ପ୍ଲାଷ୍ଟିକ ମୁକ୍ତ ହେବ ଐତିହ୍ୟ ସହର ପୁରୀ, ଆରମ୍ଭ ହେବ ‘ମୋ ଧାମ, ମୋ ଗର୍ବ’ କାର୍ଯ୍ୟକ୍ରମ

1 min read

ଭୁବନେଶ୍ୱର: ପୁରୀକୁ ସ୍ୱଚ୍ଛ ଓ ଐତିହ୍ୟ ସହର ଭାବେ ବିକଶିତ କରାଯିବ । ଏଥିପାଇଁ ଆରମ୍ଭ ହେବାକୁ ଯାଉଛି ନୂଆ ଅଭିଯାନ  । ଯାହାର ନାମ ରଖା ଯାଇଛି ‘ ମୋ ଧାମ, ମୋ ଗର୍ବ’ । ପ୍ଲାଷ୍ଟିକ ବର୍ଜନ ସହ ପରିଚ୍ଛନ୍ନତାକୁ ସଂକଳ୍ପ ଭାବେ ଗ୍ରହଣ କରାଯାଇ ପ୍ରଶାସନ ପକ୍ଷରୁ ସମସ୍ତ କାର୍ଯ୍ୟ କରାଯିବ । ପୁରୀ ପରିବେଶକୁ ସ୍ୱଚ୍ଛ, ସୁସ୍ଥ ଓ ସୁନ୍ଦର ରଖିବା ନେଇ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି । ଏହି ସବୁ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କରୁଛନ୍ତି ।

ସେହିପରି ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ । ହେଲେ ଏ ନେଇ ଆତ୍ମସନ୍ତୋଷ ନ କରି ସଚେତନ ହେବାକୁ ମୁଖ୍ୟମନ୍ତ୍ରୀ ଚେତାଇ ଦେଇଛନ୍ତି । ସେହିପରି ପ୍ରତିଦିନ ଜନସାଧାରଣଙ୍କ ସେବାରେ ନିୟୋଜିତ ଥିବା କୋଭିଡ଼ ଯୋଦ୍ଧାଙ୍କୁ ମଧ୍ୟ ଉଚ୍ଚ ପ୍ରଶଂସା କରିଛନ୍ତି । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ରବିବାର ରାୟଗଡ଼ା ଜିଲାର ଯୁବ ସ୍ୱେଚ୍ଛାସେବୀ ପାର୍ବତୀ ହିକକାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ପାର୍ବତୀ ରାୟଗଡ଼ାର ଦୁର୍ଗମ ଅଞ୍ଚଳରେ ଡଙ୍ଗରିଆ କନ୍ଧ ଜନଜାତିଙ୍କ ମଧ୍ୟରେ ଆଞ୍ଚଳିକ କୁଇ ଭାଷାରେ କୋଭିଡ଼ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲା ଆଶାକର୍ମୀ ସୁଜାତା ମିଶ୍ର ଓ ଅଙ୍ଗନବାଡ଼ି କର୍ମୀ ସବିତା ପାଢୀଙ୍କୁ ମଧ୍ୟ ଭୂୟସୀ ପ୍ରଶଂସା କରିଛନ୍ତି । ସୁଜାତା ଏବଂ ସବିତା ଉଭୟ ଆଞ୍ଚଳିକ ଭାଷାରେ ସଂଗୀତ ପରିବେଷଣ କରି ଲୋକମାନଙ୍କ ମଧ୍ୟରେ କୋଭିଡ଼ ସଚେତନତାର ବାର୍ତ୍ତା ପହଞ୍ଚାଉଛନ୍ତି ।

ସେହିପରି ବରଗଡ଼ କଟାପଲ୍ଲୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ଲୋଟସ ମିଶ୍ରଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି । ସ୍ଥାନୀୟ ଅଞ୍ଚଳରେ କୋଭିଡ଼ ସଂଖ୍ୟା ବୃଦ୍ଧି ପାଉଥିବା ସମୟରେ ଲୋଟସ୍ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ । ରାଜ୍ୟରେ କୋଭିଡ଼-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅକ୍ଟୋବର ୨୪ରୁ ୨୫ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୧୩ଟି ମାମଲା ଦାୟର କରାଯାଇଛି ।

Leave a Reply