ASI କରିବେ ମାମଲାର ଅନୁସନ୍ଧାନ ଓ ତଦନ୍ତ

Home Dept. Relaxed Eligibility Criteria Of SI Promotion  

ଭୁବନେଶ୍ୱର: ଓଡ଼ିଶା ପୋଲିସରେ ଆବଶ୍ୟକ ଥିବା ଏଏସ୍ଆଇ ପଦବୀ ପୂରଣ କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । କନେଷ୍ଟବଳ, ଲାନ୍ସ ନାଏକ ହାବିଲଦାର ଓ ସି.ଆଇ ହାବିଲଦାର ପଦବୀରୁ ଏଏସ୍ଆଇକୁ ପଦୋନ୍ନତି ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ୧୦୯୨ ପୋଲିସ କର୍ମଚାରୀଙ୍କୁ ପ୍ରଶିକ୍ଷଣ ସହ ପଦୋନ୍ନତି ଦେବା ପାଇଁ ମନୋନୟନକୁ ପୋଲିସ ଡିଜି  ଅଭୟ ଅନୁମୋଦନ କରିଛନ୍ତି । ମନୋନୟନ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ୮୪୯ ଜଣ ଅଣସଂରକ୍ଷିତ ବର୍ଗର ହୋଇଥିବା ବେଳେ ୨୪୩ ଜଣ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଅଟନ୍ତି । ମନୋନୀତ ପ୍ରାର୍ଥୀ ମାନଙ୍କୁ ୪ ମାସର ଏ.ଏସ୍.ଆଇ ପାଠ୍ୟ ଖସଡ଼ାରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ।

Police ASI To Get Investigation Power

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆସନ୍ତା ବର୍ଷ ଫେବ୍ରୁଆରୀ ୧୫ ତାରିଖରୁ ଆରମ୍ଭ କରାଯିବ । ପ୍ରଶିକ୍ଷଣ ସମାପ୍ତ ପରେ ସେମାନଙ୍କୁ ଏ.ଏସ୍.ଆଇ ପାଠ୍ୟ ଖସଡ଼ା ବାବଦରେ ଏକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ । ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପୋଲିସ କର୍ମଚାରୀଙ୍କୁ ଥାନାରେ ୨ ମାସର ବ୍ୟବହାରିକ(ବାସ୍ତବ) ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏ.ଏସ୍.ଆଇ ପାଠ୍ୟ ଖସଡ଼ା ପ୍ରଶିକ୍ଷଣ ଓ ଥାନାରେ ବାସ୍ତବ ଜ୍ଞାନ ଆହରଣ ପରେ ସେମାନଙ୍କୁ ନିୟମିତ ଏ.ଏସ୍.ଆଇ ଭାବେ ନିଯୁକ୍ତି ଦିଆଯିବ । ପରେ ସେମାନଙ୍କୁ ମାମଲାର ଅନୁସନ୍ଧାନ ଓ ତଦନ୍ତ କରିବାର କ୍ଷମତା ପ୍ରଦାନ କରାଯିବ ବୋଲି ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି ।

ଅନୁସୂଚିତ ଜାତି ବର୍ଗର ପ୍ରାର୍ଥୀଙ୍କୁ ଏଏସ୍ଆଇ ପ୍ରଶିକ୍ଷଣ ପାଇଁ ମନୋନୟନ ଚାଳିତ ବର୍ଷ ପ୍ରାରମ୍ଭରେ ହୋଇଛି । ଓଡ଼ିଶା ପୋଲିସ ପକ୍ଷରୁ ଏଥିପାଇଁ ଏକ ଲିଖିତ ପରୀକ୍ଷା ଆୟୋଜନ କରାଯାଇଥିଲା । ଯେଉଁଥିରେ ଏଏସ୍ଆଇ ପ୍ରଶିକ୍ଷଣର ଯୋଗ୍ୟତା ହାସଲ ପାଇଁ ୪୦ ପ୍ରତିଶତ ମାର୍କ ରଖିବା ବାଧ୍ୟତାମୂଳକ କରାଯାଇଥିଲା । ଅନୁସୂଚିତ ଜନଜାତି ବର୍ଗଙ୍କ ଏହି ଲିଖିତ ପରୀକ୍ଷା ୭ ବର୍ଷ ପରେ ହୋଇଥିବା ବେଳେ ଅଣସଂରକ୍ଷିତ ପାଇଁ ଏହି ପରୀକ୍ଷା ୧୮ ବର୍ଷ ପରେ ଆୟୋଜନ କରାଯାଇଛି ।

Leave a Reply