କାଲି ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ବୈଠକ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଖିବା ବେଳେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ । ସୋମବାର ଅପରାହ୍ଣ ପ୍ରାୟ ୩ଟାରେ ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବେ । ଦେଶରେ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ମେ ୧୭ରେ ସରୁଥିବା ବେଳେ ବୈଠକରେ ଲକଡାଉନ୍ ପରବର୍ତ୍ତୀ ରଣନୀତି ନେଇ ଆଲୋଚନା ହୋଇପାରେ ।

ବୈଠକରେ ଲକଡାଉନ୍ ବଢ଼ିବ କି ନାହିଁ ସେ ନେଇ ଚର୍ଚ୍ଚା ହେବ । ଇତିମଧ୍ୟରେ ତେଲଙ୍ଗାନା ଲକଡାଉନ୍ ଅବଧିକୁ ବୃଦ୍ଧି କରିଥିବା ଅଧିକାଂଶ ରାଜ୍ୟ ଏହା ସପକ୍ଷରେ ଅଛନ୍ତି । ବୈଠକରେ ଆର୍ଥିକ ଗତିବିଧିର ଗତି ବୃଦ୍ଧି ନେଇ ଚର୍ଚ୍ଚା ହେବ ବୋଲି କୁହାଯାଉଛି । ଏହା ପୂର୍ବରୁ ଶନିବାର କ୍ୟାବିନେଟ ସଚିବ ରାଜୀବ ଗାବା ଲଗାତାର ୨ଟି ବୈଠକ କରିଥିଲେ । ଯେଉଁଥିରେ ମେ ୧୭ ପରେ ଲକଡାଉନ୍ କଟକଣା ହଟିବା ଅଞ୍ଚଳ ଉପରେ ଆଲୋଚନା ହୋଇଥିଲା ।

ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ପୂର୍ବରୁ ୨ ଥର ଲକଡାଉନ୍ ବୃଦ୍ଧି ହୋଇଛି । ଏଥରକ ପୁଣି ଲକଡାଉନ୍ ବଢ଼ିପାରେ ବୋଲି ଲୋକଙ୍କ ମନରେ ଆଶଙ୍କା ପ୍ରକାଶ ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ କହିଛନ୍ତି, ପ୍ରଧାନମନ୍ତ୍ରୀ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ବିଶେଷଜ୍ଞଙ୍କ ମତ ନିଆଯାଇ ଲକଡାଉନ୍ ବୃଦ୍ଧି ହେବ କି ନାହିଁ ନିଷ୍ପତ୍ତି ନିଆଯିବ ।

ଲକଡାଉନ୍ ବଢ଼ିବ !

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସହ ୨ଟି ସରକାରୀ ସଂସ୍ଥା ଏମ୍ସ ଓ ଆଇସିଏମଆର୍ ଦେଶରେ ମେ ୧୭ ପରେ ଲକଡାଉନ୍ ହଟାଇ ଦିଆଗଲେ ସ୍ଥିତି ଭୟାବହ ହେବ ବୋଲି କହି ସାରିଛନ୍ତି । ଏବେ ଲକଡାଉନ୍ ହଟାଇବା ଆତ୍ମହତ୍ୟା ସହ ସମାନ । ଏମ୍ସ ନିର୍ଦ୍ଦେଶକଙ୍କ ପ୍ରକାରେ, ଭାରତରେ ଏଯାଏଁ ସବୁଠୁ ଅଧିକ ସଂକ୍ରମଣ ମାମଲା ଆସିନାହିଁ । ଜୁନ୍ ଓ ଜୁଲାଇରେ ସଂକ୍ରମଣ ଭୟାବହ ହୋଇପାରେ ।

ଆଜିଠାରୁ କେଉଁଠାକୁ ଚାଲିଲା ଟ୍ରେନ୍ ? କିଏ ଟ୍ରେନରେ ଯାତ୍ରା କରିପାରିବେ ?

ଏପରିକି ପ୍ରବାସୀ ଶ୍ରମିକମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବା ଲକଡାଉନ୍ ବୃଦ୍ଧିକୁ ସୂଚାଉଛି । ବର୍ତ୍ତମାନ ଯାଏଁ ଦେଶର ୨.୫ ଲକ୍ଷ ଶ୍ରମିକ ଘରେ ପହଞ୍ଚିଛନ୍ତି । ଏକ ଅନୁମାନ ଅନୁଯାୟୀ ଦେଶରେ ୧.୪କୋଟି ପ୍ରବାସୀ ଶ୍ରମିକ ଭାବେ କାମ କରୁଛନ୍ତି ।

Leave a Reply