ପୁରୀ ପାଇଁ ବିକାଶର ସମୟ, ହୀନ ରାଜନୀତିର ନୁହେଁ

1 min read

ପୁରୀ : ଓଡ଼ିଶା ପର୍ଯ୍ୟଟନର ପ୍ରାଣକେନ୍ଦ୍ର ପୁରୀକୁ ହିଁ ବୁଝାଇଥାଏ । ବିଶ୍ୱନିୟନ୍ତା ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ହିଁ ପୁରୀର ମୁଖ୍ୟ ଆକର୍ଷଣ । ଏଥିସହିତ ସୁବିସ୍ତୀର୍ଣ୍ଣ ବେଳାଭୂମି ଏହି ପର୍ଯ୍ୟଟନ ଭୂମିକୁ ଆହୁରି ସମୃଦ୍ଧ କରୁଅଛି । ସ୍ଥାନୀୟ ଲୋକଙ୍କୁ ରୋଜଗାର ଦେବା ସହ ରାଜ୍ୟ ଅର୍ଥନୀତିକୁ ପୁରୀର ସ୍ୱତନ୍ତ୍ର ଅବଦାନ ରହିଛି । ମଠ,ମନ୍ଦିର ସଂସ୍କୃତି ମଧ୍ୟ ପୁରୀ ସଂସ୍କୃତିକୁ ଅନ୍ୟ ସମସ୍ତ ଧାର୍ମିକସ୍ଥଳୀଠାରୁ ଅଲଗା କରିଥାଏ । ସମଗ୍ର ବିଶ୍ୱ ଦରବାରରେ ପୁରୀର ଗୁରୁତ୍ୱକୁ ଅନୁଭବ କରି ରାଜ୍ୟ ସରକାର ଏକାଧିକ ବିକାଶମୂଳକ କାର୍ଯ୍ୟକ୍ଷମ ଜାରି ରଖିଛନ୍ତି । ଦୁଇବର୍ଷ ତଳେ ପୁରୀକୁ ଦେଖିଥିବା ବ୍ୟକ୍ତିଟିଏ ଯଦି ବର୍ତ୍ତମାନ ପୁରୀକୁ ଦେଖିବ, ତେବେ ସେ ନିଶ୍ଚୟ ପରିବର୍ତ୍ତନ ଅନୁଭବ କରିପାରିବ ।

ଗତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟକ୍ତିଗତ ଭାବେ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପୁରୀ ପର୍ଯ୍ୟଟନର ସାମଗ୍ରିକ ବିକାଶ ନେଇ ପ୍ରକ୍ରିୟା ଆରମ୍ଭ କରିଥିଲେ । ମୋଟ ଉପରେ କହିବାକୁ ଗଲେ ପୁରୀ ବିଶ୍ୱ ଐତିହ ନଗରରେ ପରିଣତ ହେବା ରାସ୍ତାରେ ଗତି କରିସାରିଛି । ପ୍ରାୟ ୫୧୦ କୋଟି ଟଙ୍କା ବ୍ୟୟବରାଦରେ ୭ ପ୍ରକଳ୍ପ ନିର୍ମାଣ ନେଇ ପରିକଳ୍ପନା କରାଯାଇଛି । ଏହି ପଦକ୍ଷେପକୁ ଶ୍ରୀମନ୍ଦିରର ସେବାୟତମାନେ ମଧ୍ୟ ସ୍ୱାଗତ କରିଛନ୍ତି । ପୁରୀ ସହରରେ ହେବାକୁ ଥିବା ପ୍ରକଳ୍ପଗୁଡିକ ମଧ୍ୟରେ ରହିଛି- ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ଯାତ୍ରୀ ସେବା କେନ୍ଦ୍ର, ସ୍ଵର୍ଗ ଦ୍ୱାର ନବୀକରଣ, ଜେଲ୍ ରୋଡ଼ରେ ବହୁତଳ ପାର୍କିଂ, ବେଳାଭୂମିରେ ଭେଣ୍ଡିଂ ଜୋନ, ମାର୍କେଟ ଛକରେ ବହୁମୁଖୀ ମାର୍କେଟ କମ୍ପେକ୍ସ, ଆହାର ଓ ମଧ୍ୟାନ୍ନ ଭୋଜନ ରୋଷେଇ ପାଇଁ ଅତ୍ୟାଧୁନିକ କିଚେନ୍ ।

