ଜମୁଛି ବେଙ୍ଗଲ ପ୍ରଚାର: କୋଲକାତାରେ ପ୍ରଧାନମନ୍ତ୍ରୀ, ସିଲିଗୁଡ଼ିରେ ମମତାଙ୍କ ରଣହୁଙ୍କାର

1 min read

କୋଲକାତା: ଜମୁଛି ପ୍ରଚାର, ଚାଲିଛି ଆରୋପ ପ୍ରତ୍ୟାରୋପ  । ବିଧାନସଭା ନିର୍ବାଚନ ପାଇଁ ଆଜି ପଶ୍ଚିମବଙ୍ଗରେ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଭାଷଣ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ସେ ବର୍ଷିଥିଲେ  । ରାଜ୍ୟବାସୀଙ୍କ ସହ ଦିଦି ବିଶ୍ବାସଘାତକତା କରିଛନ୍ତି ବୋଲି ମୋଦି କହିଛନ୍ତି  । ସେପଟେ ସିଲିଗୁଡିରେ ମହିଳାଙ୍କ ସହ ଦିଦି ପଦଯାତ୍ରା କରିଥିଲେ । ଏଥର ଓ୍ବାନ ଟୁ ଓ୍ବାନ ଫାଇଟ ପାଇଁ ପ୍ରସ୍ତୁତ ବୋଲି ଦିଦି ଚ୍ୟାଲେଞ୍ଜ କରିଛନ୍ତି  । ସେପଟେ ବିଜେପିରେ ସାମିଲ ହୋଇଛନ୍ତି ମିଥୁନ ଚକ୍ରବର୍ତ୍ତୀ  ।

ବ୍ରିଗେଡ ଗ୍ରାଉଣ୍ଡରୁ ପ୍ରଧାନମନ୍ତ୍ରୀଙ୍କ ରଣହୁଙ୍କାର । ନନ୍ଦିଗ୍ରାମରେ ଦିଦିଙ୍କ ପରାଜୟ ସୁନିଶ୍ଚିତ ବୋଲି କହିଲେ ମୋଦି । କୋଲକାତାର ବ୍ରିଗେଡ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ବିଶାଳ ରାଲି କରିଛନ୍ତି  । ଏଥିରେ ରାଜ୍ୟ ବିଜେପିର ବହୁ ବରିଷ୍ଠ ନେତା ଯୋଗଦେଇଥିଲେ । ଏହି ଅବସରରେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ବିଜେପିରେ ସାମିଲ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ରାଲିରୁ ରାଜ୍ୟରେ ନିର୍ବାଚନୀ ପ୍ରଚାର ଜୋରଦାର ହୋଇଛି  । ପ୍ରଗତିଶୀଳ ବେଙ୍ଗଲ ପାଇଁ ମୋଦି ଆହ୍ବାନ ଦେଇଛନ୍ତି  । ଦିଦି ପୁଣି ଥରେ  ମୁଖ୍ୟମନ୍ତ୍ରୀ ହେଲେ ପଶ୍ଚିମବଙ୍ଗ ପାଇଁ ବିକାଶ ସ୍ବପ୍ନ ହୋଇଯିବ । ରାଜ୍ୟବାସୀଙ୍କ ସହ ମମତା ବିଶ୍ବାସଘାତ କରିଥିବା ମୋଦି କହିଛନ୍ତି ।

 ସେପଟେ ସିଲିଗୁଡିରେ ମମତା ବାନାର୍ଜୀ ପ୍ରଚାର ଜୋରଦାର କରିଛନ୍ତି  । ମହିଳା ଦିବସ ପୂର୍ବରୁ ମହିଳାଙ୍କ ସହ ପଦଯାତ୍ରା କରିଛନ୍ତି ଦିଦି  । ଗ୍ୟାସ ଦର ବୃଦ୍ଧିକୁ ନେଇ ବିଜେପି ଉପରେ ପ୍ରବଳ ବର୍ଷିଛନ୍ତି  । ରାଜ୍ୟରେ ବିଜେପି ପରିବର୍ତ୍ତନ ନାରାକୁ ଟାର୍ଗେଟ କରି ମମତା କହିଛନ୍ତି, କେନ୍ଦ୍ରରେ ପରିବର୍ତ୍ତନ ଆବଶ୍ୟକ । ଆଜିର ପଦଯାତ୍ରାରେ ହଜାର ହଜାର ମହିଳା ଯୋଗଦେଇଥିଲେ  । ମହିଳାଙ୍କ ଭୋଟ ହାତେଇବାକୁ ଏହା ଏକ ଯୋଜନା ବୋଲି ବିରୋଧୀ କହିଛନ୍ତି  ।

ସେପଟେ ତାମିଲନାଡୁରେ ଜୋରଦାର ପ୍ରଚାର କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା  । ରାଜ୍ୟରେ ଏଆଇଏଡିଏମକେ ଓ ବିଜେପି ମେଣ୍ଟରେ ସରକାର ଗଠନ ହେବ ବୋଲି ଶାହା ଦୃଢୋକ୍ତି ପ୍ରକାଶ କରିଛନ୍ତି । ଆଜି ପ୍ରଥମେ କନ୍ୟାକୁମାରୀରେ ପହଞ୍ଚି ମା ସୁଚିନ୍ଦ୍ରମଙ୍କ ଆଶୀର୍ବାଦ ନେଇଥିଲେ ଶାହା  । ଏହା ପରେ କନ୍ୟାକୁମାରୀରେ କରିଥିଲେ ଡୋର୍‌ ଟୁ ଡୋର କ୍ୟାମ୍ପେନ  । ଘର ଘର ବୁଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଥିଲେ ଶାହା । ଏଥି ସହ ବିଶାଳ ରୋଡ୍‌ ଶୋ’ ମଧ୍ୟ କରିଥିଲେ  । ଏପଟେ DMK ଓ କଂଗ୍ରେସ ମଧ୍ୟରେ ଆସନ ବଣ୍ଟନ ନେଇ ଆଲୋଚନା ସରିଛି  । ୨୩୪ଟି ଆସନରୁ କଂଗ୍ରେସ ମାତ୍ର ୨୫ଟି ଆସନରେ ନିର୍ବାଚନ ଲଢ଼ିବ । ଏଥିସହ କନ୍ୟାକୁମାରୀ ଲୋକସଭା ଆସନରେ ହେବାକୁ ଥିବା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବ ବୋଲି ଜଣାପଡିଛି  ।

Leave a Reply