ଟିକାକରଣ ପାଇଁ ସବୁପ୍ରକାର ବ୍ୟବସ୍ଥା ସରିଛି ଏବେ କେନ୍ଦ୍ରକୁ ଅପେକ୍ଷା…

1 min read

ଭୁବନେଶ୍ୱର: କେନ୍ଦ୍ର ସରକାର ଟିକା ଦେବା ପରେ ତୁରନ୍ତ ଟିକାକରଣ କରାଯିବ । କୋଭାକ୍ସିନ ଓ କୋଭିସିଲ୍‌ଡ ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ଡିସିଜିଆଇର ଗ୍ରୀନ୍ ସିଗନାଲ ପରେ ଡିଏମ୍‌ଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ଏମିତି କହିଛନ୍ତି । ପ୍ରାଥମିକସ୍ତରରେ ପ୍ରସ୍ତୁତ ଡାଟାବେସ୍‌ ଅନୁସାରେ, ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବା ପାଇଁ କେନ୍ଦ୍ର ନିକଟରେ ଦାବି ରଖାଯାଇଛି ।

ବୟସ୍କ ଓ ସମ୍ମୁଖ ଯୋଦ୍ଧାଙ୍କ ଡାଟାବେସ୍‌ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରସ୍ତୁତ ହେବ । ଗତବର୍ଷ ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେରମ୍‌ ଇନଷ୍ଟିଚ୍ୟୁଟ୍ ସିଇଓଙ୍କ ସହ କଥା ହୋଇ ଓଡ଼ିଶାକୁ ପ୍ରାଥମିକତା ଦେବା ପାଇଁ କହିଥିଲେ। ସେରମ୍ ନିକଟରେ ୫ କୋଟି ଟିକା ଥିବାରୁ ଦିନେ ଦୁଇ ଦିନ ଭିତରେ ବିତରଣ ଆରମ୍ଭ ହୋଇପାରେ । ସେରମ୍‌ ଇନଷ୍ଟିଚ୍ୟୁଟ୍‌ର କୋଭିସିଲ୍‌ଡର ଗୁଣବତ୍ତା ୭୦ରୁ ୯୦ ପ୍ରତିଶତ ଓ ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌ର ଗୁଣବତ୍ତା ୯୦ରୁ ୯୫ ପ୍ରତିଶତ ବୋଲି ବିଶେଷଜ୍ଞ କହିଛନ୍ତି।

ସେପଟେ ପ୍ରାଥମିକ ପର୍ଯ୍ୟାୟରେ ୩ଲକ୍ଷ ୨୭ ହଜାର ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ପ୍ରସ୍ତୁତ ହୋଇଛି । ଆହୁରି ଅଧିକ ପ୍ରସ୍ତୁତ ହେବ । ଟିକା ଆସିବା ପରେ ଦିଆଯିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ଼ାକ୍ତର ନିରଞ୍ଜନ ମିଶ୍ର । ସେପଟେ ସ୍କୁଲ ଖୋଲିବା ପରେ ଛାତ୍ରଛାତ୍ରୀଙ୍କର ହୋଇପାରେ କୋଭିଡ ଟେଷ୍ଟ। ICMR ନିର୍ଦ୍ଦେଶ ଅନୁସାରେ ଟେଷ୍ଟ ହୁଏ । କାହାର ଟେଷ୍ଟ  ହେବ ସେମାନେ ନିଷ୍ପତ୍ତି ନିଅନ୍ତି। ତେବେ ଏଯାଏ ଛାତ୍ରଛାତ୍ରୀଙ୍କ ଗଣପରୀକ୍ଷା ପାଇଁ ନିର୍ଦ୍ଦେଶ ଆସିନଥିବା ଡିଏମ୍‌ଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି କହିଛନ୍ତି ।

Leave a Reply