ଟ୍ରେନ୍ ଏବଂ ବିମାନ ଚଳାଚଳ ନେଇ ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ ଦେଲା ମନ୍ତ୍ରୀ ସ୍ତରୀୟ କମିଟି

1 min read

ନୂଆଦିଲ୍ଲୀ: ଲକ୍‌ଡାଉନ ପରେ ଆରମ୍ଭ ହେବକି ବିମାନ ସେବା ? ଟ୍ରାକରେ ପୁଣି କେବେ ଦୌଡ଼ିବ ରେଳ ଗାଡ଼ି ? ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି । କରୋନା ସଂକ୍ରମଣର ବର୍ତ୍ତମାନର ସ୍ଥିତି ଓ ଆଗାମି ରଣନୀତି ନେଇ ଗ୍ରୁପ୍ ଅଫ୍ ମିନିଷ୍ଟର୍ସ (GoM) ବୈଠକରେ ଆଲୋଚନା ହୋଇଛି । ବିଗୁଡ଼ୁଥିବା ସ୍ଥିତିକୁ ଦେଖି ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ସରିବା ପରେ ଟ୍ରେନ୍‌ ଓ ବିମାନ ସେବା ଆରମ୍ଭ ଉପରେ ଅସହମତି ପ୍ରକାଶ କରିଛନ୍ତି ଅଧିକାଂଶ ମନ୍ତ୍ରୀ ।  ଶନିବାର ଦିନ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ମଧ୍ୟ କହିଛନ୍ତି ଯେ ଘରୋଇ ବିମାନ କମ୍ପାନୀଗୁଡିକ ବିମାନ ଟିକେଟ ବିକ୍ରୟ କରିବା ଉଚିତ ନୁହେଁ । କିନ୍ତୁ ଲକ୍‌ଡାଉନ ମେ ୩ରେ ଖୋଲିବା ଆଶାରେ କିଛି ବିମାନ କମ୍ପାନୀ ଟିକେଟ ବିକ୍ରି କରିବା ଆରମ୍ଭ କରିଛନ୍ତି ।

ରେଳ, ବିମାନ ଯାତ୍ରା ମେ ୩ରୁ ଆରମ୍ଭ ହେବାର ସମ୍ଭାବନା ନାହିଁ

ଶନିବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନେତୃତ୍ୱରେ କୋଭିଡ -19 ପାଇଁ GoMର ପଞ୍ଚମ ବୈଠକ ବସିଥିଲା । ଏହି ବିଷୟ ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ପଠାଯାଇଛି । ସୂଚନାନୁସାରେ ବୈଠକରେ ମେ ପରେ ରେଳ ଓ ବିମାନ ସେବା ଆରମ୍ଭ ହେବ ନାହିଁ ବୋଲି କୁହାଯାଇଛି । ମନ୍ତ୍ରୀ ଦଳର ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମତ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରେ ଦେଶରେ କରୋନା ସ୍ଥିତିର ଆକଳନ ପରେ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି ।

ଟ୍ରେନରେ ସାମାଜିକ ଦୂରତା ସମ୍ଭବ ନୁହେଁ

ରିପୋର୍ଟ ଅନୁଯାୟୀ, ଏଭଳି ପରିସ୍ଥିତିରେ ଯାତ୍ରୀବାହୀ ଟ୍ରେନ୍ ଆରମ୍ଭ କରିବା ସପକ୍ଷରେ ସମସ୍ତ ମନ୍ତ୍ରୀ ମାନେ ମନା କରିଛନ୍ତି । ମନ୍ତ୍ରୀମାନଙ୍କ କହିବା ଅନୁଯାୟୀ ଟ୍ରେନରେ ସାମାଜିକ ଦୂରତାକୁ କଡ଼ାକଡ଼ି ପାଳନ କରିବା ସମ୍ଭବ ନୁହେଁ । ଏୟାର ଇଣ୍ଡିଆ ଏବଂ ବେସରକାରୀ ଏୟାରଲାଇନ୍ସକୁ ମେ ୩ ପରେ ମଧ୍ୟ ବୁକ୍ ନକରିବାକୁ କୁହାଯାଇଛି ।ତେବେ ପୂର୍ବରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଏପର୍ଯ୍ୟନ୍ତ ଘରୋଇ କିମ୍ବା ଆନ୍ତର୍ଜାତୀୟ ବିମାନ ଚଳାଚଳ ପାଇଁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ଅର୍ଥାତ୍ ବର୍ତ୍ତମାନ ସମୟରେ ଭାରତରେ କୌଣସି ବିମାନ ଚଳାଚଳ ଆରମ୍ଭ ହେବ ନାହିଁ । ସେପଟେ କେନ୍ଦ୍ର ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ କହିଛନ୍ତି ଯେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଘରୋଇ କିମ୍ବା ଆନ୍ତର୍ଜାତୀୟ କାର୍ଯ୍ୟ ଖୋଲିବା ପାଇଁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ।

ମାର୍ଚ୍ଚ ୨୫ ରୁ ଟ୍ରେନ୍ ଏବଂ ବିମାନ ବନ୍ଦ ରହିଛି

ମାର୍ଚ୍ଚ ୨୫ ଠାରୁ ଦେଶରେ ଲକଡାଉନ୍ ଲାଗୁ କରାଯାଇଛି ଏବଂ ଏହି ଦିନଠାରୁ ଟ୍ରେନ୍, ବିମାନ, ବସ୍ ବନ୍ଦ ରହିଛି । ପ୍ରଥମ ଲକଡାଉନ୍ ୧୪ ଏପ୍ରିଲ୍ ପର୍ଯ୍ୟନ୍ତ ଥିଲା, କିନ୍ତୁ କରୋନା ରୋଗୀଙ୍କ ଦିନକୁ ଦିନ ବୃଦ୍ଧି ପାଇବା ପରେ ଏହାକୁ ୩ ମେ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

Leave a Reply