ଚାଷୀଙ୍କୁ ମୋଦି ମନ୍ତ୍ର; ୯କୋଟି ଚାଷୀଙ୍କ ଖାତାକୁ ଯାଇଛି ୧୮ ହଜାର କୋଟି

1 min read

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଚାଷୀଙ୍କ ସହ ଭର୍ଚୁଆଲ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୁକ୍ରବାର ୬ ରାଜ୍ୟର ଅଢ଼େଇ ହଜାର ଚାଷୀଙ୍କୁ ସମ୍ବାଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କିଶାନ ସମ୍ମାନ ନିଧି ଯୋଜନାରେ ୯କୋଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ ୧୮ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ଭିସି ଜରିଆରେ ନୂତନ କୃଷି ଆଇନ ସମ୍ପର୍କରେ ଚାଷୀଙ୍କ ସହ ଆଲୋଚନା କରିଛନ୍ତି ମୋଦି । ସେହିପରି ଦିଲ୍ଲୀରେ ଆୟୋଜିତ ଚାଷୀ ସମାବେଶକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସମ୍ବାଧିତ କରିଛନ୍ତି । କୃଷକଙ୍କୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ବିରୋଧି କଂଗ୍ରେସ ଏବଂ ବାମ ଦଳକୁ ଟାର୍ଗେଟ କରିଛନ୍ତି । ଯେଉଁ ଦଳ ଗୁଡିକ ଦେଶବାସୀଙ୍କ ନିକଟରେ ସମର୍ଥନ ପାଇବାରେ ବିଫଳ ହୋଇଛନ୍ତି, ସେମାନେ ଆଜି କିଛି କୃଷକଙ୍କୁ ନେଇ କୃଷି ଆଇନ ବିରୋଧରେ ମିଥ୍ୟା ପ୍ରଚାର କରୁଛନ୍ତି ।

ସେହିପରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହାରି ଭିତରେ ରାଜସ୍ଥାନ ଏବଂ ଜମ୍ମୁ କାଶ୍ମୀର ଭଳି ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସମାପ୍ତ ହୋଇଛି । ଏହି ରାଜ୍ୟ ମାନଙ୍କରେ ଅଧିକାଂଶ କୃଷକ ହିଁ ମତ ପ୍ରକାଶ କରିଛନ୍ତି । ଏବଂ ମିଥ୍ୟା ପ୍ରଚାର କରୁଥିବା ଦଳ ମାନଙ୍କ ଠାରୁ ଦେଶର ଅନ୍ନଦାତା ମୁଁହ ଫେରାଇଛନ୍ତି  । ଚାଷୀଙ୍କ ଉତ୍ପାଦିତ ଧାନରୁ କେବେ ମଧ୍ୟ MSP ପ୍ରତ୍ୟାହୃତ ହେବ ନାହିଁ ବୋଲି କହିଛନ୍ତି ମୋଦି ।

ସେପଟେ କୃଷି ଆଇନ୍ ଆନ୍ଦୋଳନ ପ୍ରତ୍ୟାହାର ଦାବିରେ ଅଟଳ ଅନ୍ନଦାତା । ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନକୁ ପୁରିଛି ମାସେ । ୩୦ ଦିନ ହେଲା ଶୀତ, କାକରରେ ଆନ୍ଦୋଳନରେ ବସିଛନ୍ତି ଚାଷୀ । ଆଲୋଚନା ପାଇଁ ପୁଣି ଚାଷୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର । ଆଲୋଚନା ପାଇଁ ସମୟ ଧାର୍ଯ୍ୟ କରିବାକୁ ସରକାର କହିଛନ୍ତି। ସରକାର ସବୁ ବିବାଦରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କୃଷି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ସପ୍ତାହକ ଭିତରେ କେନ୍ଦ୍ର ୨ ଥର ଚିଠି ଲେଖି ସାରିଥିଲେ ବି ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆନ୍ଦୋଳନକାରୀ କୃଷକ ।

Leave a Reply