ସାରା ପୁରୀ ସହରର ଟ୍ରାଫିକ ସମସ୍ୟାକୁ ଶୃଙ୍ଖଳିତ କରିବା ପାଇଁ ଅବଢ଼ା ଯୋଜନା ଅନ୍ତର୍ଗତ ଶ୍ରୀସେତୁ ପ୍ରକଳ୍ପରେ ୨.୩ କିଲୋମିଟର ଲମ୍ବାର ପୋଲ ନିର୍ମିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଟ୍ରମ୍ଫେଟ ଆକାରରେ ଏହି ବ୍ରିଜ ମଙ୍ଗଳାଘାଟରୁ ଜଗନ୍ନାଥ ବଲ୍ଲଭ ପର୍ଯ୍ୟନ୍ତ ଲମ୍ବିବ । ଏହି ବ୍ରିଜ ପାଇଁ ଖର୍ଚ୍ଚ ହେବ ୧୮୧ କୋଟି ଟଙ୍କା । ସେହିପରି ଶ୍ରୀଜଗନ୍ନାଥ ବଲ୍ଲଭ ଯାତ୍ରୀ ସହାୟକ କେନ୍ଦ୍ର । ୧,୦୦୦ କାର୍ ପାଇଁ ବହୁତଳ ପାର୍କିଂ ସହ ଛଅ ତାଲା କୋଠାର ନିର୍ମାଣ ଯୋଜନା ପାଇଁ ୧୯୦ କୋଟି ଟଙ୍କାର ଅଟକଳ ହୋଇଛି । ଜେଲ ରୋଡରେ ମଲ୍ଟି ଲେଭଲ କାର ପାର୍କିଂରେ ୫୦୦ କାର୍ ଓ ୫୦୦ ଦୁଇଚ଼କିଆ ଗାଡ଼ି ରହିବାର ବ୍ୟବସ୍ଥା ସହ ୩୫୦ ୟୁନିଟ ଦୋକାନ ଘର କରାଯିବ । ସେଥିପାଇଁ ଖର୍ଚ୍ଚ ଅଟକଳ ୯୦ କୋଟି ୨୨ ଲକ୍ଷ ଟଙ୍କା । ସେହିଭଳି ପୌରସଂସ୍ଥା ମାର୍କେଟ କଂପ୍ଲେକ୍ସର ନବୀକରଣ, ଯେଉଁଥିରେ ପାଞ୍ଚ ତାଲା କୋଠା ହେବ ଓ ସେଥିରେ ୫୦୦ଟି ଦୋକାନ ଘର, ୪୦୦ଟି କାର ପାର୍କିଂ, ୩୦୦ କିଲୋୱାଟର ରୁଫ୍ଟପ୍ରେ ସୋଲାର୍ ପ୍ୟାନେଲ ଆଦି ରହିବ, ସେଥି ପାଇଁ ୪୪.୮୨ କୋଟି ଟଙ୍କା ଅଟକଳ ରଖାଯାଇଛି । ସେହିପରି ସ୍ୱର୍ଗଦ୍ୱାରର ନବୀକରଣ ପାଇଁ ରଖାଯାଇଥିବା ୧୨ କୋଟି ଟଙ୍କାରେ ସମୁଦ୍ର କୂଳ ଅଞ୍ଚଳରେ ଭେଣ୍ଡିଂ ଜୋନ୍ ନିର୍ମାଣ, ମଙ୍ଗଳାଘାଟ ଅଞ୍ଚଳରେ ୫୦,୦୦୦ ଛାତ୍ରଛାତ୍ରୀଙ୍କ ପାଇଁ ମିଡ୍ ଡେ ମିଲ ଓ ଆହାର ପାଇଁ ସେଣ୍ଟ୍ରାଲାଇଜ୍ଡ୍କିଚେନ ନିର୍ମାଣର ଶିଳାନ୍ୟାସ ହୋଇଛି ।

