ବିଧାନସଭା ଅଧିବେଶନରେ ସହଯୋଗ କରିବା ପାଇଁ ବିରୋଧୀଙ୍କୁ ଆହ୍ୱାନ ଦେଲେ ସରକାର…

1 min read

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏଥର ଅଧିବେଶନରେ ଆଲୋଚନା ପାଇଁ ଅନେକ ପ୍ରସଙ୍ଗ ରହିଥିଲେ ମଧ୍ୟ ସରକାର ପ୍ରଶ୍ନକାଳକୁ ବାତିଲ କରିଛନ୍ତି । ସାଧାରଣତଃ ପ୍ରଶ୍ନକାଳର ଆଲୋଚନାରେ ସରକାରଙ୍କୁ ବିରୋଧରେ ରାଜ୍ୟର ସମସ୍ୟାଭିତ୍ତିକ ପ୍ରସଙ୍ଗ ଉପରେ ପ୍ରଶ୍ନ ପଚାରି ଉତ୍ତର ମାଗନ୍ତି । ସରକାର ଏଭଳି ସ୍ଥଳେ ଉତ୍ତର ଦେବାକୁ ବାଧ୍ୟ । ମାତ୍ର ଏଥରର ସ୍ୱାସ୍ଥ୍ୟଜନିତ ସ୍ଥିତିକୁ ନଜର ଦେଇ ରାଜ୍ୟ ସରକାର ପ୍ରଶ୍ନକାଳକୁ ବାତିଲ କରିଛନ୍ତି । ଉଲ୍ଲେଖଯୋଗ୍ୟ କେନ୍ଦ୍ର ସରକାର ମଧ୍ୟ ପୂର୍ବରୁ ସମାନ ନିଷ୍ପତ୍ତି ନେଇ ସଂସଦରେ ପ୍ରଶ୍ନ କାଳକୁ ବାତିଲ କରିଛନ୍ତି ।

ଅନ୍ୟପକ୍ଷରେ ସରକାରଙ୍କ ନିଷ୍ପତ୍ତି ବିଜେଡି ବିଧାୟକମାନେ ସମର୍ଥନ ଦେଇଛନ୍ତି । ବିଧାୟକ ଅମର ଶତପଥୀ ଏସବୁ ଉପରେ ଗୁରୁତ୍ୱ ନଦେଇ ବିଧାନସଭା ଚଳାଇବାରେ ସହଯୋଗ କରିହାକୁ ସବୁଦଳକୁ ଆହ୍ୱାନ ଦେଇଛନ୍ତି । ତେବେ  ସଦ୍ୟ ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ, ବିଧାନସଭା ଚାଲିବ ବୋଲି ସୂଚନା ମିଳିଛି । ସମସ୍ତ ବିଧାୟକ ଓ ବିଧାନସଭା କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ ହେବ । ସେହିଭଳି ବିଧାନସଭା କର୍ମଚାରୀଙ୍କୁ ମଧ୍ୟ ବାଧ୍ୟତାମୂଳକ ଟେଷ୍ଟିଂ ପ୍ରକ୍ରିୟା ସାମିଲ କରାଯିବ । ତେବେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଗୃହକୁ ପ୍ରବେଶ କରିବାର ଅନୁମତି ମିଳିବ କି ନାହିଁ, ସେନେଇ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ।

ଅନ୍ୟପକ୍ଷରେ ବିରୋଧୀ ପ୍ରଶ୍ନକାଳକୁ ବାତିଲ କରିବା ନିଷ୍ପତ୍ତିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ପରିପ୍ରେକ୍ଷୀରେ କହିଛନ୍ତି ଯେ ସରକାର ପ୍ରଶ୍ନ କାଳକୁ ବାତିଲ କରିବାର କାରଣ ଏକଦମ ସ୍ପଷ୍ଟ । କୋଭିଡ୍ ବିପତ୍ତି ସମୟରେ ରାଜ୍ୟରେ ହୋଇଥିବା ମହାଦୁର୍ନୀତି ପଦାରେ ପଡ଼ିଯିବା ଭୟରେ ସରକାର ଏଭଳି କରୁଛନ୍ତି । ମାତ୍ର ସରକାରଙ୍କର ଏଭଳି ଆଭିମୁଖ୍ୟ ଗ୍ରହଣୀୟ ନୁହେଁ । ଅତିକମରେ ଏକ ସର୍ବଦଳୀୟ ବୈଠକ ଡ଼ାକି ସରକାର ପ୍ରଶ୍ନକାଳ ହେବା-ନହେବା ଉପରେ ଆଲୋଚନା କରନ୍ତୁ ।

Leave a Reply