ଖୁବଶୀଘ୍ର ପୁରୀ ପୌରପାଳିକା ହେବ ମହାନଗର ନିଗମ, ଚାଲିଛି ଜୋରଦାର ପ୍ରସ୍ତୁତି

Pinaki Mishra

ପୁରୀ: ଖୁବଶୀଘ୍ର ମହାନଗର ନିଗମର ମାନ୍ୟତା ପାଇବ ପୁରୀ ପୌରପାଳିକା । ଏନେଇ ସବୁ ପ୍ରକାରର ଉଦ୍ୟମ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ପୁରୀର ବିକାଶ ପାଇଁ ସଦା ସର୍ବଦା ଚେଷ୍ଟା ଜାରି ରଖିଥିବା ବେଳେ ପୁରୀ ମହାନଗର ନିଗମ ପାଇଁ ସମସ୍ତ ସର୍ତ୍ତାବଳୀ ପୂରଣ କରିଥିବା କୁହାଯାଉଛି । ଯାହାକୁ ସବୁ ମହଲରେ ସ୍ୱାଗତ କରାଯାଇଛି ।

ପୁରୀରେ ଜନସଂଖ୍ୟା ସମସ୍ୟା ଏଡାଇବାକୁ ଆଖପାଖ ଅଞ୍ଚଳ ହେବ ସାମିଲ୍ । ଐତିହ୍ୟ ନଗରୀ ପୁରୀର ସାମଗ୍ରିକ ବିକାଶ ଦିଗରେ ମୁଖ୍ୟମନ୍ତ୍ରୀ ଚେଷ୍ଟା କରିବା ସହ ବହୁ ଉନ୍ନତି ମୂଳକ ପ୍ରକଳ୍ପର ନିର୍ମାଣ ଚାଲିଛି । ଏହାରି ମଧ୍ୟରେ ପୁରୀ ପୌରପାଳିକାକୁ ମହାନଗର ନିଗମ କରିବା ନେଇ ମଧ୍ୟ ଯୋଜନା ଚାଲିଥିବା ଜଣାପଡିଛି । ମହାନଗର ନିଗମ ନେଇ ପୁରୀ ସମସ୍ତ ସର୍ତ୍ତାବଳୀ ପୂର୍ଣ୍ଣ କରୁଥିବା ବେଳେ ଛୋଟ ମୋଟ କିଛି ସମସ୍ୟାର ସମାଧାନ ଖୁବ୍‌ ଶୀଘ୍ର କରାଯିବ । ଏନେଇ ପୁରୀ ସାଂସଦ ପିନାକୀ ମିଶ୍ର ସୂଚନା ଦେଇଛନ୍ତି ।

ମହାନଗର ନିଗମ ହେଲେ ସାଧାରଣ ଲୋକେ ଅଧିକ ମୌଳିକ ସୁବିଧା ସୁଯୋଗ ପାଇପାରିବେ । ଅଧିକ ଅନୁଦାନ ରାଶି ମିଳିବା ସହ ଅନେକ ଉନ୍ନତି ମୂଳକ କାର୍ଯ୍ୟ ହୋଇପାରିବ । ତେବେ ଜନସଂଖ୍ୟା ସମସ୍ୟାକୁ ଏଡ଼ାଇବା ପାଇଁ ପୁରୀ ଆଖପାଖ ଅଂଚଳକୁ ସାମିଲ କରାଯିବାର ଆବଶ୍ୟକତା ଥିବା ମତ ପ୍ରକାଶ ପାଇଛି । ପୁରୀ ମହାନଗର ନିଗମ ହୋଇପାରିଲେ ବିକାଶ କାର୍ଯ୍ୟ ଆହୁରି ଅଧିକ ତ୍ୱରାନ୍ୱିତ ହେବ । ଯାହାକୁ ସବୁ ମହଲରୁ ସ୍ୱାଗତ କରାଯାଇଛି ।

Leave a Reply