ଖୋଲୁଛି ପ୍ରଦୀପ-ପାଠକ ଜାଲିଆତି ପେଡ଼ି, କୋର୍ଟରେ ହାଜର ହେବା ପରେ ପୁଣି ଝାରପଡ଼ା ଫେରିଲେ ବିଧାୟକ

ଭୁବନେଶ୍ୱର:୨ଦିନିଆ ରିମାଣ୍ଡ ଅବଧି ସରିବା ପରେ ପ୍ରଦୀପଙ୍କୁ ଖୋର୍ଦ୍ଧା ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଛି । କୋର୍ଟରେ ହାଜର ପୂର୍ବରୁ କ୍ୟାପିଟାଲ ହସ୍‌ପିଟାଲରେ ପ୍ରଦୀପ ପାଣିଗ୍ରାହୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ତେବେ କୋର୍ଟରେ  ଶୁଣାଣି ପରେ ତାଙ୍କୁ ପୁଣି ଝାରପଡ଼ା ଜେଲକୁ ପଠାଯାଇଥିଲା ।

ଅନ୍ୟପକ୍ଷରେ ପ୍ରଦୀପଙ୍କ ପ୍ରତି କ୍ରାଇମବ୍ରାଂଚର ବ୍ୟବହାର ଠିକ୍ ଥିଲା ବୋଲି ତାଙ୍କ ଓକିଲ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି । କ୍ରାଇମବ୍ରାଂଚ୍ ରିମାଣ୍ଡ୍ ଅବଧି ବଢାଇବା ପାଇଁ ଅଦାଲତରେ କୌଣସି ଆବେଦନ କରିନଥିଲା ବୋଲି ସେ କହିଛନ୍ତି । ତେବେ ଜେଲରେ ତାଙ୍କୁ ରାଜନୈତିକ ବନ୍ଦୀ ହିସାବରେ ସବୁ ପ୍ରକାର ସୁବିଧା ଯୋଗାଇ ଦେବାକୁ ସେ ଅଦାଲତଙ୍କୁ ନିବେଦନ କରିଥିବା କହିଛନ୍ତି ଓକିଲ । କୋଭିଡ୍ କାରଣରୁ ତାଙ୍କୁ ଜେଲ ମାନୁଆଲ ଅନୁସାରେ ସମସ୍ତ ସୁବିଧା ମିଳିବା ଆବଶ୍ୟକ ବୋଲି କହିଛନ୍ତି ତାଙ୍କ ଓକିଲ ।

ପ୍ରଦୀପଙ୍କୁ ୨ଦିନରେ ମାରାଥନ ଜେରା କରିଛନ୍ତି ତଦନ୍ତକାରୀ ଦଳ । ଓଡ଼ିଶା, ବିହାର ଛଡା ଆଉ କେଉଁଠୁ ଟଙ୍କା ଲୁଟିଛନ୍ତି ? ଆହୁରି କେତେ ଯୁବକଯୁବତୀ ଠକାମିର ଶିକାର ହୋଇଛନ୍ତି  ? ଠକେଇ ଟଙ୍କା କାହା ଆକାଉଣ୍ଟକୁ କେତେ କେତେ ଯାଇଛି ? ଠକେଇ ଟଙ୍କା କେଉଁଠାରେ ବିନିଯୋଗ ହୋଇଛି ? ଏହି ଟଙ୍କାରେ କୋଠା, ପ୍ଳଟ ଓ ଅନ୍ୟ ସାମଗ୍ରୀ କିଣାଯାଇଛି କି ?  ଯଦି କିଣାଯାଇଛି କାହା କାହା ନାଁରେ ରହିଛି ? ସେ ସବୁର ଖୋଳତାଡ କରୁଛି ଟିମ ।

ପ୍ରଦୀପଙ୍କ ଆକାଉଣ୍ଟକୁ ଆସିଥିବା ଅଢେଇ କୋଟି ଟଙ୍କାର କାରବାରକୁ ନେଇ ରିମାଣ୍ଡରେ ଖୋଳତାଡ଼ କରାଯାଇଛି । ଏ ଟଙ୍କାର ଇନକମ ସୋର୍ସ କଣ ଥିଲା ? କାହିଁକି ଓ କେଉଁ ଉଦ୍ଦେଶ୍ୟରେ ସହଯୋଗୀମାନେ ଟଙ୍କା ଦେଇଥିଲେ ବୋଲି ପ୍ରଦୀପଙ୍କୁ ପ୍ରଶ୍ନ କରିଛି କ୍ରାଇମବ୍ରାଞ୍ଚ। ସେପଟେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ପରେ ବ୍ରହ୍ମପୁରରେ ତନାଘନା କରୁଛି ଭିଜିଲାନ୍‌ସ ଟିମ୍ । ଡିଏସପି ସଂଧ୍ୟାରାଣୀ ସାହୁଙ୍କ ନେତୃତ୍ୱରେ ତଦନ୍ତ ଚାଲିଛି । ଜାଲ ନିଯୁକ୍ତି ତାଲିକାରେ ୧୨୦ରୁ ଅଧିକ ପ୍ରାର୍ଥୀ ଠକେଇର ଶିକାର ହୋଇଥିବା ତାଲିକା କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ସେମାନଙ୍କ ମଧ୍ୟରୁ କେତେଜଣ ଠକାମିର ଶିକାର ହୋଇଛନ୍ତି, ତା’ର ପ୍ରମାଣ ଯୋଗାଡ କରୁଛି ଟିମ୍  । ଅନ୍ୟପଟେ ସ୍କାଏ କିଙ୍ଗରେ ୬୫ ଲକ୍ଷ ଟଙ୍କା ଠକେଇରେ  କମିଶନରେଟ ପୋଲିସ ଖୁବ ଶୀଘ୍ର ଆକାଶ ପାଠକଙ୍କୁ ରିମାଣ୍ଡରେ ନେବ  ।…

Leave a Reply