କରୋନା ନେଲା ଏହି ଲୋକପ୍ରିୟ ଅଭିନେତାଙ୍କ ଜୀବନ

1 min read
popular actor dies of covid-19 at the age of 41

ନୂଆଦିଲ୍ଲୀ: କରୋନା ଭାଇରସ ସଙ୍କଟ ସରିବାର ନାଁ ହିଁ ନେଉନାହିଁ । ଆମେରିକାରେ କରୋନାର ସର୍ବାଧିକ ମାମଲା ଥିବାବେଳେ ଭାରତ ତୃତୀୟ ସ୍ଥାନରେ ରହିଛି । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ଛୁଇଁଛି । ଗତ ୨୪ ଘଣ୍ଟାରେ କରୋନାରେ ୫୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭ହଜାର ୧୧୪ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦେଶରେ ସର୍ବାମୋଟ୍ ପଜିଟିଭ୍ ସଂଖ୍ୟା ୮ଲକ୍ଷ ୨୦ ହଜାର ୯୧୬କୁ ବୃଦ୍ଧି ପାଇଛି ।

ତେବେ ବଲିଉଡ ତଥା ଟିଭି ଇଣ୍ଡଷ୍ଟ୍ରିର ଅନେକ କଳାକାର ମାନେ ମଧ୍ୟ କରୋନାର ଶିକାର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି କରୋନା ସଂକ୍ରମିତ ସୁସ୍ଥ ହୋଇସାରିଛନ୍ତି । ଅପରପକ୍ଷରେ କିଛି ଜଣ ଏଯାଏଁ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ଠିକ୍ ସେହିଭଳି ହଲିଉଡ ମଧ୍ୟ କରୋନା କବଳରୁ ବଞ୍ଚିପାରିନାହିଁ । ନିକଟରେ ହଲିଉଡର ଜଣେ ଲୋକପ୍ରିୟ ଅଭିନେତାଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି । ୪୧ ବର୍ଷିୟ ହଲିଉଡ ଅଭିନେତା ନିକ କର୍ଡେରୋ କରୋନା ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି। ନିକ୍ କର୍ଡେରୋ ଗତ କିଛି ମାସରୁ କୋଭିଡ୍ -୧୯ ସଂକ୍ରମଣରେ ଚିକିତ୍ସିତ ହେଉଥିଲେ । ଏବେ ସେ ଦୁନିଆ ଛାଡି ଚାଲିଯାଇଛନ୍ତି ।

ନିକଙ୍କ ପତ୍ନୀ ଅମାଣ୍ଡା କ୍ଲ୍ୟୁଟ୍ସ ତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଥିଲେ । ସେ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି ଯେ, ତାଙ୍କ ସ୍ୱାମୀଙ୍କର ଦେହାନ୍ତ ହୋଇଛି । ସେ ତାଙ୍କ ପରିବାରକୁ ବହୁତ ଭଲ ପାଉଥିଲେ। ସେ ହସି ହସି ଏହି ଦୁନିଆ ଛାଡିଛନ୍ତି । ନିକ୍ ଙ୍କ ପତ୍ନୀ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି । ନିକଙ୍କ ବିନା ସେ ତାଙ୍କ ଜୀବନ ବିଷୟରେ କେବେ ଚିନ୍ତା କରିନଥିଲେ । ନିକଙ୍କୁ ସେ କେବେ ଭୁଲି ପାରିବେ ନାହିଁ  ବୋଲି ଲେଖିଛନ୍ତି । ନିକ୍ ସମସ୍ତଙ୍କର ବନ୍ଧୁ ଥିଲେ । ସମସ୍ତଙ୍କ କଥା ଶୁଣିବା, ସାହାଯ୍ୟ କରିବାକୁ ସେ ବହୁତ ଭଲ ପାଉଥିଲେ | ସେ ଜଣେ ଉଜ୍ଜ୍ୱଳ ଅଭିନେତା ସହ ସେ ଜଣେ ଭଲ ସ୍ୱାମୀ ଏବଂ ପିତା ମଧ୍ୟ ଥିଲେ।

Leave a Reply