ମହାଭିଯୋଗ ଆଣି ଟ୍ରମ୍ପଙ୍କୁ ବିଦା କରିବା ଚକ୍କରରେ ବିରୋଧୀ

Trump

ଓ୍ୱାସିଂଟନ୍‌: ଆମେରିକାର କ୍ୟାପିଟାଲ ହିଲ୍‌ରେ ଟ୍ରମ୍ପ ସମର୍ଥକଙ୍କ ଆକ୍ରମଣ ପରେ, ରାଷ୍ଟ୍ରପତିଙ୍କୁ ତାଙ୍କ କାର୍ଯ୍ୟକାଳ ସରିବାର ୧୪ ଦିନ ପୂର୍ବରୁ ବିଦା କରାଯାଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । କ୍ୟାପିଟାଲ ହିଲ୍ ସେହି ବିଲ୍ଡିଂ ଯେଉଁଠାରେ ଆମେରିକା କଂଗ୍ରେସର ଦୁଇ ଗୃହର ସଦସ୍ୟ ବସିଥାନ୍ତି । ଏହି ବିଲ୍ଡିଂ ଉପରେ ଟ୍ରମ୍ପ ସମର୍ଥକଙ୍କ ଆକ୍ରମଣକୁ ଆମେରିକୀୟ ଗଣତନ୍ତ୍ର ଉପରେ ଆକ୍ରମଣ ଭାବେ ଗ୍ରହଣ କରାଯାଉଛି । ଏହି ଆକ୍ରମଣ ପାଇଁ ଟ୍ରମ୍ପଙ୍କ ଜିଦ୍‌କୁ ଦାୟୀ କରାଯାଉଛି । ତେଣୁ ଅନେକ ସାଂସଦ ଓ ରାଜ୍ୟପାଳ ଟ୍ରମ୍ପଙ୍କୁ ୧୪ ଦିନ ଆଗରୁ ବିଦା କରିବାକୁ ଚାହୁଁଛନ୍ତି । ତାଙ୍କ ବିରୋଧରେ ମହାଭିଯୋଗ କିମ୍ବା ସମ୍ବିଧାନର ୨୫ତମ ସଂଶୋଧନ ପ୍ରୟୋଗ କରିବା କଥା କୁହାଯାଉଛି ।

୨୦ ଜାନୁଆରୀ ଦିନ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ କାର୍ଯ୍ୟଭାର ସମ୍ଭାଳିବେ । ଯାହାର ଅର୍ଥ ହେଉଛି ଟ୍ରମ୍ପ ଆଉ ମାତ୍ର ୧୪ ଦିନ ପାଇଁ ରାଷ୍ଟ୍ରପତି । କିନ୍ତୁ ବୁଧବାର ଦିନ କ୍ୟାପିଟାଲ ହିଲରେ ହୋଇଥିବା ହିଂସା ପାଇଁ ତାଙ୍କୁ ଦାୟୀ କରାଯାଉଛି । ଜାନୁଆରୀ ୬ ତାରିଖ ଦିନ ବାଇଡେନଙ୍କ ବିଜୟ ଉପରେ ମୋହର ଲଗାଇବା ପାଇଁ ଦୁଇ ଗୃହର ସଦସ୍ୟ ଏକଠି ହୋଇଥିଲେ । କିନ୍ତୁ ଟ୍ରମ୍ପ ସମର୍ଥକ ଏହାକୁ ରୋକିବା ପାଇଁ ସଂସଦ ଉପରେ ହମଲା କରିଥିଲେ । ଏହି ଘଟଣା ପୂର୍ବରୁ ଟ୍ରମ୍ପ ଏମିତି ଗୋଟିଏ ଟ୍ୱିଟ୍ କରିଥିଲେ ଯାହା ସମର୍ଥକଙ୍କୁ ହିଂସା କରିବାକୁ ଉତ୍ସାହିତ କରିଥିଲା ବୋଲି ବିରୋଧୀ କହୁଛନ୍ତି । ଏମିତିରେ ସେମାନେ ଟ୍ରମ୍ପଙ୍କୁ ଦୁଇ ସପ୍ତାହ ଯାଏ ରାଷ୍ଟ୍ରପତି ଭାବେ ଦେଖିବାକୁ ଚାହୁଁନାହାନ୍ତି ।

ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ଗ୍ରହଣ କରିବାକୁ ଆଜି ପର୍ଯ୍ୟନ୍ତ ମନା କରି ଆସୁଥିଲେ । ହିଂସା ପରେ ଆଜି ସେ କ୍ଷମତା ହସ୍ତାନ୍ତର କରିବାକୁ ରାଜି ହୋଇଛନ୍ତି । ହିଂସା କାଳରେ ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କ ଗୋଟିଏ ଟ୍ୱିଟ୍ କରି ହିଂସା କରୁଥିବା ସମର୍ଥକଙ୍କୁ ଦେଶଭକ୍ତ ବୋଲି କହିଥିଲେ । ପରେ ବିବାଦ ବଢିବାରୁ ସେ ନିଜ ଟ୍ୱିଟ୍ ଡିଲିଟ୍ କରିଥିଲେ । ଉଭୟ ରିପବ୍ଲିକ୍ ଓ ଡେମୋକ୍ରାଟିକ ଦଳର ସଦସ୍ୟ ହିଂସାକୁ ନିନ୍ଦା କରିଛନ୍ତି ।

ଭର୍ଜିନିଆର ଡେମୋକ୍ରାଟିକ ସାଂସଦ ଡୋନାଲ୍ଡ ବେୟର ବୁଧବାର ଦିନ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ସମର୍ଥନ କରିଛନ୍ତି । ସେ କହିଛନ୍ତି ଯେ, ଟ୍ରମ୍ପ୍ ଆମ ଗଣତନ୍ତ୍ର ପାଇଁ ବିପଦ । ମୁଁ ତାଙ୍କୁ ପଦରୁ ହଟାଇବା ପାଇଁ ଓ ମହାଭିଯୋଗ ଆଣିବା ପ୍ରସ୍ତାବକୁ ସମର୍ଥନ କରୁଛି । ୨୫ତମ ସମ୍ବିଧାନ ସଂଶୋଧନ ଜରିଆରେ ଟ୍ରମ୍ପଙ୍କୁ ପଦରୁ ହଟାଇବା ଅଧିକ ସହଜ ହେବ ବୋଲି ସେ କହିଛନ୍ତି । ଟ୍ରମ୍ପ ଆଉ ୧୪ ଦିନ ପରେ ରାଷ୍ଟ୍ରପତି ପଦ ଛାଡୁଥିବାରୁ ମହାଭିଯୋଗ ପ୍ରସ୍ତାବ ଆଣିବା ବ୍ୟବହାରିକ ହେବ ନାହିଁ ତେଣୁ ୨୫ ତମ ସମ୍ବିଧାନ ସଂଶୋଧନ ପ୍ରୟୋଗ କରାଯାଉ ବୋଲି କିଛି କହୁଛନ୍ତି ।

ଆମେରିକୀୟ ଖବରକାଗଜ ୱାଂଶିଟନ୍ ପୋଷ୍ଟ ଟ୍ରମ୍ପଙ୍କ ବିରୋଧରେ ସମ୍ବିଧାନର ୨୫ତମ ସଂଶୋଧନକୁ ପ୍ରୟୋଗ କରିବାକୁ ଆହ୍ୱାନ କରିଛି । ନିଜ ସମ୍ପାଦକୀୟରେ ୱାଶିଂଟନ ପୋଷ୍ଟ ଲେଖିଛି ଯେ, ‘ଆଗାମୀ ୧୪ ଦିନ ପାଇଁ ରାଷ୍ଟ୍ରପତି ରହିବାକୁ ଟ୍ରମ୍ପ ଅଯୋଗ୍ୟ । ତାଙ୍କ କାର୍ଯ୍ୟକାଳର ପ୍ରତି ସେକେଣ୍ଡ୍ ଦେଶ ପାଇଁ ବିପଦ’ ।

Leave a Reply