ହାଜତରେ ପୁଅର ମୃତ୍ୟୁ ପରେ ଏବେ ମୁହଁ ଖୋଲିଲେ ବାପା-ମା’, କହିଲେ…

Baseli Sahi

ପୁରୀ: ବାସେଳି ସାହି ଥାନା ହାଜତରେ କେ. ରମେଶଙ୍କ ମୃତ୍ୟୁର ୭୨ ଘଣ୍ଟା ପରେ ମୁହଁ ଖୋଲିଛନ୍ତି ବାପା କେ. ଗୁରୁମୂର୍ତ୍ତି ଓ ମାଆ କେ.ଭାରତୀ । ସେମାନେ କହିଛନ୍ତି, ଏପରି ଏକ ସମୟରେ ସେମାନଙ୍କ ପରିବାରକୁ ହଇରାଣ ହରକତ କରାନଯାଉ । ସେମାନଙ୍କ ପରିବାର ପାଇଁ ଏହା ଦୁଃଖଦ ସମୟ । ତେଣୁ ମିଡିଆ ଓ ନେତାମାନେ ତାଙ୍କୁ ପ୍ରଶ୍ନ ପଚାରି ବ୍ୟସ୍ତ ନକରିବାକୁ ରମେଶଙ୍କ ବାପା ମାଆ ସୋସିଆଲ ମିଡିଆରେ ଭିଡିଓ ଛାଡ଼ି ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ, କୌଣସି ଏକ ମାମଲାରେ ବାସେଳୀ ସାହି ଥାନା ପୋଲିସ ଅଟକ ରଖିଥିବା ଜଣେ ଅଭିଯୁକ୍ତର ସନ୍ଦେହ ଜନକ ମୃତ୍ୟୁ ହୋଇଛି । ସମ୍ପୃକ୍ତ ଅଭିଯୁକ୍ତକୁ ଗୁରୁତର ଅବସ୍ଥାରେ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟକୁ ନିଆଯାଇଥିଲା । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଅଭିଯୁକ୍ତର ଶରୀରରେ ମାଡ଼ର ଦାଗ ରହିଥିବା ଦେଖାଯାଇଥିଲା । ଏନେଇ ପୁରୀ ଏସପି ସାମ୍ବାଦିକ ସମ୍ମିଳନୀରେ ସ୍ୱୀକାର ମଧ୍ୟ କରିଛନ୍ତି ।

ତେବେ ପୋଲିସ କହିଥିଲା ରମେଶ କୌଣସି ଅପରାଧିକ କାର୍ଯ୍ୟ କରିବାକୁ ବନ୍ଧୁକ ନେଇ ଆସିଥିଲା । ସୂଚନା ପାଇ ରମେଶକୁ ଠାବ କରାଯାଇଥିଲା । ଏହାପରେ ରମେଶ ଓ ପୋଲିସ ମଧ୍ୟରେ ଦୀର୍ଘ ସମୟ ଧରି ଲୁଚକାଳି ଖେଳ ଚାଲିଥିଲା । ଏହାସହ ପୋଲିସ ଓ ରମେଶ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ଏଥିରେ ଉଭୟ ପକ୍ଷ ଆହତ ହୋଇଥିଲେ । ପରେ ରମେଶକୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

Leave a Reply