କୃଷି ବିଲକୁ ନେଇ ବର୍ଷିଲେ ରାହୁଲ, ‘ବ୍ୟଗ୍ରତା ପାଇଁ ବ୍ୟବସ୍ଥାକୁ ବରବାଦ୍ କରୁଛନ୍ତି ମୋଦି’

1 min read
Rahul Gandhi Targets PM Modi During Ccongress Tractor Rally In Punjab

ଚଣ୍ଡିଗଡ଼: ମୌସୁମୀ ଅଧିବେଶନରେ ସଂସଦରେ କୃଷି ଆଇନ୍ ପାରିତକୁ ନେଇ କୃଷକଙ୍କ ବିରୋଧ ଜାରି ରହିଛି । ବିରୋଧୀ କଂଗ୍ରେସ ଓ ଅନ୍ୟ ବିପକ୍ଷ ଦଳ ମଧ୍ୟ କେନ୍ଦ୍ର ସରକାରଙ୍କୁ କୃଷି ବିଲକୁ ନେଇ ବିରୋଧ ଜାରି ରଖିଛନ୍ତି । କୃଷି ବିଲକୁ ନେଇ ଆନ୍ଦୋଳନକୁ ଶାଣିତ କରିଛି କଂଗ୍ରେସ । ପଞ୍ଜାବରେ କୃଷକଙ୍କ ଆନ୍ଦୋଳନ ଚାଲିଥିବା ବେଳେ ସେଠାରେ କଂଗ୍ରେସ ଟ୍ରାକ୍ଟର ଯାତ୍ରା କରିଛି । ଯେଉଁଥିରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଭାଗ ନେଇଥିଲେ । ସୋମବାର ପଞ୍ଜାବର ଭବାନୀଗଡ଼ରୁ ସମାନା ଅଭିମୁଖେ ଟ୍ରାକ୍ଟର ଯାତ୍ରା ଆରମ୍ଭ ହୋଇଛି ।

ନିଜ କ୍ଷେତ ବଞ୍ଚାଇବା ଯାତ୍ରା ଆରମ୍ଭରୁ ରାହୁଲ ଗାନ୍ଧି ପଞ୍ଜାବରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ । ରାହୁଲ ଗାନ୍ଧି ନିଜ ଭାଷଣରେ କେନ୍ଦ୍ର ସରକାରଙ୍କୁ ଜୋରଦାର ଆକ୍ରମଣ କରିଛନ୍ତି । ‘୬ ବର୍ଷ ମଧ୍ୟରେ ମୋଦି ସରକାର ଗରିବ, ଶ୍ରମିକ ଓ କୃଷକଙ୍କ ଉପରେ ଗୋଟିଏ ପରେ ଗୋଟିଏ ଆକ୍ରମଣ କରି ଚାଲିଛନ୍ତି । ସରକାରଙ୍କ ଗୋଟିଏ ବି ନୀତି ଗରିବ ଜନତାଙ୍କୁ ଫାଇଦା ପହଞ୍ଚାଇବ ନାହିଁ ।’

ରାହୁଲ ଗାନ୍ଧି କହିଛନ୍ତି- ‘ନୋଟବନ୍ଦୀ ପରେ ଜିଏସଟି ଆଣିଥିଲେ, ଏବେ କୌଣସି ଛୋଟ ଦୋକାନୀ କିମ୍ବା ବ୍ୟବସାୟୀଙ୍କୁ ପଚାରନ୍ତୁ ଜିଏସଟିରୁ କଣ ଲାଭ ମିଳିଲା । ଆଜି ଯାଏଁ ଛୋଟ ବ୍ୟବସାୟୀ ଜିଏସଟି କଣ ବୁଝିପାରି ନାହାଁନ୍ତି ।’

