ଭୂତାଣୁଠୁ ‘ଭୋଟ୍’ ଭୟ ଅଧିକ, ପିପିଇ କିଟ୍ ପିନ୍ଧି ଭୋଟ୍ ଦେଲେ ବିଧାୟକ

ଭୋପାଳ: କରୋନା ସଂକ୍ରମଣ କାଳରେ ନେତାଙ୍କ କ୍ଷମତା ପାଗଳାମୀ । ହଜାରେ ଜୀବନ ଯାଉ ପଛେ ଗୋଟିଏ ସିଟ୍ ମିଳିଯାଉ । ମଧ୍ୟପ୍ରଦେଶର ୧୧ଟି ରାଜ୍ୟସଭା ଆସନ ମଧ୍ୟରୁ ଖାଲିଥିବା ୩ଟି ଆସନ ପାଇଁ ଆଜି ମତଦାନ ହୋଇଛି । ସଦସ୍ୟ ଥିବା ୮ଟି ଆସନରୁ ୬ଟି ବିଜେପି ଓ ୨ଟି କଂଗ୍ରେସ ଅକ୍ତିଆରରେ ରହିଛି । କଳେବଳେ ଖାଲିଥିବା ୩ଟି ଆସନକୁ ହାତେଇବାକୁ ଉଦ୍ୟମ କରୁଛି କଂଗ୍ରେସ । ନିକଟରେ ଯଦିଓ ରାଜ୍ୟରେ କମଲନାଥଙ୍କ ନେତୃତ୍ୱର କଂଗ୍ରେସ ସରକାର କ୍ଷମତାରୁ ଯାଇଛି କିନ୍ତୁ ଲୋଭ କମିନି । ରାଜ୍ୟସଭା ପାଇଁ ଭୋଟିଂ ବେଳେ ଦେଖିବାକୁ ମିଳିଥିଲା ନିଆରା ଦୃଶ୍ୟ । କରୋନା ସଂକ୍ରମିତ କଂଗ୍ରେସ ବିଧାୟକ ପିପିଇ କିଟ୍ ପିନ୍ଧି ପହଞ୍ଚିଥିଲେ ଭୋଟ୍ ଦେବାକୁ ।

ଶୁକ୍ରବାର ସକାଳୁ ଆରମ୍ଭ ହୋଇଥିଲା ଭୋଟିଂ । ଜଣକ ପରେ ଜଣେ କଂଗ୍ରେସ ଏବଂ ବିଜେପି ବିଧାୟକମାନେ ରାଜ୍ୟସଭା ନିର୍ବାଚନରେ ​​ଭୋଟ୍ ଦେଇଥିଲେ । ଅପରାହ୍ଣ ପ୍ରାୟ ୧ଟା ବେଳେ କରୋନା ଆକ୍ରାନ୍ତ କଂଗ୍ରେସ ବିଧାୟକ କୁନାଲ ଚୌଧୁରୀ ଭୋଟ୍ ଦେବା ପାଇଁ ପିପିଇ କିଟ୍ ପିନ୍ଧି ବିଧାନସଭା ଭବନରେ ପହଞ୍ଚିଥିଲେ । କିଛି ଦିନ ପୂର୍ବେ କରୋନା ଟେଷ୍ଟିଂରେ ତାଙ୍କ ନମୁନା ପଜିଟିଭ ଆସିଥିଲା ।

କରୋନା ହୋଇଥିବା ବ୍ୟକ୍ତି ସମସ୍ତଙ୍କ ଠାରୁ ଦୂରେଇ ରହିବା ସହ ସମସ୍ତ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଭୋଟ୍ ହେତୁ ବିଧାୟକ ସମସ୍ତ ସତର୍କତା ଅବଲମ୍ବନ କରି ବିଧାନସଭାରେ ପହଞ୍ଚିଥିଲେ ଭୋଟ ଦେବା ପାଇଁ । ସେପଟେ ବିଧାୟକ ଭୋଟ୍ ଦେବା ପରେ ସମଗ୍ର ଅଞ୍ଚଳକୁ ସାନିଟାଇଜ କରାଯାଇଥିଲା । ଭୋଟ୍ ସ୍ଥାନ ଏବଂ ସମଗ୍ର ମୁଖ୍ୟ ଫାଟକକୁ ସାନିଟାଇଜ କରାଯାଇଥିଲା ।

ତେବେ, ପ୍ରଶ୍ନ ଉଠୁଛି ନେତାଙ୍କ ପାଇଁ ଜୀବନ ଆଗ ନା କ୍ଷମତା । ଯଦିଓ ଗୋଟିଏ ଭୋଟ୍ ହାରଜିତ୍ ପାଇଁ ନିର୍ଣ୍ଣାୟକ ତେବେ ଏଥିପାଇଁ ସର୍ବସାଧାରଣଙ୍କ ଜୀବନକୁ ବିପନ୍ନ କରିବା କେତେଦୂର ଠିକ୍ ? ପିନ୍ଧିଥିବା ସୁରକ୍ଷା ଉପକରଣ ସତ୍ତ୍ୱେ କରୋନା ବ୍ୟାପିଲେ ଦାୟୀ ରହିବେ ତ ବିଧାୟକ ?

Leave a Reply