ଟଙ୍କା ନାହିଁ ତ ଘର ନାହିଁ, ଚଞ୍ଚକତା କରି ବଡ଼ବଡ଼ିଆଙ୍କୁ ଦିଆଯାଉଛି ହିତାଧିକାରୀଙ୍କ ଘର

1 min read

ଝାରସୁଗୁଡ଼ା: ଘର ଯୋଗାଇ ଦେବାକୁ ୧୦ ହଜାର ଟଙ୍କା । ଟଙ୍କା ନଦେଲେ ଘର ମିଳିବନି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନାଁରେ ଟଙ୍କା ଆଦାୟ । ଏମିତି ସାଂଘାତିକ ଅଭିଯୋଗ ଆସିଛି ଝାରସୁଗୁଡା ଲାଇକେରା ବ୍ଲକ ଭାତଲଇଡା ପଞ୍ଚାତରୁ । ପ୍ରଧାମନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇଦେବାକୁ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ଜି.ଆର.ଏସ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି । ସୂଚନା ଅଧିକାର ତଥ୍ୟ ଅନୁଯାୟୀ ୨୦୧୯-୨୦ ଆର୍ଥିକ ବର୍ଷରେ ଆବାସ ଯୋଜନାରେ ଅଶୋକ ମାଝୀ ପାଇଥିବା ଗୃହର ସିରିଏଲ ନମ୍ବର ୨୭୨ ।

ଲଇକେରା ସୋସାଇଟି ଦସ୍ତାବିଜ ଅନୁସାରେ ଅଶୋକ ମାଝୀଙ୍କ ନାମରେ ଧାନ ବିକ୍ରି କରିବା ପାଇଁ ତିନି ଶହ କ୍ୱିଣ୍ଟାଲ ର ଟୋକନ କଟି ଅଛି । ଖାଲି ସେତିକି ନୁହେଁ ସେହି ଗ୍ରାମର ହୃଷିକେଶ ପଟେଲ ପୂର୍ବରୁ ଏକ ଘର ପାଇଥିଲେ । ପୁଣି ୨୦୧୯-୨୦ ଆର୍ଥିକ ବର୍ଷରେ ତାଙ୍କୁ ମିଳିଛି ଆଉଏକ ଘର ପାଇଁ ଅନୁଦାନ । କିଛି ହିତାଧିକାରୀଙ୍କ ନାଁରେ ଘର ଆସିଥିଲେ ସୁଦ୍ଧା ଟଙ୍କା ଦେଇପାରି ନଥିବାରୁ ସେମାନଙ୍କ ଆବାସ ଆଉ କାହାକୁ ଦିଆଯାଇଥିବା ଅଭିଯୋଗ ହୋଇଛି ।

ଖାଲି ଗୋଟିଏ କି ଦୁଇଟି ନୁହଁ, ପଞ୍ଚାୟତର ଅନେକ ହିତାଧିକାରୀ ଘର ନ ପାଇ ପଞ୍ଚାୟତ ଅଫିସ ଏବଂ ବ୍ଲକ କୁ ଦଉଡ଼ି ଦଉଡ଼ି ନୟାନ୍ତ ହେଲେଣି । ସମସ୍ତଙ୍କର ସେହି ଗୋଟିଏ ଅଭିଯୋଗ ୨୦୧୭-୧୮ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଁ ଆବେଦନ କରିଥିଲେ । ଲିଷ୍ଟ ରେ ନାଁ ମଧ୍ୟ ଆସିଛି । କିନ୍ତୁ ଟଙ୍କା ଦେଇ ନ ପାରିବାରୁ ତାଙ୍କର ନାଁ କାଟି ଅନ୍ୟକୁ ଦେଇ ଦେଉଥିବାର ଅଭିଯୋଗ ଆଣିଛନ୍ତି ।

ସେପଟେ ଜିଲ୍ଲାପାଳଙ୍କ କହିବା କଥା, ପୂର୍ବ ଆବେଦନ ଅନୁସାରେ ବର୍ତ୍ତମାନ ଘର ଯୋଗାଇ ଦିଆଯାଇଛି । ତେବେ ଯଦି ଅଭିଯୋଗ ଆସୁଛି ତେବେ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକକୁ ନିର୍ଦ୍ଦେଶ ଦେଇଛି, ଅଭିଯୋଗ ପ୍ରମାଣିତ ହେଲେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେପଟେ ପ୍ରଶାସନର ଅବହେଳା ଯୋଗୁଁ ଅନେକ ଯୋଗ୍ୟ ହିତାଧିକାରୀ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଏହାର ଉପଯୁକ୍ତ ତଦନ୍ତ କଲେ ପ୍ରକୃତ ତଥ୍ୟ ପଦାକୁ ଆସିପାରନ୍ତା ବୋଲି କହିଛନ୍ତି ବୁଦ୍ଧିଜୀବୀ ।

Leave a Reply