ଅପରାହ୍ନ ୪ଟା ଯାଏଁ ମହାପ୍ରଭୁଙ୍କ ଦର୍ଶନ, ନୂଆବର୍ଷରୁ ବନ୍ଦ

ପୁରୀ: ମନ୍ଦିର ଖୋଲିବା ପରେ ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଶ୍ରୀକ୍ଷେତ୍ରବାସୀ। ପର୍ଯ୍ୟାୟ କ୍ରମେ ପ୍ରତିଦିନ ୩ଟି ସିଫ୍ଟରେ ୱାର୍ଡ ୱାରୀ ଦର୍ଶନ ଚାଲିଛି। ଭଡାଟିଆ ଓ ପୁରୀରେ ରହୁଥିବା କର୍ମଜୀବୀ ମଧ୍ୟ ଦର୍ଶନ ସୁଯୋଗ ପାଇଛନ୍ତି ।

ସୂଚନା ଅନୁସାରେ ଆଜି ୨ଟି ସିଫ୍ଟରେ ଅପରାହ୍ନ ୪ଟା ଯାଏଁ ୨୮, ୨୯ ଓ ୩୧ ନମ୍ବର ୱାର୍ଡବାସୀ ଜଗା ଦର୍ଶନ କରିବାର ସୁଯୋଗ ପାଉଛନ୍ତି । ହେଲେ ୪ଟା ପରଠାରୁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ । ଯଦିଓ ଦର୍ଶନ ବନ୍ଦ ରହିବ ତଥାପି ଶ୍ରୀଜିଉଙ୍କ ନୀତିକାନ୍ତି ପୂର୍ବବତ୍ ଜାରି ରହିବ। ପୂର୍ବ ନିର୍ଦ୍ଦେଶ ମୁତାବକ ଆସନ୍ତା କାଲି ଏବଂ ଶନିବାର ୨ଦିନ ଜଗନ୍ନାଥ ଦର୍ଶନ ବନ୍ଦ ରହିବ ।  ପୁଣି ୩ ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ।

Puri Jagannath Temple To Be Reopen For Devotee From January 3 WIth Covid Guidelines 

ମନ୍ଦିର ଖୋଲିବା ପରେ ସର୍ବସାଧାରଣ ମହାବାହୁଙ୍କ ଦର୍ଶନ ଆରମ୍ଭ କରି ପାରିବେ । ସକାଳ ୮ରୁ ଦର୍ଶନ ବ୍ୟବସ୍ଥା ହୋଇଥିବା ବେଳେ ଏଥର କିନ୍ତୁ ପୁରୀ ସହ ବାହାର ଜିଲ୍ଲାବାସୀ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ସୁବିଧା ପାଇବେ । ପ୍ରଶାସନର ନିୟମ ଅନୁଯାୟୀ ସାଙ୍ଗରେ ପରିଚୟ ପତ୍ର ସହ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେ ବାହାର ଜିଲ୍ଲାର ଭକ୍ତ ।

ଗତ ୨୬ ତାରିଖଠାରୁ ୱାର୍ଡ ୱାରି ପୁରୀବାସୀଙ୍କ ଚାଲିଛି ଜଗନ୍ନାଥ ଦର୍ଶନ । ଲୋକଙ୍କ ସହଯୋଗକୁ ଦେଖି ପୁରୀରେ ରହୁଥିବା କର୍ମଜୀବୀ, ସରକାରୀ କର୍ମଚାରୀ ଓ ଭଡାଟିଆମାନଙ୍କ ପାଇଁ ପ୍ରଶାସନ ଦର୍ଶନ ଅନୁମତି ଦେଇଥିଲେ । ଗତ ୯ ମାସ ଧରି ହୁଣ୍ଡିର ଆୟ ସମସ୍ତଙ୍କୁ ଚିନ୍ତିତ କରିଥିବା ବେଳେ ଏବେ ଦାନ ବଢିଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁ ଏହାକୁ ସ୍ୱାଗତ କରିଥିବା ସୂଚନା ମିଳୁଛି ।

ତେବେ ନିକଟରେ ଶ୍ରୀ ମନ୍ଦିରରେ ଭକ୍ତଙ୍କ ଦର୍ଶନ ନେଇ ପ୍ରଶାସନ ପକ୍ଷରୁ ଏସଓପି ଜାରି କରାଯାଇଥିଲା । ତଦନୁଯାୟୀ ମାର୍କେଟ ଛକ ନିକଟ ବ୍ୟାରିକେଡ୍‌ ଦେଇ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁ ପ୍ରବେଶ କରିବାକୁ ଥିବା ବେଳେ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଦର୍ଶନ ପାଇଁ ଆସୁଥିଲେ ପୁରୀବାସୀ ଟୋକନ ନେଇ ଆସିବେ ବୋଲି କୁହାଯାଇଥିଲା। ଟୋକନ ସହ ଆଧାର କାର୍ଡ଼ ବା ଭୋଟର କାର୍ଡ଼ ଆଣିବା ଜରୁରୀ । ଏହାବ୍ୟତୀତ ମନ୍ଦିର ଭିତରେ ଏବଂ ବାହାରେ ମାସ୍କ ପିନ୍ଧି ଶ୍ରଦ୍ଧାଳୁ ଦର୍ଶନ କରିପାରିବେ ବୋଲି ଉଲ୍ଲେଖ କରାଯାଇଥିଲା ।

ଆହୁରି ମଧ୍ୟ ଶ୍ରୀମନ୍ଦିର ଭିତରକୁ ଭୋଗ, ଫୁଲ, ଦୀପ ନେବା ସଂପୂର୍ଣ୍ଣ ବାରଣ କରାଯାଇଥିଲା । ଏପରିକି ମନ୍ଦିର ପରିସରରେ ଓ ଆନନ୍ଦ ବଜାରରେ ମହାପ୍ରସାଦ ସେବନ ନକରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

Leave a Reply