ଆସନ୍ତାକାଲି ବାରବାଟୀ ଦିନିକିଆ, ବ୍ଲାକ ଟି-ସାର୍ଟରେ ନଜର ଆସିବେ ପୋଲିସ ଅଧିକାରୀ

1 min read

କଟକ : ଦର୍ଶକଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ପାଇଁ କମିଶନରେଟ ପୋଲିସର ନିଆରା ପଦକ୍ଷେପ । ରାତି ପାହିଲେ ବାରବାଟୀରେ ହେବ ଇଣ୍ଡିଆ-ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ମ୍ୟଚ । ଏଥିପାଇଁ ସବୁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ବେଳେ, ଶୃଙ୍ଖଳିତ ଭାବେ ମ୍ୟାଚ ଆୟୋଜନ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ତେବେ ପ୍ରଥମ ଥର ପାଇଁ ଦର୍ଶକଙ୍କ ସହ ବନ୍ଧୁତ୍ୱପୂର୍ଣ ବ୍ୟବହାର ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏକ ନିଆରା ପଦକ୍ଷେପ ହାତକୁ ନିଆଯାଇଛି । ମ୍ୟାଚ ସମୟରେ ଦର୍ଶକଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇଦେବା ସହ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥାର ନଜର ରଖିବ ପାଇଁ କମିଶନରେଟ ପୋଲିସ ଚିରାଚରିତ ମାଟିଆ ପୋଷାକ ବଦଳରେ ବ୍ଲାକ୍ ଟି ସାର୍ଟ ପିନ୍ଧିବାକୁ ନିଷ୍ପତ୍ତି ନେଇଛି । ମ୍ୟାଚ ଦିନ ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ କଳା ରଙ୍ଗର ଟି-ସାର୍ଟ ସହ ମାଟିଆ ପ୍ୟାଣ୍ଟ ପିନ୍ଧିବେ । ଏଥିପାଇଁ ଷ୍ଟାଡିୟମ ଭିତରେ ୩୫୦ ଷ୍ଟାଫ୍ ନିୟୋଜିତ ରହିବେ । ଷ୍ଟାଡିୟମ ବାହାରେ କାର୍ଯ୍ୟରତ ପୋଲିସ ଅଧିକାରୀ ନିୟମିତ ପୋଲିସ ୟୁନିଫର୍ମରେ ରହିବେ ବୋଲି ସୂଚନା ମିଳିଛି ।

ପ୍ରତ୍ୟେକ ଷ୍ଟାଣ୍ଡରେ ପୋଲିସ ଏଡ୍-ପୋଷ୍ଟ ରହିଛି । ଏହି ଏଡ୍-ପୋଷ୍ଟ ଗୁଡ଼ିକରେ ନିୟୋଜିତ ଥିବା ପୋଲିସ କର୍ମଚାରୀ ଦର୍ଶକଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ । ବାରବାଟୀ ଷ୍ଟାଡିୟମରେ ଆସନ୍ତାକାଲି ମ୍ୟାଚ୍ ପାଇଁ ପୋଲିସ ଅଧିକାରୀଙ୍କ ଟି-ସାର୍ଟ ଉନ୍ମୋଚିତ ହୋଇଛି । ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଡିସିପି ଆଖିଳେଶ୍ୱର ସିଂହ ପ୍ରମୁଖ ଯୋଗଦେଇ ଏହି କଳା ରଙ୍ଗର ପୋଲିସ ଟି-ସାର୍ଟ ଉନ୍ମୋଚନ କରିଛନ୍ତି ।

Leave a Reply