ତିନି ରଥରେ ବିଜେ ହେଲେ ଆଜ୍ଞାମାଳ, ସୁପ୍ରିମକୋର୍ଟଙ୍କ ରାୟକୁ ଅପେକ୍ଷା

puri rath yatra 2020: agyanmala bije performed

ପୁରୀ: ରଥଯାତ୍ରା ହେବ କି ନାହିଁ ତାକୁ ନେଇ ଆଶା ଓ ଆଶଙ୍କା ଲାଗି ରହିଛି । ରାଜ୍ୟ ସରକାରଙ୍କ ଦ୍ୱାରା ଦାଏର ଆବେଦନର ଶୁଣାଣି କରୁଥିବା ଜଷ୍ଟିସ ଅରୁଣ ମିଶ୍ର ମାମଲାକୁ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ଅଧ୍ୟକ୍ଷତା ବିଶିଷ୍ଟ ତିନି ଜଣିଆ ବେଂଚକୁ ସ୍ଥାନାନ୍ତରିତ କରିଛନ୍ତି । ସୁପ୍ରିମକୋର୍ଟଙ୍କ ତିନି ଜଣିକିଆ ବେଂଚ୍ ଜୁନ୍ ୧୮ ତାରିଖ ରାୟ ସଂଶୋଧନ ମାମଲାର ଶୁଣାଣି କରୁଛନ୍ତି । ଏହାରି ଭିତରେ ତିନି ରଥରେ ଆଜ୍ଞାମାଳ ବିଜେ ହୋଇଛନ୍ତି । ଆଜି ପ୍ରଥମେ ଆଜ୍ଞାମାଳ ପ୍ରଥମେ ତାଳଧ୍ୱଜ ରଥରେ ବିଜେ ହୋଇଥିଲେ । ତା’ପରେ ନନ୍ଦିଘୋଷ ରଥରେ ଆଜ୍ଞାମାଳ ବିଜେ ହୋଇଥିଲେ । ଏହାପରେ ଦେବୀ ସୁଭଦ୍ରାଙ୍କ ରଥ ଦେବଦଳନରେ ଆଜ୍ଞାମାଳ ବିଜେ ହୋଇଥିଲେ ।

ସେବକ ତିନି ରଥକୁ ଆଜ୍ଞାମାଳ ବିଜେ କରାଇଥିଲେ । ଏହି ସମୟରେ ରଥଖଳାରେ ଅଳ୍ପସଂଖ୍ୟାରେ ଭକ୍ତଙ୍କୁ ଦେଖିବାକୁ ମିଳିଥିଲା । ଆଜ୍ଞାମାଳ ବିଜେ ପରେ ରଥକୁ ଦେଉଳ ମୁହାଁ କରାଯାଇଥାଏ । ରଥଖଳାରୁ ରଥ ସିଂହଦ୍ୱାରରେ ବିଜେ ହୋଇଥାନ୍ତି । ସେଠାରୁ ତିନି ରଥ ଗୁଣ୍ଡିଚା ମନ୍ଦିର ଟଣା ହୋଇଯାଇଥାନ୍ତି । ତେବେ ଏସବୁ ସୁପ୍ରିମକୋର୍ଟଙ୍କ ସଂଶୋଧିତ ରାୟ ଉପରେ ନିର୍ଭର କରୁଛି ।

ଆଜି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେଙ୍କ ନେତୃତ୍ୱରେ ଗଠିତ ତିନି ଜଣିଆ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଦ୍ୱାରା ଦାଏର ଆବେଦନ ଉପରେ ଶୁଣାଣି କରିବେ । ଜୁନ୍ ୧୮ ତାରିଖ ଦିନ ସୁପ୍ରିମକୋର୍ଟ କରୋନା ମହାମାରୀ କାଳରେ ରଥଯାତ୍ରା ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି କହିଥିଲେ । ଏହାପରେ ରାଜ୍ୟ ସରକାର ଏବେ କେବଳ ପୁରୀରେ ରଥଯାତ୍ରା ଅନୁମତି ଦେବା ପାଇଁ ଆବେଦନ କରିଛନ୍ତି ।

ଓଡ଼ିଶା ସରକାରଙ୍କ ତରଫରୁ ପ୍ରିନସିପାଲ ରେସିଡେଣ୍ଟ୍ କମିଶନର ସଂଜୀବ ମିଶ୍ର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ସତ୍ୟପାଠରେ ରାଜ୍ୟ ସରକାର କହିଛନ୍ତି ଯେ, ବିନା ଭକ୍ତ ଓ କେବଳ ପୁରୀରେ ରଥଯାତ୍ରା ପାଇଁ ଅନୁମତି ମିଳିଲେ ରାଜ୍ୟ ସରକାର ଏଥିପାଇଁ ସବୁ ପ୍ରକାର ପଦକ୍ଷେପ ନେବେ । ଗଜପତିଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ସୀମିତ ଭକ୍ତ ଓ ବିନା ସେବାୟତରେ ରଥଯାତ୍ରା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ସତ୍ୟପାଠରେ କୁହାଯାଇଛି । କେନ୍ଦ୍ର ମଧ୍ୟ ବିନା ଭକ୍ତଙ୍କ ଉପସ୍ଥିତିରେ ରଥଯାତ୍ରା ସପକ୍ଷରେ ଥିବା ଜଣା ପଡୁଛି । କାରଣ ସଲିସିଟର ଜେନରାଲ ମଧ୍ୟ ଆଶା କରିଛନ୍ତି ଯେ, ବିନା ଭକ୍ତରେ ରଥଯାତ୍ରା ହେବାକୁ ଅନୁମତି ମିଳିବ ।

ଅପରାହ୍ନ ସୁଧା ସୁପ୍ରିମକୋର୍ଟଙ୍କ ରାୟ ଆସିବ ବୋଲି ଆଶା କରାଯାଉଛି । ସୂଚନାଯୋଗ୍ୟ ଯେ, ଜୁନ୍ ୧୮ ତାରିଖ ଦିନ ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ରଥଯାତ୍ରା ଉପରେ ଶୁଣାଣି କରି କରୋନା ମହାମାରି କାଳରେ ରଥଯାତ୍ରା ଆୟୋଜନ କରିବା ଠିକ୍ ହେବ ନାହିଁ ବୋଲି କହିଥିଲେ । ପ୍ରଧାନ ବିଚାରପତି କହିଥିଲେ ଯେ,ରଥଯାତ୍ରା ପାଇଁ ଅନୁମତି ଦେଲେ ପ୍ରଭୁ ଜଗନ୍ନାଥ ଆମକୁ କେବେ  କ୍ଷମା କରିବେ ନାହିଁ । ଏହି ରାୟ ପରେ ଓଡ଼ିଶାର ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ନିରାଶା ସୃଷ୍ଟି ହୋଇଥିଲା ।

Leave a Reply