମା କରିବେ ନାହିଁ । ସାରୁଅ ଜମି ଜାଲିଆତି ମାମଲାରେ ମଧ୍ୟ ମୁହଁ ଖୋଲିଛନ୍ତି ସୁବାସ । ବୈଜୟନ୍ତ ଆଦିବାସୀଙ୍କ ଜମି ହାତେଇଛନ୍ତି, ଯାହାକି ସମ୍ପୂର୍ଣ୍ଣ ବେଆଇନ ବୋଲି ସୁବାସ କହିଛନ୍ତି ।

Baijayant Panda Odisha Like Pakistan Tweet, BJP Said We Are Not With Him

ଅନ୍ୟପଟେ କଂଗ୍ରେସର ବରିଷ୍ଠ ବିଧାୟକ ନରସିଂହ ମିଶ୍ର ମଧ୍ୟ ବୈଜୟନ୍ତଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି ମହାରାଷ୍ଟ୍ର ଏବଂ ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ । ଏଥିରୁ ସ୍ପଷ୍ଟ ଅନୁମାନ କରିହେଉଛି କି, ବିଜେପିର ମନୋଭାବ କେତେ ସଂକୀର୍ଣ୍ଣ । ରାଜ୍ୟରେ ସମ୍ବିଧାନ ଓ ଗଣତନ୍ତ୍ରକୁ ନେଇ ପ୍ରଶ୍ନ ଉଠାଇବା ହାସ୍ୟାସ୍ପଦ । ପ୍ରତି ମୁହୂର୍ତ୍ତରେ ଯେଉଁ ଦଳ ସମ୍ବିଧାନ ଓ ଗଣତନ୍ତ୍ର ହନନ କରିଚାଲିଛି ଏବଂ ଏକଛତ୍ରବାଦ ପ୍ରତିଷ୍ଠା କରିବା ଲକ୍ଷ୍ୟରେ କାମ କରୁଛି ସେହି ଦଳର ନେତା ସମ୍ବିଧାନର ସୁରକ୍ଷା କଥା ଉତ୍‌ଥାପନ କରିବା ନିହାତି ହାସ୍ୟାସ୍ପଦ ।

ସେ ଆହୁରି କହିଛନ୍ତି, ବିଜେପି ବିରୋଧରେ କେହି କିଛି ମନ୍ତବ୍ୟ ରଖିଲେ ପାକିସ୍ତାନ ଚାଲିଯିବାକୁ ସେମାନେ କହିଥାନ୍ତି । ତେଣୁ ବୈଜୟନ୍ତ ଏବେ ଚିନ୍ତା କରନ୍ତୁ, ସେ ପାକିସ୍ତାନ ଯିବେ କି ନାହିଁ । ସେହିପରି ମହିଳା ଲୋକପ୍ରତିନିଧିଙ୍କ ମିଛ ଅଶ୍ଳୀଳ ଭିଡିଓ ଭାଇରାଲ କରିଥିବା ଓଟିଭି ସାମ୍ବାଦିକ ରମେଶ ରଥଙ୍କୁ ପୋଲିସ ଜେରା କରିବାକୁ ବୈଜୟନ୍ତ ପଣ୍ଡା ଆପତ୍ତି ଉଠାଇଥିଲେ । ଏସମ୍ପର୍କରେ ନରସିଂହ କହିଛନ୍ତି, କୋର୍ଟଙ୍କ ବିନା ଅନୁମତିରେ ସେକ୍‌ସନ୍‌ ୧୬୫ ଓ ୧୬୧ରେ ପୋଲିସ ବୟାନ ରେକର୍ଡ କରିପାରିବ । ପୋଲିସ ବିନା ସର୍ଚ୍ଚ ୱାରେଣ୍ଟରେ ଅନୁସନ୍ଧାନ କରିପାରିବ ବୋଲି କଣ ବୈଜୟନ୍ତ ଜାଣିନାହାନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ନରସିଂହ ମିଶ୍ର । ସେହିପରି ଜନପ୍ରତିନିଧିଙ୍କ ମିଛ ଅଶ୍ଳୀଳ ଭିଡିଓ ଭାଇରାଲ ପ୍ରସଙ୍ଗରେ ନରସିଂହ କହିଛନ୍ତି, ଓଟିଭିର ଋଚି କଣ ତାହା ଏଥିରୁ ସ୍ପଷ୍ଟ ହୋଇଯାଇଛି । ନାରୀ ଓ ଆଦିବାସୀଙ୍କ ପ୍ରତି ତାଙ୍କର ମନୋଭାବ ସ୍ପଷ୍ଟ ଜଣାପଡ଼ିଯାଉଛି ବୋଲି ନରସିଂହ ମିଶ୍ର କହିଛନ୍ତି ।

Leave a Reply