କରୋନା ସଂକଟ କାଳରେ ଦେଖା ଦେଇଥିବା ସମସ୍ୟାକୁ ନେଇ ରାହୁଲ ଗାନ୍ଧି କହିଛନ୍ତି- ‘କରୋନା ସମୟରେ ମୁଁ ନରେନ୍ଦ୍ର ମୋଦିଙ୍କୁ କହିଥିଲି ଗରିବଙ୍କୁ ସାହାଯ୍ୟ କରନ୍ତୁ, ଭୋକିଲା ପେଟରେ ଶ୍ରମିକ ହଜାର ହଜାର କିଲୋମିଟର ପାଦରେ ଚାଲିକରି ଯାଉଛି । କ୍ଷୁଦ୍ର ବ୍ୟବସାୟୀଙ୍କୁ ମଧ୍ୟ ସାହାଯ୍ୟ ପାଇଁ କହିଥିଲି, ତଥାପି ମୋଦି କିଛି ପଦକ୍ଷେପ ନେଇ ନଥିଲେ ।’

କଣ ପାଇଁ ବ୍ୟସ୍ତ ଥିଲେ: ରାହୁଲ

କୃଷକଙ୍କୁ ସମ୍ବୋଧିତ କରି ରାହୁଲ କହିଛନ୍ତି- ‘ମୁଁ ଆପଣଙ୍କୁ ପଚାରୁଛି ସଂକଟ ସମୟରେ ଏହି ଆଇନକୁ କାହିଁକି ଆଣିଲେ ? କେଉଁଥି ପାଇଁ ବ୍ୟସ୍ତ ହୋଇ ପଡ଼ିଥିଲେ ? କାରଣ ମୋଦି ଜାଣିଛନ୍ତି କୃଷକ ଓ ଶ୍ରମିକଙ୍କ ପେଟରେ କୁରାଢ଼ି ମାରିଲେ ସେ ଘରୁ ବାହାରି ପାରିବେ ନାହିଁ । ସେଥିପାଇଁ ନରେନ୍ଦ୍ର ମୋଦି ପୂରା ବ୍ୟବସ୍ଥାକୁ ବରବାଦ୍ କରି ଚାଲିଛନ୍ତି । ଯେଉଁଠି ଶ୍ରମିକଙ୍କୁ ଫସଲର ସର୍ବନିମ୍ନ ବିକ୍ରୟ ମୂଲ୍ୟ(MSP) ଗ୍ୟାରେଣ୍ଟି ଦୋ କଥା ସେଠି ସେ ତିନୋଟି ବିଲ୍ ଆଣି କୃଷକ ଓ ଶ୍ରମିକଙ୍କୁ ମାରୁଛନ୍ତି ।’

Rahul Gandhi Targets PM Modi During Ccongress Tractor Rally In Punjab

କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରି ରାହୁଲ କହିଛନ୍ତି- ‘କୃଷକଙ୍କ ପାଖରେ ୨ଟି ବିକଳ୍ପ ଅଛି- ଆଦାନୀ କିମ୍ବା ଅମ୍ବାନୀ । ଏବେ ଆପଣ କୁହନ୍ତୁ କଣ ଏକ କୃଷକ ଲଢ଼ି ପାରିବ ? କଣ କୃଷକ ମୋଦିଙ୍କ ସହ ଆଲୋଚନା କରିପାରିବ ? ଜମାରୁ ନୁହେଁ, ସବୁ ସାରିଦେବା ହେଉଛି ମୋଦିଜୀଙ୍କ ଲକ୍ଷ୍ୟ । ମୁଁ ଏଠାରେ କବେଳ କୃଷକ ଓ ଶ୍ରମିକଙ୍କ ପାଇଁ ଛିଡ଼ା ହୋଇନି ବରଂ ପୂରା ଦେଶର ଜନତାଙ୍କ ପାଇଁ ଛିଡ଼ା ହୋଇଛି । କାରଣ କ୍ଷତି କେବଳ କୃଷକ କିମ୍ବା ଶ୍ରମିକଙ୍କୁ ହେବ ନାହିଁ । ଏହାଦ୍ୱାରା କ୍ଷତି ପୂରା ଦେଶକୁ ହେବ ।’

Leave a Reply