Rajasthan crisis: ପାଇଲଟ କ୍ୟାମ୍ପକୁ ହାଇକୋର୍ଟଙ୍କ ସାମୟିକ ଆଶ୍ୱସ୍ତି, ସୁପ୍ରିମକୋର୍ଟ ଯିବେ ବାଚସ୍ପତି

sachin vs ashok

ଜୟପୁର: ରାଜସ୍ଥାନରେ ଚାଲିଥିବା ରାଜନୈତିକ ସଂକଟ ମଧ୍ୟରେ ଗୋଟିଏ ବଡ ଖବର ସାମ୍ନାକୁ ଆସିଛି । ଏହି ପୁରା ପ୍ରସଙ୍ଗରେ ସଚିନ ପାଇଲଟଙ୍କ କ୍ୟାମ୍ପକୁ ହାଇକୋର୍ଟ ସାମୟିକ ଆଶ୍ୱସ୍ତି ଦେଇଛନ୍ତି । ତେବେ ଏହା ବିରୋଧରେ ରାଜସ୍ଥାନ ବିଧାନସଭା ବାଚସ୍ପତି ଡ.ସି ପି ଜୋଷୀ ସୁପ୍ରିମକୋର୍ଟ ଯିବେ । ବୁଧବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଜୋଷୀ ଏସମ୍ପର୍କରେ ସୂଚନା ଦେଇଛନ୍ତି । ବିଧାନ ପାଳିକା ଓ ବିଚାର ପାଳିକା ମଧ୍ୟରେ ଯେମିତି ସଂଘର୍ଷ ନହେବ ସେଥିଲାଗି ସୁପ୍ରିମକୋର୍ଟରେ ଏସଏଲପି(ବିଶେଷ ଅନୁମତି ଆବେଦନ) ଦାଏର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ ,ରାଜସ୍ଥାନ ହାଇକୋର୍ଟ ତାଙ୍କ ଆଦେଶରେ ୨୪ ଜୁଲାଇ ପର୍ଯ୍ୟନ୍ତ ବାଚସ୍ପତିଙ୍କୁ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ କହିଥିଲେ  ।

cp joshi raj speaker

ଡ. ଜୋଷୀ ମିଡିଆକୁ କହିଛନ୍ତି ଯେ,ସଂସଦୀୟ ବ୍ୟବସ୍ଥାରେ ସମସ୍ତଙ୍କ ଭୂମିକା ପରିଭାଷିତ । ଆୟା ରାମ ଗୟା ରାମ (ଦଳ ବଦଳ ) ସଂସ୍କୃତିକୁ ରୋକିବା ପାଇଁ ସୁପ୍ରିମକୋର୍ଟ ୧୯୯୨ ମସିହାରେ ଆଦେଶ ଦେଇଥିଲେ । ଯେଉଁଥିରେ ଦଳ ବଦଳ ମାମଲାରେ ସଦସ୍ୟଙ୍କ ସଦସ୍ୟତା ସମାପ୍ତ କରିବା ଅଧିକାର ବାଚସ୍ପତିଙ୍କୁ ଦିଆଯାଇଥିଲା । ଏହି ପ୍ରକ୍ରିୟାରେ କାହାରି ମଧ୍ୟ ହସ୍ତକ୍ଷେପ କରିବାର ଅଧିକାର ନାହିଁ । ୧୯୯୨ ମସିହାରେ ସୁପ୍ରିମ କୋର୍ଟ ସ୍ପଷ୍ଟ କରିଥିଲେ ଯେ, ଦଳ ବଦଳ ଆଇନ ଅନ୍ତର୍ଗତରେ ଜଣେ ନିର୍ବାଚିତ ପ୍ରତିନିଧିଙ୍କ ସଦସ୍ୟତା ସମାପ୍ତ କରିବା ଅଧିକାର କେବଳ ବାଚସ୍ପତିଙ୍କର ଅଛି । ବାଚସ୍ପତି  କୌଣସି ନିଷ୍ପତ୍ତି କରିବା ପୂର୍ବରୁ ଏଥିରେ ହସ୍ତକ୍ଷେପ କରାଯାଇ ପାରିବ ନାହିଁ ।

cp joshi with pilot

ସଂଘର୍ଷର ସ୍ଥିତି ଉତ୍ପନ ହୋଇପାରେ

ବାଚସ୍ପତି କହିଛନ୍ତି ଯେ, ମୁଁ ଅଦାଲତଙ୍କୁ ସମ୍ମାନ ଦେଇଛି । କିନ୍ତୁ ଆମ ସାଥି ନୋଟିସର ଜବାବ ଦେବା ପାଇଁ ସ୍ପିକରଙ୍କ ପାଖକୁ ଆସିବାକୁ ଚାହୁଁନାହାନ୍ତି । ସେମାନେ ସିଧା ଅଦାଲତଙ୍କ ପାଖକୁ ଚାଲିଗଲେ ।ସ୍ପିକରଙ୍କ ନୋଟିସରେ ଆଜି ପର୍ଯ୍ୟନ୍ତ ଅଦାଲତ ହସ୍ତକ୍ଷେପ କରି ନାହାନ୍ତି । ଦଳବଦଳ ଆଇନ କ୍ରମରେ କାରଣ ଦର୍ଶାଅ ନୋଟିସ ଜାରି କରିବା ଅଧିକାର କେବଳ ବାଚସ୍ପତିଙ୍କର ଅଛି । ଏଭଳି କୌଣସି ଉଦାହରଣ ନାହିଁ ଯେତେବେଳେ ମଝିରେ ହସ୍ତକ୍ଷେପ କରାଯାଇଛି । ଆଗକୁ ଏହା ସଂଘର୍ଷର ରୂପ ନେଇପାରେ । ସେଥିପାଇଁ ଆମେ ସୁପ୍ରିମକୋର୍ଟ ଯିବାପାଇଁ ନିଷ୍ପତି ନେଇଛି । ସୁପ୍ରିମକୋର୍ଟ ଆମ କଥା ଶୀଘ୍ର ଶୁଣିବେ ବୋଲି ଆଶା ।

Leave a Reply