ଜାନୁଆରୀ ୫ରୁ ୨୦ ଯାଏଁ ଖୋଲା ରହିବ ରାଜ ଭବନର ଉଦ୍ୟନ, ସ୍କୁଲ ପିଲାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର : ଚଳିତବର୍ଷ ଜାନୁଆରୀ ୫ ତାରିଖରେ ଖୋଲିବ ରାଜଭବନର ଉଦ୍ୟନ । ଏ ନେଇ ଅନୁମତି ପ୍ରଦାନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଜାନୁଆରୀ ୫ ତାରିଖରୁ ଜାନୁଆରୀ ୨୦ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣ ଓ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲା ରହିବ ରାଜଭବନ ପାର୍କ । ଛୁଟିଦିନ ସହିତ ପ୍ରତ୍ୟକ ଅପରାହ୍ନ ୨ଟା ୩୦ରୁ ୫ଟା ମଧ୍ୟରେ ରାଜଭବନ ଉଦ୍ୟାନ ପରିଦର୍ଶନ କରିପାରିବେ ଛାତ୍ରଛାତ୍ରୀ । ସେହିପରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅନୁରୋଧ ଆଧାରରେ ଛାତ୍ରଛାତ୍ରୀମାନେ ଜାନୁଆରୀ ୬ ତାରିଖରୁ ୨୧ତାରିଖ ପର୍ଯନ୍ତ ରବିବାର ବ୍ୟତୀତ ପ୍ରତ୍ୟୋକ ସକାଳ ୮ଟା ୩୦ରୁ ୧୦ଟା ମଧ୍ୟରେ ଉଦ୍ୟାନ ବୁଲି ଦେଖିପାରିବେ । ଏଥିପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ରାଜ୍ୟପାଳଙ୍କ ଏଡିସି କିମ୍ବା ରାଜଭବନ ନିରାପତ୍ତା ଦାୟିତ୍ୱରେ ଥିବା ଏସିପିଙ୍କୁ ସେମାନେ ଅନୁରୋଧ ପତ୍ର ଦେବାକୁ କୁହାଯାଇଛି ।


ରାଜଭବନ ପକ୍ଷରୁ ‘ରାଜଭବନ ଓଡ଼ିଶା’ ନାଁରେ ଏକ ମୋବାଇଲ୍ ଆପ୍ ପ୍ରସ୍ତୁତ କରାଯାଇଛି । ଏହି ଆପ୍ ବ୍ୟବହାର କରି କ୍ୟୁଆର କୋଡ୍ ପ୍ରବେଶ ପତ୍ର ସେମାନଙ୍କ ସ୍ମାର୍ଟଫୋନରେ ପ୍ରସ୍ତତ କରିପାରିବେ । ଯାହାଫଳରେ ରାଜଭବନ ମୁଖ୍ୟ ଫାଟକରେ ସ୍କାନିଂ ଦ୍ୱାରା ଭିଡ଼ମୁକ୍ତ ହୋଇ ପ୍ରବେଶ କରିପାରିବେ । ଏହାସହିତ ରେଜିଷ୍ଟରରେ ହାତଦ୍ୱାରା ପ୍ରସ୍ତୁତ ପ୍ରବେଶ ପତ୍ର ସର୍ବସାଧାରଣଙ୍କ ନିମନ୍ତେ ଉପଲବ୍ଧ ହେବ । ରାଜ ଭବନ ମଧ୍ୟକୁ ଟିଫିନ୍ ବାକ୍ସ, ଖାଦ୍ୟ ପୁଡ଼ିଆ, ପାଣି ବୋତଲ ଏବଂ କ୍ୟାମେରା ଆଣିବାକୁ ବାରଣ କରାଯାଇଛି । ରାଜଭବନର ସବୁଜ ଲନ୍, ହରିଣ ଉଦ୍ୟାନ, ସଂଗୀତମୟ ଝରଣା, ଖୋଲା ଆକ୍ୱାରିୟମ୍ ଏବଂ ପକ୍ଷୀ ଏନକ୍ଲୋଜର ସର୍ବସାଧାରଣଙ୍କ ପାଇଁ ଆକର୍ଷଣର କେନ୍ଦ୍ର ।

Leave a Reply