ଜାଲିଆତିର ଜାଲ ବୁଣିଥିଲେ ଭାବୀ ଜ୍ୱାଇଁ-ଶ୍ୱଶୁର: ଏବେ ମୁକୁଳିବାକୁ ହୋଇଛନ୍ତି କୋର୍ଟଙ୍କ ଦ୍ୱାରସ୍ଥ

1 min read

ଭୁବନେଶ୍ୱର: ଖୋଲୁଛି ପାଠକ ବାପପୁଅ ଓ ପ୍ରଦୀପ ପାଣିଗ୍ରାହୀଙ୍କ ପାପପେଡ଼ି । ଭାବୀ ଜ୍ୱାଇଁଙ୍କ ସହ ମିଶି ଜାଲିଆତିର ମାୟାଜାଲ ବୁଣିଥିଲେ ପ୍ରଦୀପ । ଆଇନ ଫାଶରେ ଛନ୍ଦିହୋଇ ଏବେ ଜେଲ୍‌ରେ ଗୋପାଳପୁର ବିଧାୟକ । ସେପଟେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଅଭୟକାନ୍ତଙ୍କ ପାଦରେ ବେଡ଼ି ପଡ଼ିଛି । ମୁକୁଳିବାକୁ ଜାମିନ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପାଠକ ବାପପୁଅ ଓ ପ୍ରଦୀପ ପାଣିଗ୍ରାହୀ  । ମୁକୁଳିବାକୁ ପ୍ରୟାସ । କୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭୟକାନ୍ତ, ଆକାଶ ଓ ପ୍ରଦୀପ । ଜେଲ୍‌ କି ବେଲ୍‌, ହେବ ଶୁଣାଣି ।

ପ୍ରଦୀପ ପାଣିଗ୍ରାହୀ, ଗୋପାଳପୁର ବିଧାୟକ । ଟାଟା ମୋଟର୍ସ ନାଁରେ ଜାଲ ନିଯୁକ୍ତି  ଓ ଅର୍ଥ ଠକେଇ ମାମଲାରେ ବନ୍ଧାହୋଇ ଝାରପଡ଼ା ଜେଲ୍‌ରେ ଅଛନ୍ତି ପ୍ରଦୀପ। ସଂଗୀନ୍ ଅପରାଧିକ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ପ୍ରଦୀପଙ୍କ ଜାମିନ ଆବେଦନ ଉପରେ ସୋମବାର ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଙ୍କ କୋର୍ଟରେ ଶୁଣାଣି ହେବ। ପୂର୍ବରୁ ଜାମିନ ପାଇଁ ଏସ୍‌ଡିଜେଏମ୍‌ଙ୍କ କୋର୍ଟ ଆବେଦନ କରିଥିଲେ  । କିନ୍ତୁ ଏହା ଖାରଜ ହୋଇଥିଲା । ସେପେଟେ ଆସନ୍ତା ୯ ତାରିଖରେ ପାଠକ ପିତା-ପୁତ୍ରଙ୍କ ଜାମିନ ନେଇ ଶୁଣାଣି ହେବ। ତେବେ ସେମାନଙ୍କୁ ବେଲ୍ ମିଳିବ ନାହିଁ ବୋଲି ବରିଷ୍ଠ ଆଇନଜୀବୀ କହିଛନ୍ତି ।

‘ମଦ ମାଫିଆଙ୍କ ସହ ଜଡ଼ିତ ପ୍ରଦୀପ, ଝିଅ ବାହାଘର ନେଇ ଆଣିଥିଲେ ଟଙ୍କା’

ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଲାଗିଛି ସଂଗୀନ ଦଫା । ଦଫା ନମ୍ବର-୧: ଆଇପିସି ଧାରା ୪୧୯,  ଅନ୍ୟ ଜଣଙ୍କ ନାଁ କହି ଠକେଇ ଓ ପ୍ରତାରଣା।  ଏଥିପାଇଁ ୩ବର୍ଷ ଜେଲ ଦଣ୍ଡ ବ୍ୟବସ୍ଥା ଅଛି । ଦଫା ନମ୍ବର-୨: ଧାରା ୪୨୦, ଜାଲିଆତି କରି ଠକେଇ। ଦଫା ନମ୍ବର- ୩: ଧାରା ୪୬୭, ଜାଲ ପ୍ରମାଣ ଦେଖାଇ ଓ ଦସ୍ତଖତ କରି ଠକେଇ । ଏଥିପାଇଁ ୧୦ ବର୍ଷ ଜେଲ ଦଣ୍ଡ ବ୍ୟବସ୍ଥା ଅଛି । ଦଫା ନମ୍ବର-୪: ଧାରା ୪୬୮, ଠକେଇ ଉଦ୍ଦେଶ୍ୟରେ ଜାଲିଆତି । ଏଥିପାଇଁ ୭ ବର୍ଷ ଜେଲ ଦଣ୍ଡ ବ୍ୟବସ୍ଥା ଅଛି । ଦଫା ନମ୍ବର-୫: ଧାରା ୪୬୯, ଜାଲିଆତି, ଏଥିପାଇଁ ୩ ବର୍ଷ ଜେଲ ଦଣ୍ଡ ବ୍ୟବସ୍ଥା ଅଛି। ଦଫା ନମ୍ବର-୬: ଧାରା ୪୭୧, ଜାଣିଶୁଣି ଅପରାଧ ଓ ଜାଲିଆତି । ଏଥିପାଇଁ ୨ବର୍ଷ ଜେଲ ଦଣ୍ଡ ନିୟମ ରହିଛି । ଦଫା ନମ୍ବର-୭: ଧାରା ୧୨୦ ବି, ଅପରାଧିକ ଷଡ଼ଯନ୍ତ୍ର । ଆଇଟି ଆକ୍ଟ ଭଳି ଦଫା ମଧ୍ୟ ଲାଗିଛି ପ୍ରଦୀପଙ୍କ ନାଁରେ। ସେପେଟେ ଇଡି ମଧ୍ୟ ପାଠକ ପିତାପୁତ୍ର ଓ ପ୍ରଦୀପଙ୍କ ବିରୋଧରେ ୩ଟି ମାମଲା ରୁଜୁ କରି ତନାଘନା ଚଳାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଅଭୟକାନ୍ତ ପାଠକଙ୍କୁ ଧରିଛି ଭିଜିଲାନ୍‌ସ । ଏଥିସହ ବାପା ସମ୍ପତ୍ତିକୁ ଜାଲିଆତି କରି ପୁଅ ନାଁରେ ଦର୍ଶାଇଥିବା ଅଭିଯୋଗ ରହିଛି । ଏଭଳି ସ୍ଥିତିରେ ୩ ଠକଙ୍କୁ ଜାମିନ ମିଳୁଛି ନା ଜେଲ୍, ତା’ ଉପରେ ରହିଛି ନଜର ।

Leave a Reply