ଏବେ ବି ରହିଛି ଆଣ୍ଠୁଏ ଉଚ୍ଚର ପାଣି, ପୁଣି ଘାରିଲାଣି ବର୍ଷା ଭୟ

ଭୁବନେଶ୍ୱର: ଏବେ ବି ଅଧା ରାଜ୍ୟ ବନ୍ୟା ଜଳରେ ଉବୁଟୁବୁ । ବନ୍ୟା ଜଳକୁ ସମୁଦ୍ର ଟାଣୁ ନଥିବା ବେଳେ ସମ୍ପୂର୍ଣ୍ଣ ଜଳ ନିଷ୍କାସନ ପାଇଁ ଆହୁରି ଦୁଇ ଦିନ ଲାଗିବ । ତେବେ ଏହାରି ଭିତରେ ଏବେ ପୁଣି ଘାରିଲାଣି ବର୍ଷା ଭୟ । ଲୋକଙ୍କ ଘରେ ଏବେ ବି ଆଣ୍ଠୁଏ ପାଣି ଜମି ରହିଥିବା ବେଳେ ସେମାନଙ୍କୁ ଅଧିକ ଡରାଇଛି ପାଣିପାଗ ବିଭାଗର ବର୍ଷା ସତର୍କ ସୂଚନା ।

ରାଜ୍ୟରେ ସୋମବାର ଅପେକ୍ଷା ମଙ୍ଗଳବାର ବନ୍ୟାସ୍ଥିତି କିଛି ମାତ୍ରାରେ ସୁଧୁରିଛି । କାରଣ ଉପରମୁଣ୍ଡରୁ ଜଳପ୍ରବାହ କମିବା ସହ ଏବେ ମାତ୍ର ୨୪ଟି ଗେଟ୍ ଦେଇ ହୀରାକୁଦରୁ ବନ୍ୟା ଜଳ ନିଷ୍କାସନ ହେଉଛି । ଏପଟେ କାଠଯୋଡ଼ି ଓ ନରାଜରେ ମଧ୍ୟ ବିପଦ ସଙ୍କେତ ତଳେ ରହିଛି ଜଳସ୍ତର । ହେଲେ ତଳିଆ ଅଞ୍ଚଳରେ ଜଳ ନିଷ୍କାସନ ପାଇଁ ଆହୁରି ଦୁଇ ଦିନ ଲାଗିବ ବୋଲି ସୂଚନା ମିଳିଛି । କାରଣ ପୂର୍ଣ୍ଣିମା ଯୋଗୁଁ ପାଣି ଟାଣୁନି ସମୁଦ୍ର । ପୂର୍ଣ୍ଣମୀ ପରେ ବନ୍ୟାସ୍ଥିତିରେ ସୁଧାର ଆସିବ ବୋଲି କହିଛି ଜଳସଂପଦ ବିଭାଗ ।

ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ରାଜ୍ୟରେ ୩୬ଟି ଘାଇ ହୋଇଥିବା ବେଳେ, ୭ଶହ ୨୯ ଘଳିଆ ମରାମତି କରାଯାଇଥିବା ଜଳସଂପଦ ବିଭାଗ ସୂଚନା ଦେଇଛି । ସେପଟେ ବ୍ରହ୍ମଣୀ ଓ ବୈତରଣୀ ନଦୀରେ ଆସିଥିବା ବନ୍ୟା ଜଳ କମିବାରେ ଲାଗିଛି । ବନ୍ୟା ଜଳ କମିଛି ସତ ହେଲେ ବଢିଚାଲିଛି ଲୋକଙ୍କ ଦୁର୍ଦ୍ଦଶା । ପ୍ରଭାବିତ ଅଞ୍ଚଳରେ ପ୍ରଶାସନ ପହଞ୍ଚି ସ୍ଥିତି ପରଖିବା ସହ ରନ୍ଧା ଖାଦ୍ୟ ଓ ରିଲିଫ୍ ବଣ୍ଟନ ପ୍ରକ୍ରିୟା ଜାରି ରହିଛି ।

 

ହେଲେ ରାଜ୍ୟରେ ଏବେ ବି ଲୋକେ ବନ୍ୟା ଦୁର୍ଦଶାରୁ ସମ୍ପୂର୍ଣ୍ଣ ବାହାରି ନଥିବା ବେଳେ ପୁଣି ସେମାନଙ୍କୁ ଘାରିଛି ବର୍ଷା ଭୟ । ବଜ୍ରପାତ ସହ ବର୍ଷା ନେଇ ରାଜ୍ୟର ୧୦ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ସତର୍କ କରାଇଛି । ସେପଟେ ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ରହିଛି । ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ଅନୁଗୁଳ ଏବଂ ବାଲେଶ୍ୱର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ହୋଇପାରେ । ସେହିପରି ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଗଜପତି, ସମ୍ବଲପୁର ଏବଂ ବରଗଡ଼ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଉତ୍ତର ଓ ଉପକୂଳ ଓଡ଼ିଶାରେ ବଜ୍ରପାତ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Leave a Reply