ବର୍ତ୍ତିଗଲା ବଡ଼ ବିପଦ, ୧୦ ସେକେଣ୍ଡ ଯାଇଥିଲେ ରାସ୍ତାଉପରେ ଖେଳିଥାନ୍ତା ମୃତ୍ୟୁ ତାଣ୍ଡବ !

1 min read

ଗୁଣୁପୁର: ଅଳ୍ପକେ ବର୍ତ୍ତିଗଲା ଲୋକଙ୍କ ଜୀବନ । ରାସ୍ତା ଉପରେ ତାଣ୍ଡବ ପୂର୍ବରୁ ଲୌହଦାନବକୁ ରୋକିଦେଲା ଗାର୍ଡୱାଲ । ଗତକାଲି ବିଳମ୍ବିତ ରାତିରେ ଗୁଣୁପୁର ଷ୍ଟେସନରେ ବଡ଼ ଅଘଟଣ ଅଳ୍ପକେ ଅଟକି ଯାଇଛି । ପୁରୀ-ଗୁଣୁପୁର ଫାଷ୍ଟ ପାସେଞ୍ଜର ରାତି ପ୍ରାୟ ୧୦ଟା ୩୦ରେ ଗୁଣୁପୁର ଷ୍ଟେସନରେ ପହଞ୍ଚିଥିଲା । ଇଞ୍ଜିନ୍ ପରିବର୍ତ୍ତନ କରି ଟ୍ରେନ୍ ଯାତ୍ରୀଙ୍କୁ ନେଇ ବାହାରିଥାନ୍ତା ପଲାସା ।ହେଲେ, ତା ପୂର୍ବରୁ ଘଟିଗଲା ବଡ଼ ଅଘଟଣ । ଇଞ୍ଜିନ୍ ପରିବର୍ତ୍ତନ ବେଳେ ଇଞ୍ଜିନଟି ଆଗକୁ ମାଡ଼ି ଯାଇ ରାସ୍ତା ନିକଟ ଗାର୍ଡ ୱାଲକୁ ଧକ୍କା ଦେଇଥିଲା । ଫଳରେ ଗାର୍ଡ ୱାଲଟି ଭାଙ୍ଗି ଯାଇଛି । ତେବେ, ଇଞ୍ଜିନର ବେଗ ମନ୍ଥର ଥିବାରୁ ଡ୍ରାଇଭର ଅଟକାଇବାରେ ସମର୍ଥ ହୋଇଥିଲେ । ଇଞ୍ଜିନ୍ ଗାର୍ଡ ୱାଲରେ ଧକ୍କା ହେବା ପରେ ଅଟକି ନଥିଲେ । ରାସ୍ତା ଉପର ଦୋକାନକୁ ମାଡ଼ି ଯାଇଥାନ୍ତା ।ଭାଙ୍ଗି ଯାଇଥିବା ଗାର୍ଡ ୱାଲରୁ ରାସ୍ତାର ଦୂରତା ମାତ୍ର ୧୦ ମିଟର । ଉକ୍ତ ରାସ୍ତା ଦେଇ ଯାନବାହାନ ଚଳାଚଳ କରେ । ବହୁ ଦୋକାନ ମଧ୍ୟ ରହିଛି । ଇଞ୍ଜିନଟି ରାସ୍ତାଉପରକୁ ମାଡ଼ି ଯାଇଥିଲେ ଧନ ସହିତ ଜୀବନ ମଧ୍ୟ କ୍ଷୟ ହୋଇଥାନ୍ତା । ଗାର୍ଡ ୱାଲକୁ ଧକ୍କା ଦେବା ପରେ ଇଞ୍ଜିନର କିଛି ଅଂଶ ଭାଙ୍ଗି ଯାଇଛି ।ଅନ୍ୟ ଏକ ଇଞ୍ଜିନ୍ ଆସି ଟ୍ରେନଟିକୁ ପଲାସା ଅଭିମୁଖେ ନେଇ ଯାତ୍ରା କରିଥିଲା । ଘଟଣାରେ ରେଳବାଇ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଆଜି ଏକ ଉଚ୍ଚସ୍ତରୀୟ ଟିମ୍ ତଦନ୍ତ ପାଇଁ ଆସିବ ।

Leave a Reply