ହେଲେ ଶାନ୍ତିପ୍ରିୟ ଓଡ଼ିଶାରେ ନିଜର ରାଜନୈତିକ ଉପସ୍ଥିତି ଖୋଜୁଥିବା ଦଳ ଏବଂ କେତେକ କୁଚକ୍ରୀ ଗୋଷ୍ଠୀ ବର୍ତ୍ତମାନ ଅପ୍ରସଙ୍ଗଗୁଡିକ ପ୍ରସଙ୍ଗ କରି ପୁରୀ ବିକାଶରୁ ସମସ୍ତଙ୍କ ଧ୍ୟାନ ହଟାଇବାକୁ ଚାହୁଁଛନ୍ତି । ଯାହାର ସଦ୍ୟତମ ଉଦାହରଣ ହେଉଛି-ବଗଲା ଧର୍ମଶାଳାକୁ ନେଇ ହୀନ ରାଜନୀତି । ଏହା ପଛରେ କୌଣସି ଜନସମର୍ଥନ ଥିବା ଖୋଦ୍ କଂଗ୍ରେସ ନେତା ତଥା ବିଶ୍ୱାବସୁ ବିନାୟକ ଦାସ ମହାପାତ୍ର କହିଛନ୍ତି । ରାଜ୍ୟ ସରକାର ନେଇଥିବା ପଦକ୍ଷେପରେ କୌଣସି ଆଇନର ଉଲ୍ଲଂଘନ ହୋଇନାହିଁ । ଦେଶକୁ ୬ ବର୍ଷ ଧରି ଭଲ ଶାସନ ଦେଇ ପାରି ନ ଥିବା ଦଳ ଏସବୁ କରୁଛନ୍ତି ।

ପୁରୀ ସହର ପ୍ରକୃତ ସମସ୍ୟାରୁ ଧ୍ୟାନ ହଟାଇବା ପାଇଁ ଏହି ହୀନ ରାଜନୀତି କରାଯାଉଛି । ବିସ୍ଥାପିତକୁ ଦିଆଯାଇଥିବା ଜାଗା ସେମାନଙ୍କ ତ୍ୟାଗ ତୁଳନାରେ କିଛି ନୁହେଁ ବୋଲି ବିନାୟକ ଦାସମହାପାତ୍ର କହିଛନ୍ତି । ପୁରୀର ସାମଗ୍ରିକ ବିକାଶ ଉପରେ ମତ ଦେଇ ସଂସ୍କୃତି ଗବେଷକ ପ୍ରଫୁଲ୍ଲ ରଥ କହିଛନ୍ତି ଯେ, ରାଜ୍ୟ ସରକାର ଯେଉଁ ସାହାସ ଦେଖାଇ ଏ ସବୁ କରିଛନ୍ତି, ତାହା ଫଳାଫଳ ଭବିଷ୍ୟତରେ ଆସିବ । ରାଜ୍ୟର ଉନ୍ନତି ପାଇଁ ପୂର୍ବରୁ ବିଜୁ ଯେପରି ସାହସ ପ୍ରଦର୍ଶନ କରି ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ, ଯାହା ଏବେବି ବିଦ୍ୟମାନ । ଅନୁରୂପ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଉଥିବା ପଦକ୍ଷେପ ଆଗାମୀ ଦିନରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ପ୍ରଫୁଲ୍ଲ ରଥ ମତ ଦେଇଛନ୍ତି ।

Leave a Reply