ପୋଲିସ ଚେକିଂ ବେଳେ ୮ କ୍ୱିଣ୍ଟାଲ ଗଞ୍ଜେଇ ସହ ଦେଶୀ ବନ୍ଧୁକ ଜବତ

1 min read
Cannabis

କୋରାପୁଟ: କୋରାପୁଟ-ମାଲକାନଗିରି ସୀମାନ୍ତ ହନୁମାଲ ଗାଁ ନିକଟରେ ବିପୁଳ ପରିମାଣର ଗଞ୍ଜେଇ ଜବତ । ଚଢ଼ାଉ ବେଳେ ଗଞ୍ଜେଇ ଜବତ ସହ ଗୋଟିଏ ଗାଡ଼ି, ଦେଶୀ ବନ୍ଧୁକ ଓ ଗୁଳି ମଧ୍ୟ ଜବତ କରାଯାଇଛି । ମାଛକୁଣ୍ଡସ୍ଥିତ ୧୫ ବାଟାଲିଆନ୍‌ ବିଏସ୍‌ଏଫ୍‌ ଓ କୋରାପୁଟ୍‌ ପୋଲିସର ମିଳିତ ଅପରେସନରେ ଗଞ୍ଜେଇ ଗାଡ଼ି ଜବତ କରାଯାଇଛି ।

ତେବେ ୨ଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ମଙ୍ଗଳବାର ବିଏସ୍‌ଏଫ୍‌ ଓ ପୋଲିସ୍‌ ହନୁମାଲ ଗାଁ ନିକଟରେ ଯାନବାହାନ ଯାଞ୍ଚ କରୁଥିଲେ । ସେହି ସମୟରେ ମାଲକାନଗିରିରୁ ଏକ ଗଂଜେଇ ଭର୍ତ୍ତି ଗାଡି ଦ୍ରୁତ ଗତିରେ ଆସିଥିଲା । ପୋଲିସକୁ ଦେଖି ଡ୍ରାଇଭର ଓ ହେଲପର ଘଟଣାସ୍ଥଳରେ ଗାଡି ଛାଡି ଫେରାର ହୋଇଯାଇଥିଲେ ।

ତେବେ ପୋଲିସ ଗାଡ଼ିକୁ ଜବତ କରିଥିଲା । ଏହି ଗାଡିରୁ ପାଖପାଖି ୮କୁଇଣ୍ଟାଲ ଗଂଜେଇ ଚାଲାଣ କରାଯାଉଥିଲା । ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି । ମାଛକୁଣ୍ଡ ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛି । ମାଲକାନଗିରି ସୀମାନ୍ତବର୍ତ୍ତି ଅଞ୍ଚଳରୁ ପିକଅପ୍ ଭ୍ୟାନ୍‌ରେ ଗଂଜେଇ ଭର୍ତ୍ତି କରି ଲମତାପୁଟ-ଜୟପୁର ରାସ୍ତା ଦେଇ ଛତିଶଗଡ଼ ଅଞ୍ଚଳକୁ ଗଂଜେଇ ଚୋରା ଚାଲାଣ କରିବାକୁ ଯୋଜନା କରାଯାଇଥିଲା । ଗାଡ଼ି ଯାଞ୍ଚ ବେଳେ ଗାଡିରୁ ଗୋଟିଏ ଦେଶୀ ବନ୍ଧୁକ ଓ ୨ଟି ଗୁଳି ଜବତ କରାଯାଇଛି ।

Leave a Reply