ନବେ ଦଶକର ରାଜନେତ୍ରୀ ଏବେ ହୋଇଛନ୍ତି ସଫଳ ଚାଷୀ, ୯୫ ବର୍ଷରେ ଚାଷ ଜମିରେ ବୁହାଉଛନ୍ତି ଝାଳ…

କେନ୍ଦୁଝର: ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ । ନିଜର ଦୃଢ ଇଚ୍ଛାଶକ୍ତି ଯୋଗୁଁ ସେ ରାଜନେତ୍ରୀରୁ ପାଲଟିଛନ୍ତି ସଫଳ ଚାଷୀ । ନବେ ଦଶକରେ କେନ୍ଦୁଝରର ପରିଚିତ ବ୍ୟକ୍ତିତ୍ୱ ତଥା ଜିଲ୍ଲା ପରିଷଦର ପ୍ରଥମ ଉପାଧ୍ୟକ୍ଷ ସୁଶୀଳାବାଳା ପହି । ବୟସ ୯୫ ଡେଇଁଲାଣି । ହେଲେ ଆଜି ବି ସେ ଚଳଚଞ୍ଚଳ । ଯେଉଁ ବୟସରେ ସେ ବିଶ୍ରାମ କରିବା କଥା ସେ ବୟସରେ ସେ ଚାଷ ଜମିରରେ ବୁହାଉଛନ୍ତି ଝାଳ ।

ଅକାମୀ ହୋଇ ପଡିଥିବା ନିଜର ଏକର ଏକର ଜମିରେ ସେ ଫଳାଇଛନ୍ତି ସୁନାର ଫସଲ । ଅନ୍ୟକୁ ରୋଜଗାର ପନ୍ଥା ଯୋଗାଇବା ସହ ନିଜେ ମଧ୍ୟ ସ୍ୱାବଲମ୍ବୀ ହୋଇଛନ୍ତି । ଭୋରରୁ କ୍ଷେତରେ ପହଞ୍ଚି ଆରମ୍ଭ କରିଦିଅନ୍ତି କାମ । ପରିବା ଚାଷ କରି ଯାହା ମିଳେ ସବୁ ଗରିବଙ୍କ ପାଇଁ ଖର୍ଚ୍ଚ କରନ୍ତି । ରାଜନୀତିରୁ ଅବସର ନେବା ପରେ ଘରେ ବସିବାକୁ ଭଲ ନଲାଗିବାରୁ ଫଳରେ ଚାଷ କରିବାକୁ ମନ ବଳାଇଲେ ଏହି ମହିଳା । ଚାଷ କାର୍ଯ୍ୟରେ ସେ ୧୨ ଜଣ ଶ୍ରମିକଙ୍କୁ ନିଯୁକ୍ତି ଦେଇଛନ୍ତି । ମକା, କଦଳୀ, ରୁମା ଛୁଇଁ, ଭେଣ୍ଡି କାକୁଡିଠାରୁ ଆରମ୍ଭ କରି ସବୁ ପ୍ରକାରର ପନିପରିବା ଚାଷ କରିଛନ୍ତି ସୁଶୀଳାବାଳା.

Leave a Reply