ପୁରୀ ଆକାଶରେ ଘୂରି ବୁଲୁଛି ବିକାଶର ପକ୍ଷୀ; ଭାଇରାଲ ହେଲା ନବୀନଙ୍କ ଭିଡିଓ

ସେଠି ଶ୍ରୀମନ୍ଦିର ଅଛି। ସେଠି ସଂସ୍କୃତି ଅଛି। ସେଠି ସମୃଦ୍ଧି ବି ଅଛି। ହେଲେ ଶ୍ରୀକ୍ଷେତ୍ର ଦିନେ ତାଳପତ୍ର ପୋଥିରେ ସ୍ମୃତି ହୋଇ ରହିଯିବନି ତ ? ଆଜି ଯାହା ସମୃଦ୍ଧି କାଲି ତାହା ସଂସ୍କୃତି । ବିଶ୍ୱର ଅନେକ ପୁରାତନ ସମୃଦ୍ଧି ଓ ସଂସ୍କୃତି ଆଜି କେବଳ ବଞ୍ଚି ରହିଛନ୍ତି ଇତିହାସ ପୃଷ୍ଠାରେ । ସମୟ ସହ ସଂସ୍କୃତି କଣଠେସା ହୋଇଯାଏ, ପୋଥିବିଡ଼ା, ସ୍ମୃତି ଓ ବିଶ୍ୱାସ ଭିତରେ ।ସମୟ ଗତିଶୀଳ । ସମୃଦ୍ଧି ଓ ବିକାଶ ଏହା ସହ ତାଳ ଦେଇ ଆଗକୁ ପାଦ ନଥାପିଲେ ସଂସ୍କୃତି ବଞ୍ଚି ରହି ପାରିବନି । ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଭବିଷ୍ୟତ ପିଢ଼ି ପାଇଁ ଆମ ଜଗନ୍ନାଥ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଏକମାତ୍ର ଉପାୟ ହେଉଛି ଶ୍ରୀକ୍ଷେତ୍ରର ବିକାଶ ଓ ସମୃଦ୍ଧି । ହୁଏତ ଏ ବାସ୍ତବତାକୁ ଅନୁଭବ କରି ପାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଗତ ଦିନର ଉତ୍କର୍ଷକୁ ମନେ ପକାଇ ପୁରୀକୁ ଆଗାମୀ ଶହ ଶହ ବର୍ଷ ପାଇଁ ଓଡ଼ିଆ ସମୃଦ୍ଧିର ପରିଚୟ ଭାବେ ନବ ନିର୍ମାଣ କରିବାକୁ ଆଗେଇ ଆସିଛନ୍ତି ସେ ।ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ୱିଟର ପେଜ୍‌ରେ ପୋଷ୍ଟ ହୋଇଥିବା ଏକ ସନ୍ଦେଶଭରା ଭିଡିଓ ସୋସିଆଲ୍‌ ମିଡିଆରେ ଭିନ୍ନ ଏକ ଆବେଗ ସୃଷ୍ଟି କରିଛି ।

ଭାବାବେଗ ଓ ଭାବପ୍ରବଣତାର ଏକ ଫେଣ୍ଟାଫେଣ୍ଟି ଅନୁଭୂତି ଭିତରେ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଆଙ୍କିଥିବା ନକ୍ସାକୁ ଅତି ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି ଏହି କ୍ଷୁଦ୍ର ସିନେମାରେ । ସୁକ୍ଷ୍ମ କାରୁକାର୍ଯ୍ୟଭରା ତାଳପତ୍ର ପୋଥିରୁ ଜୀବନ୍ୟାସ ପାଉଛି ବିକାଶର ବିହଙ୍ଗ । ସୌନ୍ଦର୍ଯ୍ୟର ଡେଣା ଝାଡ଼ି, ବିକାଶର ବାର୍ତ୍ତା ବୁଣି ସେ ଉଡ଼ି ଚାଲୁଛି ନିବିଡ଼ ସଂସ୍କୃତିରୁ ଅସୀମ ସମୁଦ୍ର ଆକାଶକୁ । କେତେ କଥା, କେତେ କାହାଣୀ, କେତେ କିମ୍ବଦନ୍ତୀ । ପୁଣି କେତେ ବିଶ୍ୱାସ । ….ଏ ସବୁକୁ ଜାବୁଡ଼ି ଧରି କାଳିଆ ସାଆନ୍ତଙ୍କ ଶ୍ରୀକ୍ଷେତ୍ରର ସମୃଦ୍ଧ ସଂସ୍କୃତି କେମିତି ସବୁ ସମୟରେ ସତେଜ ରହିବ ସେ ନେଇ ବାର୍ତ୍ତା ଦେଉଛି ଏ ପକ୍ଷୀ ।ପାଞ୍ଚ ପାଞ୍ଚଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆଙ୍କ ଆବେଗକୁ ବୁଝନ୍ତି । ସେ ଅନୁଭବ କରିଛନ୍ତି ପୁରୀ ସହ ଏ ଜାତିର ଆବେଗ ଜଡ଼ିତ । ପୁରୀର ଦାଣ୍ଡ ହେଉଛି ବଡ଼ଦାଣ୍ଡ, ଶ୍ରୀଜଗନ୍ନାଥ ହେଉଛନ୍ତି ବଡ଼ ଠାକୁର, ପୁରୀ ମନ୍ଦିର ହେଉଛି ବଡ଼ ଦେଉଳ । ଆଉ ପୁରୀ ସମୁଦ୍ରର ଦୃଶ୍ୟ ଅତୁଳନୀୟ । ଏଠି ସବୁ ବଡ଼, ସବୁ ଅଦ୍ୱିତୀୟ, ସବୁ ସ୍ୱତନ୍ତ୍ର । ଏହାର ବିକଳ୍ପ ନା କେଉଁଠି ଅଛି, ନାଁ କେଉଁଠି ହୋଇପାରିବ ।

ହେଲେ ବାସ୍ତବରେ କିନ୍ତୁ ବଡ଼ଦାଣ୍ଡ ଦିନକୁ ଦିନ ସଂକୁଚିତ ହୋଇଯାଉଥିଲା । ବଡ଼ ଦେଉଳର ଚାରିପାଖ ଜବରଦଖଲ ଯୋଗୁଁ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ହାନି ହେଉଥିଲା । ସବୁ କିଛି ଶୃଙ୍ଖଳିତ କରିବାକୁ ମୁଖ୍ୟମନ୍ତ୍ରୀ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ପୁରୀ ସହରର ନବକଳେବର ପାଇଁ ମୁଖ୍ୟମନ୍ତ୍ରୀ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ପରିଧି ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ ପରେ ଥଇଥାନ ଓ ବିକାଶମୂଳକ କାର୍ଯ୍ୟ ପାଇଁ ତୁରନ୍ତ ୫ଶହ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି । ବଡ଼ଠାକୁରଙ୍କ ନବକଳେବର ପାରମ୍ପରିକ ରୀତିନୀତି ଅନୁଯାୟୀ ହେଉଥିବା ବେଳେ ନବୀନ ପଟ୍ଟନାୟକ ହେଉଛନ୍ତି ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ ପୁରୀ ସହରର ନବକଳେବର ପାଇଁ ଏକ ମନେ ରଖିବା ଭଳି ନିଷ୍ପତ୍ତି ନେଇଛନ୍ତି ।

Leave a Reply